ୱାଶିଂଟନ ଡିସି: ହର୍ମୁଜ ଖୋଲିବାକୁ ଇରାନର ୭ ଦିନିଆ ଢାଞ୍ଚାଗତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଟ୍ରମ୍ପ ଆଉ ଏକ କାରନାମା କରିଛନ୍ତି। ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ପୁନଃ ନାମକରଣ କରାଯାଇଥିବା ଏକ ମ୍ୟାପ୍ ଶେୟାର କରିଛନ୍ତି। ଯେଉଁଥିରେ ହର୍ମୁଜ ବଦଳରେ ତାଙ୍କ ନାଁ ଟ୍ରମ୍ପ ଷ୍ଟ୍ରେଟ୍ ଲେଖାଯାଇଛି। ଶୁକ୍ରବାର ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋଶାଲ୍‌ରେ ଏହି ମାନଚିତ୍ର ପୋଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଯଦିଓ ବିଶ୍ୱ ସ୍ତରରରେ ଟ୍ରମ୍ପଙ୍କ ଆଚରଣ ଧୀରେ ଧୀରେ ଗୁରୁତ୍ୱ ହରାଉଛି, ତଥାପି ହର୍ମୁଜକୁ ନିଜ ନାଁରେ ନାମିତ କରିବା ଇରାନ ପାଇଁ ଟେନସନର କାରଣ ହୋଇପାରେ।

ଏହା ପୂର୍ବରୁ ଇରାନ ହର୍ମୁଜ୍ ଷ୍ଟ୍ରେଟ୍କୁ ୭ ଦିନ ମଧ୍ୟରେ ପୁଣି ଖୋଲିବା ଏବଂ ଆମେରିକା ସହ ପରମାଣୁ କାର୍ଯ୍ୟକ୍ରମ ନେଇ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଛି। ଏଥିପାଇଁ ୱାଶିଂଟନ ସମ୍ମୁଖରେ କିଛିଟା ସର୍ତ୍ତ ରଖିଛି ତେହରାନ। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି ଯେ ଆମେରିକା ଯଦି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ମାନିବ, ତେବେ ୭ ଦିନ ମଧ୍ୟରେ ସାଧାରଣ ସାମୁଦ୍ରିକ ଯାତାୟାତ ପୁଣି ଆରମ୍ଭ ହୋଇପାରିବ।

ଇରାନ ଦେଇଥିବା ପ୍ରସ୍ତାବରେ- ଆମେରିକାକୁ ଇରାନୀ ବନ୍ଦରଗୁଡ଼ିକ ଉପରେ ଥିବା ନୌସେନା ନାକାବନ୍ଦୀ ହଟାଇବା, ଇରାନୀ ତୈଳ ବିକ୍ରି ଉପରେ ଥିବା କଟକଣା କୋହଳ କରିବା ଏବଂ ଲେବାନନ୍କୁ ସାମିଲ କରି ଯୁଦ୍ଧବିରତି ପାଳନ କରିବାକୁ କୁହାଯାଇଛି। ଏହା ସହ ଆମେରିକା-ଇରାନ ପରମାଣୁ ଆଲୋଚନା ପୁଣି ଆରମ୍ଭ କରିବାର ପ୍ରସ୍ତାବ ମଧ୍ୟ ରହିଛି।

ଆରାଘଚିଙ୍କ କହିବା ଅନୁସାରେ, ଆମେରିକା ପ୍ରସ୍ତାବକୁ ଗ୍ରହଣ କରିବା ଦିନଠାରୁ ୭ ଦିନର ସମୟସୀମା ଆରମ୍ଭ ହେବ। ପ୍ରାରମ୍ଭିକ ପଦକ୍ଷେପ ପାଇଁ ପ୍ରାୟ ୪ରୁ ୫ ଦିନ ଲାଗିପାରେ ଏବଂ ଷଷ୍ଠ ଦିନରେ ହର୍ମୁଜ୍ ଷ୍ଟ୍ରେଟ୍ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ଇରାନର ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ

ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ପକ୍ଷରୁ ଯୁଦ୍ଧ ବନ୍ଦ କରିବା ସହ ୭ ଦିନ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ପୁଣି ଖୋଲିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଟ୍ରମ୍ପ ଗ୍ରହଣ କରିନଥିବା ନେଇ ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ ରିପୋର୍ଟ କରିଛି। ଆମେରିକାର କିଛି ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଆମେରିକୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିବା ପରେ ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ରିପୋର୍ଟ ଅନୁସାରେ, ନଭେମ୍ବରରେ ହେବାକୁ ଥିବା କଂଗ୍ରେସ ନିର୍ବାଚନ ପରେ ଆମେରିକା ପୁଣି ଇରାନ ଉପରେ ବୋମା ବର୍ଷଣ ଆରମ୍ଭ କରିପାରେ ବୋଲି ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି। ତେବେ ଏହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ଜାରି ରହିବ ବୋଲି ଜଣେ ଆମେରିକୀୟ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି।

ହର୍ମୁଜ୍କୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ନୂଆ ନୁହେଁ

ହର୍ମୁଜ୍ ଷ୍ଟ୍ରେଟ୍କୁ ନେଇ ଟ୍ରମ୍ପ ଏଭଳି ମନ୍ତବ୍ୟ ପ୍ରଥମ ଥର ପାଇଁ ଦେଇ ନାହାନ୍ତି। ଅଗଷ୍ଟରେ ମଧ୍ୟ ସେ ଏକ ମାନଚିତ୍ର ପୋଷ୍ଟ କରି ଏହି ଜଳପଥକୁ ଭବିଷ୍ୟତରେ ଆମେରିକାର ନୂଆ ଅଞ୍ଚଳ ଭାବେ ଘୋଷଣା କରାଯାଇପାରେ ବୋଲି କହିଥିଲେ। ପରେ ସେ ହର୍ମୁଜ୍କୁ ଆମେରିକାର ଅଞ୍ଚଳ ଘୋଷଣା କରିବା ଧାରଣାକୁ ‘ଭଲ ଚିନ୍ତା’ ବୋଲି କହିଥିଲେ ଏବଂ ନାକାବନ୍ଦୀ ଯୋଗୁ ଆମେରିକା ଏହି ଜଳପଥ ଉପରେ ନିୟନ୍ତ୍ରଣ ରଖିଛି ବୋଲି ସେ ଦାବି କରି ସାରିଛନ୍ତି।

Also Read- କ୍ୟୁବାକୁ ନେଇ ଆମେରିକାର ବଡ଼ ସାମରିକ ପ୍ରସ୍ତୁତି! ୯୦ରୁ ୧୨୦ ଦିନ ମଧ୍ୟରେ ସୈନ୍ୟ ମୁତୟନ ପାଇଁ ଯୋଜନା

ବିଶ୍ୱ ତୈଳ ଯୋଗାଣ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ହର୍ମୁଜ୍ ଷ୍ଟ୍ରେଟ୍ ବିଶ୍ୱର ଅତ୍ୟନ୍ତ ରଣନୈତିକ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ। ଏହି ଜଳପଥ ଦେଇ ବିଶ୍ୱର ତୈଳ ଓ ଗ୍ୟାସ୍ ବାଣିଜ୍ୟର ଏକ ବଡ଼ ଅଂଶ ଯାତାୟାତ କରେ। ଏଠାରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଲେ ଅନ୍ତର୍ଜାତୀୟ ଶକ୍ତି ବଜାର ଏବଂ ତୈଳ ମୂଲ୍ୟ ଉପରେ ପ୍ରଭାବ ପଡ଼ିପାରେ।

ଏବେ ଇରାନର ପ୍ରସ୍ତାବ ଏବଂ ଟ୍ରମ୍ପଙ୍କ ‘ଟ୍ରମ୍ପ ଷ୍ଟ୍ରେଟ୍’ ପୋଷ୍ଟ ପରେ ହର୍ମୁଜ୍ ଷ୍ଟ୍ରେଟ୍ ପୁଣିଥରେ ଆମେରିକା-ଇରାନ ବିବାଦର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଇରାନର ୭ ଦିନିଆ ପ୍ରସ୍ତାବ ଉପରେ ୱାଶିଂଟନ୍ର ଆଗାମୀ ପଦକ୍ଷେପ କଣ ହେବ, ତାହା ଉପରେ ଏବେ ନଜର ରହିଛି।