ପୁରୀ: ପୁଣି ଇତିହାସ ରଚିଲେ ଶ୍ରୀମନ୍ଦିର ସେବାୟତ l ନିକଟରେ ଫ୍ରାନ୍ସର ବର୍ଶୋଲେନା ଠାରେ ଅନୁଷ୍ଠିତ ହୋଇଥିବା ମିଷ୍ଟର ୱାର୍ଲ୍ଡ ବଡିବିଲଡିଂ ଚାମ୍ପିଅନସିପରେ ପୁରୀର ପୁଅ ବିଶ୍ୱଜିତ ପ୍ରତିହାରୀ ସ୍ବର୍ଣ୍ଣପଦକ ହାସଲ କରି ଇତିହାସ ରଚିଛନ୍ତି । କେବଳ ଖେଳାଳି ନୁହଁନ୍ତି, ବିଶ୍ୱଜିତ୍ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାଗତ ସେବାୟତ ଏବଂ ଡାକ ବିଭାଗର କର୍ମଚାରୀ। ମହାପ୍ରଭୁଙ୍କ ସେବା ଓ ଡାକ ବିଭାଗର ଦାୟିତ୍ୱ ସହ ବଡିବିଲଡିଂ ସାଧନା କରି ସେ ଏହି ସଫଳତା ହାସଲ କରିଛନ୍ତି।

୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିଅର୍ ପରେ ବିଶ୍ୱଜିତ୍ ତାଙ୍କର ପ୍ରଥମ ବିଶ୍ୱ ବଡିବିଲଡିଂ ଚାମ୍ପିଅନସିପରେ ଓ ଏସୀୟ ଚାମ୍ପିଅନସିପରେ ୨ଟି ସ୍ବର୍ଣ୍ଣ ପଦକ ସହିତ ଚାରୋଟି ଅନ୍ତର୍ଜାତୀୟ ପଦକ ଜିତିବାରେ ସଫଳତା ହାସଲ କରିଛନ୍ତି। ତେବେ ମିଷ୍ଟର ୱାର୍ଲ୍ଡ ବଡିବିଲଡିଂରେ ବିଶ୍ୱ ଚାମ୍ପିୟାନସିପ୍ ପାଇଁ ୧୩୫ ଦେଶରୁ ସମୁଦାୟ ୧୫୦୦ ପ୍ରତିଯୋଗୀ ଭାଗ ନେଇଥିବା ବେଳ ଭାରତରୁ ତିନିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶାରୁ ଏକମାତ୍ର ପ୍ରତିଯୋଗି ବିଶ୍ୱଜିତ୍ ପ୍ରତିହାରୀ ବିଶ୍ୱର ସମସ୍ତ ବଛା ବଛା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଓଡିଶା ଇତିହାସରେ ପ୍ରଥମଥର ଜଣେ ଓଡିଆ ପୁଅ ବିଶ୍ୱସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଛନ୍ତି । ବିଶ୍ୱଜିତଙ୍କ ଏଭଳି ସଫଳତା ନିଜ ମାଆଙ୍କ ପ୍ରେରଣା, ଆର୍ଶୀବାଦ, ମହାପ୍ରଭୁଙ୍କ ଆର୍ଶୀବାଦ ଏବଂ ତାଙ୍କର ନିଜସ୍ୱ ପରିଶ୍ରମ, ସାଧନା , ନିଷ୍ଠା ଏକାଗ୍ରତା ଓ ପରିବାର ସମର୍ଥନ ତାଙ୍କୁ ବିଶ୍ୱସ୍ତରରେ ଚମକାଇଛି।