ୱାଶିଂଟନ: ଏଆଇ ନେଇ ପୁଣିଥରେ ବିନାଶର ଭୟଙ୍କର ଚେତାବନୀ ସାମ୍ନାକୁ ଆସିଛି। ଏଥର ଏହି ଚେତାବନୀ ଦେଇଛନ୍ତି ମାଇକ୍ରୋସଫ୍ଟର ସହସଂସ୍ଥାପକ ବିଲ୍ ଗେଟ୍ସ। ଏଆଇର ଭୁଲ ବ୍ୟବହାର କଲେ ଏହା ଏତେ ଶକ୍ତିଶାଳୀ ହୋଇଯିବ ଯେ ୧୦୦ କୋଟି ଲୋକଙ୍କର ଜୀବନ ନେଇଯାଇପାରେ ବୋଲି ବିଲ୍ ଗେଟ୍ସ କହିଛନ୍ତି।

ଏକ ସାକ୍ଷାତକାରରେ ଏଆଇର ଭୁଲ୍ ପ୍ରୋୟଗ ନେଇ ଚିନ୍ତା ବ୍ୟକ୍ତ କରି ଗେଟ୍ସ ଏହି ଚେତାବନୀ ଦେଇଛନ୍ତି। ଏଆଇ ଉପକରଣଗୁଡ଼ିକ ଯଦି ଭୁଲ ଶକ୍ତି ହାତରେ ପଡ଼ିଯାଏ ତେବେ ଏହା ଯେକୌଣସି ଭୟଙ୍କର ଅସ୍ତ୍ର ଠାରୁ ବି ଅଧିକ କ୍ଷତିକାରକ ହୋଇପାରେ। ତେଣୁ ଆମେରିକା ସରକାରଙ୍କୁ ଏହି ବିପଦକୁ ଗମ୍ଭୀରତାର ସହ ନେବାକୁ ସେ ଅନୁରୋଧ କରିଛନ୍ତି।

ଗେଟ୍ସ ଏଆଇ ଉପରେ ଆଇନ ପ୍ରଣୟନ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ କର୍ପୋରେଟ୍ ନିୟନ୍ତ୍ରଣ ଅପର୍ଯ୍ୟାପ୍ତ ଏବଂ ସରକାରୀ ତଦାରଖ ଏବଂ ନିୟନ୍ତ୍ରଣ ଅତ୍ୟାବଶ୍ୟକ। ଅଗଷ୍ଟରେ ପ୍ରକାଶିତ ଏକ ଲେଖାରେ, ଗେଟ୍ସ ଏଆଇରୁ ତିନୋଟି ପ୍ରମୁଖ ବିପଦକୁ ମଧ୍ୟ ଚିହ୍ନଟ କରିଥିଲେ।

ଅଷ୍ଟ୍ରେଲିଆର ଏଆଇ ତୁମୁଳ କାଣ୍ଡ

ସାରା ଦୁନିଆରେ ଏଆଇ ବର୍ତ୍ତମାନ ଯେଉଁ କାଣ୍ଡ ଘଟାଉଛି, ତାକୁ ନେଇ ଏକ୍ସପର୍ଟମାନେ ଛାନିଆ ହେଲେଣି। ସେପଟେ ଅଷ୍ଟ୍ରେଲିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କର ଏହି ଭୟକୁ ଆହୁରି ବଢ଼ାଇ ଦେବ। ବିଶ୍ୱରେ ପ୍ରଥମ ଥର ପାଇଁ, ଏକ AI ମଡେଲ ଏକ ସରକାରୀ ପୋର୍ଟାଲ୍ ହ୍ୟାକ୍ କରିଛି। ଏହି ଘଟଣା ଅଷ୍ଟ୍ରେଲିଆରେ ଘଟିଛି। OpenAIର ଏକ AI ମଡେଲ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ତଥ୍ୟ ସିଷ୍ଟମରେ ଅନୁପ୍ରବେଶ କରିଥିଲା ଏବଂ ସ୍ୱାସ୍ଥ୍ୟ ଖର୍ଚ୍ଚ ଏବଂ ଔଷଧ ସବସିଡି ସମ୍ବନ୍ଧୀୟ ତଥ୍ୟ ସମ୍ବଳିତ ଫାଇଲଗୁଡ଼ିକୁ ହାସଲ କରିପାରିଥିଲା।

Also Read- ହର୍ମୁଜ୍ ଷ୍ଟ୍ରେଟ୍କୁ ‘ଟ୍ରମ୍ପ ଷ୍ଟ୍ରେଟ୍’ ଦର୍ଶାଇ ମ୍ୟାପ୍ ଶେୟାର କଲେ ଆମେରିକା ରାଷ୍ଟ୍ରପତି; ଇରାନର ୭ ଦିନିଆ ପ୍ରସ୍ତାବକୁ ନେଇ ବଢ଼ିଲା ଉତ୍ତେଜନା

୫୪ ଦିନ ପରେ ଓପନ୍ ଏଆଇ ସରକାରଙ୍କୁ ଘଟଣା ବିଷୟରେ ଜଣାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଆଲବାନିଜ୍ ନ୍ୟୁୟର୍କରେ ଓପନ୍ ଏଆଇ ମୁଖ୍ୟ ସାମ୍ ଅଲ୍ଟମ୍ୟାନଙ୍କ ସହ ଫୋନ୍ ଯୋଗେ କଥା ହୋଇ ବିଳମ୍ବରେ ଜଣାଇବା ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି ଯେ ଏବେ ଏଆଇ ଉପରେ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଯଦି ମଣିଷ ନିୟନ୍ତ୍ରଣ ହରାଇବ ତେବେ ଏହା ବିପର୍ଯ୍ୟୟଜନକ ହେବ ବୋଲି ଅଲ୍ଟମ୍ୟାନ କହିଛନ୍ତି।

ମାମଲାର ଯାଞ୍ଚ କରିବ ଅଷ୍ଟ୍ରେଲିଆ

ଓପନ ଏଆଇ ମଡେଲ୍ର ଏଭଳି କାରନାମା ନେଇ ଅଷ୍ଟ୍ରେଲିଆ ସରକାର ଚିନ୍ତିତ ହୋଇଯାଇଛନ୍ତି। ଏବେ କମ୍ପାନୀ ବିରୁଦ୍ଧରେ ଅପରାଧିକ ଅଭିଯୋଗ ଆଣିବା ଉଚିତ କି ନାହିଁ ତାରି ଉପରେ ବିଚାର ଚାଲିଛି। ଅଷ୍ଟ୍ରେଲିଆ ସୁରକ୍ଷା ଏଜେନ୍ସିଗୁଡ଼ିକ ପୂର୍ବରୁ ଅନୁପ୍ରବେଶକୁ କାହିଁକି ଚିହ୍ନଟ କରିପାରିଲେ ନାହିଁ ସେ ବିଷୟରେ ମଧ୍ୟ ତଦନ୍ତ କରାଯାଉଛି।

OpenAI ଏହା ମଧ୍ୟ ଘଟଣାକୁ ସ୍ୱୀକାର କରିବା ସହ ଦୁଃଖ ପ୍ରକାଶ କରିଛି। ଏହାର ମଡେଲ୍ଗୁଡ଼ିକ ଯାହା କରିଛନ୍ତି କମ୍ପାନୀ କେବେ ଏହା ଚାହିଁ ନଥିଲା ବୋଲି ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ୍ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ସମସ୍ତ ଦେଶ ସୁରକ୍ଷା ମାନଦଣ୍ଡ ସ୍ଥାପନ କରିବା ପାଇଁ ଏକାଠି କାମ କରିବା ଉଚିତ ଯାହା ଦ୍ଵାରା ପ୍ରଯୁକ୍ତିବିଦ୍ୟା ଅଧିକ ଶକ୍ତିଶାଳୀ ହେଲେ ମଧ୍ୟ ନିୟନ୍ତ୍ରଣରେ ରହିବ।

ଏଆଇକୁ ମାନବ ନିୟନ୍ତ୍ରଣରେ ରଖିବାକୁ ଚୀନ ରାଷ୍ଟ୍ରପତିଙ୍କ ଆହ୍ୱାନ

ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାକୁ ସରକାରୀ ଗସ୍ତରେ ଯାଇଥିଲେ। ସେଠାରେ ଏଆଇର ଗମ୍ଭୀରତା ଦେଖି ଏହାକୁ ସବୁବେଳେ ମାନବ ନିୟନ୍ତ୍ରଣରେ ରଖିବାକୁ ଆହ୍ୱାନ ଦେଇଥିଲେ। ଜିନପିଙ୍ଗ କହିଥିଲେ ଏଆଇର ବିକାଶ ମାନବ କଲ୍ୟାଣ ଓ ମାନବ ପ୍ରଗତି ପାଇଁ ହେବା ଉଚିତ। ଚୀନ ଓ ଆମେରିକା AIରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ, ଏଆଇର ଦୁରୁପଯୋଗ ରୋକିବା ପାଇଁ ଦୁଇ ଦେଶ ସହଯୋଗ କରିବା ଦରକାର। ଏଆଇ ମଣିଷ ପାଇଁ ତିଆରି ହେବ, ମଣିଷ ଉପରେ ନୁହେଁ। ତେଣୁ ଏହାର ନିୟନ୍ତ୍ରଣ ମଣିଷଙ୍କ ହାତରେ ରହିବା ଆବଶ୍ୟକ ବୋଲି ଜିନପଙ୍ଗ କହିଥିଲେ।

Also Read- କ୍ୟୁବାକୁ ନେଇ ଆମେରିକାର ବଡ଼ ସାମରିକ ପ୍ରସ୍ତୁତି! ୯୦ରୁ ୧୨୦ ଦିନ ମଧ୍ୟରେ ସୈନ୍ୟ ମୁତୟନ ପାଇଁ ଯୋଜନା

ସେପଟେ ଆମେରିକା ରାଷ୍ଟ୍ରପତିଙ୍କୁ କିନ୍ତୁ ଚୀନ ଠାରୁ ପଛେଇ ଯିବାର ଭୟ ଘାରିଛି। ଏଆଇ ଏକ୍ସପର୍ଟମାନେ ଏଆଇ ପ୍ରଗତିକୁ ମନ୍ଥର କରିବାକୁ ଅନୁରୋଧ କରୁଥିଲେ ମଧ୍ୟ ଟ୍ରମ୍ପ ଏହାକୁ ସ୍ପଷ୍ଟ ମନା କରିଦେଥିଲେ। ଏଆଇ ସେଭଳି କୌଣସି କାମ କରିବ ନାହିଁ। ଏହା ଅତିରଞ୍ଜିତ ବୋଲି କହି ଏକ୍ସପର୍ଟମାନଙ୍କର ପ୍ରସ୍ତାବକୁ ସେ ଖାରଜ କରିଦେଇଥିଲେ।