ଉଦଳା ୨୩।୫: ଟ୍ରାକ୍ଟରରେ ପଡିଲା ହାତକଡ଼ି । ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ କଥାଟା ସତ । ଅପରାଧୀଙ୍କ ହାତରେ ପଡ଼ୁଥିବା ହାତକଡ଼ି ଟ୍ରାକ୍ଟରରେ ପଡ଼ିଥିବା ଦେଖିବାକୁ ମିଳିଛି । ତାହା ପୁଣି ଖୋଦ୍ ପୋଲିସ ଷ୍ଟେସନ ଆଗରେ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

କାହିଁକି ପଡ଼ିଲା ଟ୍ରାକ୍ଟରରେ ହାତକଡ଼ି ?

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡି ପୋଲିସ ଦ୍ବାରା ଜବତ ହୋଇଥିବା ଟ୍ରାକ୍ଟରରେ ପୋଲିସ ପକାଇଛି ହାତକଡ଼ି । ମାଫିଆଙ୍କ କବଳରୁ ଟ୍ରାକ୍ଟରଟିକୁ ବଞ୍ଚାଇବା ପାଇଁ ଏମିତି ଉପାୟ କରିଛି ପୋଲିସ । ଫାଣ୍ଡି ଆଗରେ ଜବତ ଟ୍ରାକ୍ଟରକୁ ରଖି ସେଥିରେ ପୋଲିସ ହାତକଡ଼ି ପକାଇଛି ।

Also Read:- ଭଉଣୀ-ଭିଣୋଇଙ୍କ କଳି, ଛୁରା ମାଡ଼ରେ ଶଳା ଗୁରୁତର

ଟ୍ରାକ୍ଟରରେ ଚାଲିଥିଲା ବାଲି ଚାଲାଣ

ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ପାଚେରୀ ନଥିବାରୁ ଜବତ ଟ୍ରାକ୍ଟରଟିକୁ ମାଫିଆମାନେ ନେଇଯିବାର ସନ୍ଦେହ କରିଥିଲା ପୋଲିସ । ଯାହା ଫଳରେ ଜବତ ଟ୍ରାକ୍ଟରର ଷ୍ଟିୟରିଂରେ ହାତକଡ଼ି ପକାଇଥିଲା ପୋଲିସ ।

ତେବେ ଏମିତି ଘଟଣା ମାଫିଆଙ୍କ ଦବଦବା ଏବଂ ପୋଲିସର ଅସହାୟତାକୁ ପଦାରେ ପକାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Watch Video: