ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟସ୍ ପୁଣି ଚର୍ଚ୍ଚାରେ। ଆମେରିକା କଂଗ୍ରେସର ଏକ ଯାଞ୍ଚକମିଟି ଆଗରେ ସେ ଦେଇଥିବା ବୟାନରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି ରିଲେସନସିପ୍ ର ସୂଚନା ପରଲୋକଗତ ବ୍ୟବସାୟୀ ତଥା ଯୌନ ଅପରାଧୀ ଜେଫରୀ ଏପଷ୍ଟିନକୁ ଜଣାଥିଲା। ଗେଟସ୍ ଦାବି କରିଛନ୍ତି ଯେ ଏପଷ୍ଟିନ ଏହି ସୂଚନାକୁ ତାଙ୍କ ଉପରେ ଚାପ ପକାଇବା ପାଇଁ ଉପଯୋଗ କରିବାକୁ ଚାହୁଁଥିଲା।

ପୁରା ମାମଲା କ’ଣ?
ଏହି ମାମଲା ଏପଷ୍ଟିନର ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଓ ତା ନେଟୱାର୍କ ଯାଞ୍ଚ ସହ ଜଡିତ। ନିକଟରେ କିଛି ନୂଆ ଡକ୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ ଆମେରିକୀୟ ସାଂସଦମାନେ ଏ ବାବଦେ ଅନେକ ଲୋକଙ୍କୁ ପଚରା ଉଚରା କରିଛନ୍ତି, ଯେଉଁଥିରେ ବିଲ୍ ଗେଟସ୍ ମଧ୍ୟ ସାମିଲ ଥିଲେ। ଏହି ପ୍ରସଙ୍ଗରେ ଗେଟସ୍ ଜୁନ ୧୦ ତାରିଖ ଦିନ ତଦନ୍ତ କମିଟି ଆଗରେ ତାଙ୍କ ବୟାନ ରେକର୍ଡ କରାଇଛନ୍ତି।

ସାକ୍ଷ୍ୟରେ କ’ଣ କହିଛନ୍ତି?
ସାକ୍ଷ୍ୟ ପ୍ରଦାନରେ ଗେଟସ୍ ସ୍ୱୀକାର କରିଛନ୍ତି ଯେ ଏପଷ୍ଟିନକୁ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ସୂଚନା ଥିଲା। ସେ କହିଛନ୍ତି ଯେ ଏହି ଘଟଣାବଳୀ ତାଙ୍କ ପରିବାର ଲାଗି ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ ଥିଲା। ତେବେ ଗେଟସ୍ ସ୍ପଷ୍ଟ କରିଛନ୍ତି ଯେ ଏପଷ୍ଟିନ ସହ ତାଙ୍କର ବୃତ୍ତିଗତ ଅଥବା ବ୍ୟବସାୟୀକ ସମ୍ପର୍କ ନଥିଲା। ବିଲ୍ ଗେଟସ୍ ଙ୍କ ଅନୁସାରେ ଏପଷ୍ଟିନ ତାଙ୍କ ବ୍ୟକ୍ତିଗତ ସୂଚନା ଉପଯୋଗ କରି ତାଙ୍କୁ ନିଜ ସମ୍ପର୍କରେ ରଖିବାକୁ ଚାହୁଁଥିଲା। ସେ ଅଭିଯୋଗ କରିଛନ୍ତି ଯେ ଏପଷ୍ଟିନ କିଛି ଭୁଲ ଓ ଭ୍ରମପୂର୍ଣ୍ଣ କଥାକୁ ଯୋଡି ତାଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା।

ଅପରାଧିକ ଗତିବିଦ୍ଧି ସହ ନଥିଲା ସମ୍ପର୍କ
ବିଲ୍ ଗେଟସ୍ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସେ ଏପଷ୍ଟିନର କୌଣସି ବେଆଇନ ଓ ଅପରାଧିକ କାମରେ ସେ କେବେ ଭାଗ ନେଇନଥିଲେ। ତେବେ ସେ ମାନିଛନ୍ତି ଯେ ଏପଷ୍ଟିନ ସହ ସମ୍ପର୍କ ରଖିବା ତାଙ୍କଜୀବନର ସବୁଠୁ ବଡ଼ ଭୁଲ ଥିଲା, ତଥାପି ତା ସହ ଭେଟ କେବଳ ପରୋପକାର କାର୍ଯ୍ୟ ଓ ସାମାଜିକ ପ୍ରକଳ୍ପ ଉପରେ ଚର୍ଚ୍ଚା ମଧ୍ୟରେ ସୀମିତ ରହୁଥିଲା। ବିଲ୍ ଗେଟସ୍ କହିଛନ୍ତି ଯେ ଏପଷ୍ଟିନ ତାଙ୍କୁ କେବେ ସିଧାସଳଖ ବ୍ଲାକମେଲ କରି ନଥିଲା। ହେଲେ ପରେ ସାମ୍ନାକୁ ଆସିଥିବା ଇ-ମେଲ ଓ ଅନ୍ୟ ଡକ୍ୟୁମେଣ୍ଟ ଦେଖି ଏହା ଲାଗୁଛି ଯେ ସେ ହୁଏତ ଏପରି କରିବାକୁ ଚିନ୍ତା କରୁଥିଲା। ଏବେ ଏହି ପ୍ରକରଣକୁ ନେଇ ଆମେରିକାରେ ରାଜନୈତିକ ଓ ଆଇନଗତ ବିତର୍କ ଜାରି ରହିଛି। ଏହା ସହିତ ଏହି ମାମଲା ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି।