ୱାଶିଂଟନ୍: ଆମେରିକା ବର୍ତ୍ତମାନ ସାରା ଦୁନିଆ ପାଇଁ ଆତଙ୍କର ଦେଶ ସାଜୁଛି। କାହାକୁ ଆକ୍ରମଣ କରୁଛି, ତ କାହାର ପ୍ରାକୃତିକ ସମ୍ଭଳ ଉପରେ କବ୍ଜା ଜମାଉଛି। ବର୍ତ୍ତମାନ ଆମେରିକା ଇରାନ ସହ ଯୁଦ୍ଧ ଲଢ଼ୁଥିବା ବେଳେ ଭେନେଜୁଏଲା ରାଷ୍ଟ୍ରପତିକୁ ଅପହରଣ କରି ସାରିଛି। ଏପଟେ କାନାଡ଼ାକୁ ବି ଆକ୍ରମଣର ଭୟ ରହିଛି। ଗ୍ରୀନଲ୍ୟାଣ୍ଡକୁ ଦଖଲ କରିବାର ଚେତାବନୀ ଦେବା ଆଦି ଘଟଣା ଆମେରିକାକୁ ସାରା ବିଶ୍ୱରେ ବଦନାମ କରିସାରିଲାଣି। ଏହାରି ଭିତରେ ଆଉ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ଆମେରିକା କ୍ୟୁବା ଉପରେ ଆକ୍ରମଣ କରିବା ନେଇ ଚିନ୍ତା କରୁଥିବା ବିଭିନ୍ନ ମିଡିଆ ରିପୋର୍ଟ ପ୍ରକାଶ କରିଛନ୍ତି।

କ୍ୟୁବାରେ ଆକ୍ରମଣ କରିବା ପାଇଁ ଆମେରିକାର ସାମରିକ ଯୋଜନା ଆହୁରି ତୀବ୍ର ହେଉଥିବା ସଙ୍କେତ ମିଳିଛି। ଆମେରିକା ଆର୍ମି ରିଜର୍ଭ, ଆଗାମୀ ୯୦ରୁ ୧୨୦ ଦିନ ମଧ୍ୟରେ ସାଉଦର୍ଣ୍ଣ କମାଣ୍ଡକୁ ଲଜିଷ୍ଟିକ୍ସ, ଇଞ୍ଜିନିୟରିଂ, ମେଡିକାଲ ଏବଂ ମିଲିଟାରୀ ପୋଲିସ୍ ସମେତ ବିଭିନ୍ନ ସହାୟକ ୟୁନିଟ୍ ଯୋଗାଇ ପାରିବ କି ନାହିଁ, ତାହା ଯାଞ୍ଚ କରୁଛି।

ସିବିଏସ୍ ନ୍ୟୁଜ୍ ଜାଣିବାକୁ ପାଇଥିବା ଏକ ଆଭ୍ୟନ୍ତରୀଣ ଆର୍ମି ଆଲୋଚନାରେ ୬ ପ୍ରକାରର ଫର୍ମେସନର ସମ୍ଭାବ୍ୟ ଉପଲବ୍ଧତା ବିଷୟରେ ତଥ୍ୟ ମଗାଯାଇଛି। ଯଦିଓ ଏହି ବାର୍ତ୍ତାରେ କ୍ୟୁବାର ନାଁ ନାହିଁ, ତଥାପି ଏହି ପ୍ରସ୍ତୁତି କ୍ୟୁବାକୁ କେନ୍ଦ୍ର କରି ଚାଲିଥିବା ସାମରିକ ଯୋଜନାର ଅଂଶ ବୋଲି ଏକାଧିକ ଆମେରିକୀୟ ଅଧିକାରୀ ସିବିଏସ୍‌କୁ କହିଛନ୍ତି।

ପ୍ରସ୍ତାବିତ ୟୁନିଟ୍ଗୁଡ଼ିକ ମଧ୍ୟରେ ରହିଛି କମ୍ବାଟ୍ ସସ୍ଟେନମେଣ୍ଟ ସପୋର୍ଟ ବାଟାଲିଅନ୍, ଯାହା ପରିବହନ, ରକ୍ଷଣାବେକ୍ଷଣ, ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ଦାୟିତ୍ୱ ସମ୍ଭାଳିପାରେ। ଏହାଛଡ଼ା ଇଞ୍ଜିନିୟର ବାଟାଲିଅନ୍, ଏକ୍ସପେଡିସନାରୀ ସସ୍ଟେନମେଣ୍ଟ କମାଣ୍ଡ, ମେଡିକାଲ ବ୍ରିଗେଡ୍, ଜରୁରୀ ଅସ୍ତ୍ରୋପଚାର ଓ ଟ୍ରମା କେୟାର ପାଇଁ ଫରୱାର୍ଡ ରିସସିଟେଟିଭ୍ ଆଣ୍ଡ ସର୍ଜିକାଲ ଡିଟାଚମେଣ୍ଟ ଏବଂ ମିଲିଟାରୀ ପୋଲିସ୍ ବ୍ରିଗେଡ୍ ରହିଛି।

ତେବେ ଏହି ଦଲିଲରେ କେତେ ସୈନ୍ୟ ଆବଶ୍ୟକ ହେବେ, ସେମାନଙ୍କୁ କେଉଁଠାରେ ମୁତୟନ କରାଯିବ କିମ୍ବା କେଉଁ ଅପରେସନ୍ ପାଇଁ ଏହି ୟୁନିଟ୍ଗୁଡ଼ିକ ଆବଶ୍ୟକ ହେବେ, ସେ ସମ୍ପର୍କରେ କିଛି କୁହାଯାଇନାହିଁ।

କ୍ୟୁବାକୁ ନେଇ ଆମେରିକାର ସାମରିକ ଚାପ ବଢ଼ୁଥିବା ମଧ୍ୟରେ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସ୍ତୁତିର ଖବର ଆସିଥିଲା। ସିବିଏସ୍ ନ୍ୟୁଜ୍ ଅନୁସାରେ, ଆମେରିକୀୟ ସେନା କ୍ୟୁବାର ସମୁଦ୍ରତଳ ଏବଂ ସାମୁଦ୍ରିକ ପ୍ରବେଶପଥ ନିକଟରେ ରେକି ଅପରେସନ୍ କରିଥିଲା। ଏହାସହ ଆମେରିକୀୟ ଏୟାରପାୱାର୍କୁ ହାଇ ଆଲର୍ଟରେ ରଖାଯାଇଥିବା ଏବଂ ସମ୍ଭାବ୍ୟ ମୁତୟନ ପାଇଁ କିଛି କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଥିବା ରିପୋର୍ଟ ମଧ୍ୟ ଆସିଥିଲା।

ଜୁଲାଇରେ ମଧ୍ୟ ସିବିଏସ୍ ରିପୋର୍ଟ କରିଥିଲା ଯେ, ଆମେରିକୀୟ ସାମରିକ ଯୋଜନାକାରୀମାନେ କ୍ୟୁବା ବିରୋଧରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର କିଛି ବିକଳ୍ପ ଉପରେ ବିଚାର କରିଥିଲେ। ସେଥିରେ ହଜାର ହଜାର ଆମେରିକୀୟ ସୈନ୍ୟଙ୍କୁ ସାମିଲ କରି ଆର୍ମି ନେତୃତ୍ୱାଧୀନ ଏୟାର ଆସଲ୍ଟ ମଧ୍ୟ ଏକ ବିକଳ୍ପ ଥିବା କୁହାଯାଇଥିଲା।

Also Read- ଇରାନର ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସରିଲେ ପୁଣି ବୋମା ବର୍ଷାଇବ ଆମେରିକା: ରିପୋର୍ଟ

ଏପଟେ ଟ୍ରମ୍ପ ପ୍ରଶାସନ କ୍ୟୁବା ଉପରେ ଆର୍ଥିକ ଓ ରାଜନୈତିକ ଚାପ ବଢ଼ାଇବା ସହ ହାଭାନାରେ ରାଜନୈତିକ ପରିବର୍ତ୍ତନ ପାଇଁ ଚାପ ପକାଉଛି। କ୍ୟୁବାର ଅଧିକାରୀ ଓ ସଂସ୍ଥାଗୁଡ଼ିକ ଉପରେ ଆମେରିକା ପକ୍ଷରୁ ନୂଆ କଟକଣା ମଧ୍ୟ ଜାରି ରହିଛି।

ସେପ୍ଟେମ୍ବର ୧୭ରେ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ୧୧ଟି କ୍ୟୁବାନ୍ ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ କଟକଣା ଘୋଷଣା କରିଥିଲା। ଏଥିରେ କ୍ୟୁବାର ନିକେଲ୍ ଶିଳ୍ପ ସହ ଜଡ଼ିତ ସରକାରୀ ସଂସ୍ଥା ଏବଂ ଗବେଷଣା, ଅସ୍ତ୍ର ପ୍ରଣାଳୀ ଓ ନୌସେନା କ୍ଷମତା ସହ ଜଡ଼ିତ ସାମରିକ ସଂଗଠନ ସାମିଲ ଥିଲେ।

ଏହି ଚାପର ପ୍ରଭାବ କ୍ୟୁବାର ଇନ୍ଧନ ଯୋଗାଣ ଉପରେ ମଧ୍ୟ ପଡ଼ିଥିବା ରଏଟର୍ସ ରିପୋର୍ଟ କରିଛି। କ୍ୟୁବାର ବିଦେଶ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ୍ କହିଥିଲେ ଯେ, ଆମେରିକୀୟ ପଦକ୍ଷେପ ଇନ୍ଧନ ଯୋଗାଣକୁ ଗୁରୁତର ଭାବେ ପ୍ରଭାବିତ କରିଛି ଏବଂ ଦୀର୍ଘ ସମୟର ବିଦ୍ୟୁତ୍ ବିଭ୍ରାଟକୁ ବଢ଼ାଇଛି। ହାଭାନା କହିଛି ଯେ ୱାଶିଂଟନ୍ ସହ କୌଣସି ଆଲୋଚନା ଚାଲି ନାହିଁ, ତଥାପି ଯୋଗାଯୋଗ ଜାରି ରଖିବାକୁ କ୍ୟୁବା ପ୍ରସ୍ତୁତ ଅଛି।