ନୂଆଦିଲ୍ଲୀ: ଉତ୍ସବ ପାଳନ କାଳରେ ହୋଇଥିବା ଫାୟରିଂ ମାମଲାରେ ବିଜେପି ବିଧାୟକ ରାଜୁ କୁମାର ସିଂହଙ୍କୁ ଦିଲ୍ଲୀର ଏକ କୋର୍ଟ ୪ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। କୋର୍ଟଙ୍କ ଏହି ଆଦେଶ ସହିତ ବିହାର ବିଧାନସଭାରେ ବିଧାୟକଙ୍କ ପଦ ସମାପ୍ତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜନପ୍ରତିନିଧିତ୍ୱ ଅଧିନିୟମ ଅନୁସାରେ ଯଦି କୌଣସି ସାଂସଦ ଅଥବା ବିଧାୟକଙ୍କୁ ଅପରାଧିକ ମାମଲାରେ ୨ ବର୍ଷ ବା ଏହାଠୁ ଅଧିକ ସମୟ ଦଣ୍ଡାଦେଶ ଦୁଏ ତେବେ ଦୋଷୀ ସାବ୍ୟସ୍ତ ହେବା ଦିନଠାରୁ ସେ ସଦନ ସଦସ୍ୟ ହେବାକୁ ଅଯୋଗ୍ୟ ହୋଇଥାନ୍ତି।

ରାଜୁ କୁମାର ସିଂହଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଆଇପିସିର ଧାରା ୩୦୪ ଭାଗ-୨ଓ ଆର୍ମସ୍ ଆକ୍ଟରେ ଦୋଷୀ ସାବ୍ୟସ୍ତ କରି ପୀଡ଼ିତ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମସିହାରେ ହର୍ଷ ଫାୟରିଂ କାଳରେ ଡା.ଅର୍ଚ୍ଚନା ଗୁପ୍ତା ନାମ୍ନୀ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଥିଲା। କୋର୍ଟ ରାଜୁଙ୍କୁ ବିନା ଉଦ୍ଦେଶ୍ୟରେ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜୁ କୁମାର ସିଂହ ବିହାର ସାହିବଗଞ୍ଜରୁ ବିଜେପିର ବିଧାୟକ ଅଛନ୍ତି। ରାଜୁ କୁମାର ସିଂହ ୨୦୦୫ ମସିହାରୁ ଏ ପର୍ଯ୍ୟନ୍ତ ଅନେକବାର ବିହାର ବିଧାନସଭାକୁ ନିର୍ବାଚିତ ହେଲେଣି। ଏହି ସମୟରେ ସେ ଲୋକ ଜନଶକ୍ତି ପାର୍ଟି, ଜେଡିୟୁ, ଭିଆଇପି ଓ ପରେ ବିଜେପି ଟିକେଟରେ ମଧ୍ୟ ନିର୍ବାଚନ ଜିତିଛନ୍ତି। ଅତୀତରେ ସେ ବିହାର ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ଥିଲେ।

ମାମଲାର ଶୁଣାଣିରେ କୋର୍ଟ କହିଛନ୍ତି ଯେ ଦେଶରେ ହର୍ଷ ଫାୟରିଂ ଏବେ ସାମାଜିକ ସମସ୍ୟାରେ ପରିଣତ ହୋଇଛି। ଏହି କାରଣରୁ ରାଜୁଙ୍କ ବେପରୁଆ ଗୁଳି ଚାଳନା ଯୋଗୁ ୩୧ ଡିସେମ୍ବର ୨୦୧୮ ଓ ୧ଜାନୁୟାରୀ ୨୦୧୯ ମଧ୍ୟରାତ୍ରରେ ଅନୁଷ୍ଠିତ ନ୍ୟୁ ଇୟର ପାର୍ଟିରେ ଅର୍ଚ୍ଚନା ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ଯାଞ୍ଚ ସମୟରେ ରାଜୁଙ୍କ ନିକଟରୁ ଅସ୍ତ୍ର ଓ ଗୁଳି ବାରୁଦ ମଧ୍ୟ ଜବତ ହୋଇଥିଲା। ମାମଲା ଶୁଣାଣିରେ ଅଭିଯୋଜନ ପକ୍ଷ କହିଛନ୍ତି ଯେ ଏହା ଏକ ଏପରି ମାମଲା ଯେଉଁଥିରେ ଆଇନର ନିର୍ମାତା ନିଜେ ଆଇନ ଭଙ୍ଗ କରିଛନ୍ତି।