ଭୁବନେଶ୍ୱର ୨୩।୦୫ : କମିଶନରେଟ୍‌ ପୋଲିସ କବ୍‌ଜାରେ ବାଇକ ଚୋର ଗ୍ୟାଙ୍ଗ । ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ । ୧୫ଟି ଗାଡ଼ି ଜବତ ସହ ୩ ଜଣ ବାଇକ ଚୋରଙ୍କୁ ବାନ୍ଧିଛି ପୋଲିସ ।

ଖବର ଅନୁଯାୟୀ, ବାଇକ ଚୋରି ରାକେଟ୍‌ର ଉସ୍ତାଦ ଥିଲେ ଗ୍ୟାଙ୍ଗ । ଦିନ ଦ୍ୱିପହରରେ ଘୁରି ବୁଲନ୍ତି । ଆଉ ସୁବିଧା ଦେଖି ବାଇକ ଚୋରି କରି ଚମ୍ପଟ ମାରନ୍ତି । ଏମିତି କି ପୋଲିସ କର୍ମଚାରୀଙ୍କୁ ବି ଛାଡ଼ିନଥିଲେ ଚୋର । କିଛି ପୋଲିସ କର୍ମଚାରୀଙ୍କ ବାଇକୁ ନେଇ ଛୁ ମାରିଥିଲେ । ରାଜଧାନୀରୁ ଆଖି ପିଛୁଳାକେ ବାଇକ ସବୁ କରୁଥିଲେ ଗାଏବ । ଏହାପରେ ବାହାର ରାଜ୍ୟର ନମ୍ବର ପ୍ଲେଟ୍‌ ବଦଳାଇ ବିକ୍ରି କରୁଥିଲେ । ଏପିରିକି ବାଇକ୍‌ରେ ନୂଆ ପଞ୍ଚିଂ କରି ଇଞ୍ଜିନ ନମ୍ବର ମଧ୍ୟ ବଦଳାଉଥିଲେ । ପରେ ନକଲି ଆରସି ବୁକ୍‌ ଏବଂ ସ୍କାର୍ଡ କାର୍ଡ କରି ଲୋକଙ୍କୁ ବିକ୍ରି କରୁଥିଲେ ।

Also Read:-ଟ୍ରାକ୍ଟରରେ Handcuff ପକାଇଲା ପୋଲିସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ତେବେ ବାଇକ ଚୋରି ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଥିଲା କମିଶନରେଟ୍‌ ପୋଲିସ। ଶେଷରେ ବାଇକ ଚୋର ଗ୍ୟାଙ୍ଗକୁ ଧରିଛି ପୋଲିସ। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ୧୫ରୁ ଅଧିକ ବାଇକ୍‌ ଜବତ କରିଛି ପୋଲିସ। ଏହାସହ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।