ନୂଆଦିଲ୍ଲୀ ୨।୧: ଭାରତରେ ଦ୍ରୁତ ବିକଶିତ ହେଉଥିବା ଗିଗ୍ ଇକୋନମୀ ସମ୍ପର୍କିତ ଲକ୍ଷଲକ୍ଷ ୱାର୍କର୍ସଙ୍କ ନିମନ୍ତେ ବଡ଼ ଖବର ଆସିଛି। ସ୍ୱିଗି, ଜମାଟୋ, ବ୍ଲିଙ୍କିଟ ଭଳି ଫୁଡ ଡେଲିଭରି ପ୍ଲାଟଫର୍ମ ଓ କ୍ୟାବ୍ ଏଗ୍ରିଗେଟର୍ସ ସମ୍ପର୍କିତ ଡେଲିଭରି ବୟ ଓ ଡ୍ରାଇଭରଙ୍କୁ ଏବେ ସରକାରୀ କର୍ମଚାରୀଙ୍କ ଭଳି ସୁବିଧା ଓ ସୁଯୋଗ ମିଳିବ। କେନ୍ଦ୍ର ସରକାର ସୋସିଆଲ ସିକ୍ୟୁରିଟି କୋଡ ଅନ୍ତର୍ଗତ ଗିଗ୍ ୱାର୍କର୍ସଙ୍କ ଲାଗି ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ୱାର୍କରଙ୍କୁ ପେନସନ, ବୀମା ଓ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ କରିବା।

ଦେଶରେ ଏ ପର୍ଯ୍ୟନ୍ତ ଗିଗ୍ ୱାର୍କର୍ସଙ୍କୁ ଅସଙ୍ଗଠିତ କ୍ଷେତ୍ରର ଅଂଶ ମନେ କରାଯାଉଥିଲା। ଏଥିରେ ନା ତ ସେମାନଙ୍କ ସ୍ଥାୟୀ ଚାକିରୀର ଗ୍ୟାରେଣ୍ଟି ଥିଲା ନା ସାମାଜିକ ସୁରକ୍ଷା। ହେଲେ ନୂଆ ନିୟମ ଲାଗୁ ହେବା ପରେ ଏହି ଛବି ସମ୍ପୂର୍ଣ୍ଣ ବଦଳି ଯିବ। ଡିଜିଟାଲ ପ୍ଲାଟଫର୍ମରେ କାମ କରୁଥିବା ୱାର୍କର୍ସ ମଧ୍ୟ ଦେଶରେ ଇକୋନମୀର ମେରୁଦଣ୍ଡ ବୋଲି ସରକାର ଅନୁଭବ କରୁଛନ୍ତି, ଏଣୁ ସେମାନଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ମିଳିବା ଉଚିତ ବୋଲି କହିଛନ୍ତି। ଡ୍ରାଫ୍ଟ ନିୟମ ଅନୁସାରେ ୧୬ ବର୍ଷରୁ ଅଧିକ ବୟଷ୍କ ସବୁ ଗିଗ୍ ୱାର୍କର୍ସଙ୍କୁ ସରକାରୀ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ଅନିବାର୍ଯ୍ୟ ହେବ।

ଏହି ରେଜିଷ୍ଟ୍ରେସନକୁ ଆଧାରକାର୍ଡ ସହ ଲିଂକ କରାଯିବ ଏବଂ ୱାର୍କରର ସମ୍ପୂର୍ଣ୍ଣ ଡାଟା ଇ-ଶ୍ରମ ପୋର୍ଟାଲରେ ରେକର୍ଡ ହେବ। ଯେପରି କର୍ମଚାରୀଙ୍କୁ ପିଏଫର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ମିଳୁଛି ସେହିପରି ଗିଗ୍ ୱାର୍କରଙ୍କୁ ମଧ୍ୟ ସ୍ଥାୟୀ ଓ ୟୁନିକ୍ ପରିଚୟ ନମ୍ବର ମିଳିବ। ଏହା ସହିତ ସବୁ ପଞ୍ଜିକୃତ ୱାର୍କରଙ୍କୁ ଏକ ଡିଜିଟାଲ ଆଇଡେଣ୍ଟିଟି କାର୍ଡ ମଧ୍ୟ ମିଳିବ, ଯାହା ପୁରା ଦେଶରେ ତାଙ୍କର ପରିଚୟ ଓ ପାତ୍ରତାର ପ୍ରମାଣ ହେବ।

ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ସାମାଜିକ ସୁରକ୍ଷା ଲାଭ ପାଇବା ପାଇଁ ୱାର୍କରଙ୍କୁ ସର୍ବ ନିମ୍ନ କାମ କରିବାକୁ ପଡିବ। ଯଦି କୌଣସି ଗିଗ୍ ୱାର୍କର ଗୋଟିଏ କମ୍ପାନୀ (ଏଗ୍ରିଗେଟର) ସହିତ କାମ କରୁଛନ୍ତି ତେବେ ସେମାନଙ୍କୁ ବାର୍ଷିକ ୯୦ ଦିନ ସେହି ପ୍ଲାଟଫର୍ମରେ କାମ କରିବାକୁ ହେବ। ସେହିପରି ଯେଉଁ ୱାର୍କର ଏକରୁ ଅଧିକ ପ୍ଲାଟଫର୍ମ ଲାଗି କାମ କରୁଛନ୍ତି ତେବେ ସେମାନଙ୍କ ଲାଗି ଏହି ସମୟ ସୀମା ୧୨୦ ଦିନ ଧାର୍ଯ୍ୟ କରାଯାଇଛି। ଏଥିରେ ସବୁଠୁ ମଜାଦାର କଥା ହେଉଛି ଯଦି କୌଣସି ୱାର୍କର ଗୋଟିଏ ଦିନରେ ୩ ଅଲଗା ଅଲଗା କମ୍ପାନୀ ଲାଗି କାମ କରୁଛନ୍ତି ତେବେ ଏହାକୁ ୩ ଦିନ ଗଣାଯିବ। ଏପରି ମଲ୍ଟି ପ୍ଲାଟଫର୍ମରେ ୱାର୍କର୍ସଙ୍କ ଲାଗି ପାତ୍ରତା ପୂରଣ କରିବା ଶରଳ ହୋଇଯିବ।

ନୂଆ ନିୟମରେ କେବଳ ୱାର୍କର୍ସ ନୁହନ୍ତି କମ୍ପାନୀ ଅର୍ଥାତ ଏଗ୍ରିଗେଟରଙ୍କ ଉପରେ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସ୍ୱିଗି, ଜମାଟୋ, ଉବେର ଏବଂ ଓଲା ଭଳି କମ୍ପାନୀଙ୍କୁ ସେମାନଙ୍କ ସହିତ କାମ କରୁଥିବା ୱାର୍କରଙ୍କ ବିବରଣୀ ସରକାରୀ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ। ଏଥିରେ ସେହି ୱାର୍କର୍ସ ମଧ୍ୟ ସାମିଲ ହେବେ ଯେଉଁମାନେ କୌଣସି ଥାର୍ଡ ପାର୍ଟି ଏଜେନ୍ସୀ ଅଥବା ସହଯୋଗୀ କମ୍ପାନୀ ମାଧ୍ୟମରେ କାମ କରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ଗିଗ ୱାର୍କରଙ୍କୁ ସେହି ସବୁ ସୁବିଧା ପ୍ରଦାନ କରିବା ଯାହା ଏପର୍ଯ୍ୟନ୍ତ ସଙ୍ଗଠିତ କ୍ଷେତ୍ରର କର୍ମଚାରୀ ମିଳୁଛି।

ଏଥିରେ ଗିଗ୍ ୱାର୍କରଙ୍କୁ ନିଶୁଳ୍କ ଓ ରିହାତୀ ଦରରେ ହେଲଥ୍ ଓ ଲାଇଫ ଇନସ୍ୟୁରାନ୍ସ ମିଳିବ। କାମ କରିବା ସମୟରେ ଦୁର୍ଘଟଣା ଘଟିଲେ ବ୍ୟକ୍ତିକୁ ଦୁର୍ଘଟଣା କଭର ଦିଆଯିବ। ଶ୍ରମ ମନ୍ତ୍ରାଳୟ ଗିଗ୍ ୱାର୍କର୍ସଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡିବାକୁ କାମ କରୁଛନ୍ତି। ଏହାଦ୍ୱାରା ସେମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ମିଳି ପାରିବ। ଭବିଷ୍ୟତରେ ଏପରି ଯୋଜନା ଉପରେ କାମ କରାଯାଉଛି ଯେଉଁଥିରେ ୱାର୍କର ଓ କମ୍ପାନୀ ଉଭୟ ଯୋଗଦାନ ଦେବେ ଓ ରିଟାୟରମେଣ୍ଟ ପରେ ୱାର୍କରକୁ ନିୟମିତ ପେନସନ୍ ମିଳିବ।

ଡ୍ରାଫ୍ଟ ନିୟମ ଅନୁସାରେ କୌଣସି ଗିଗ୍ ୱାର୍କର ୬୦ ବର୍ଷ ବୟସରେ ପଦାର୍ପଣ କଲେ ସେ ଏହି ସାମାଜିକ ସୁରକ୍ଷା ନିୟମ ଲାଗି ଅଯୋଗ୍ୟ ହେବେ। ଏହା ଛଡା ସବୁ ବର୍ଷ ନ୍ୟୁନତମ କର୍ମ ଦିବସ ସର୍ତ୍ତ ପୂରଣ କରିବା ଆବଶ୍ୟକ ହେବ। ଯଦି କୌଣସି ଆର୍ଥିକ ବର୍ଷରେ କର୍ମଚାରୀ ଏହି ସର୍ତ୍ତ ପାଳନ କରି ନ ପାରନ୍ତି ତେବେ ଆଗାମୀ ବର୍ଷ ୱାର୍କର ଏହି ସୁବିଧାରୁ ବଞ୍ଚିତ ହୋଇ ପାରନ୍ତି। ଏହି ସବୁ ଯୋଜନା ଉପରେ ନଜର ରଖିବାକୁ ଓ କାର୍ଯ୍ୟାନ୍ୱୟନ କରିବାକୁ ‘ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ’ ଗଠନ ପାଇଁ ପ୍ରସ୍ତାବ ରହିଛି। ଏହି ବୋର୍ଡରେ ସରକାର, ଶ୍ରମିକ ସଙ୍ଗଠନ ଓ କମ୍ପାନୀ ପ୍ରତିନିଧିଙ୍କୁ ସାମିଲ କରାଯିବ। ବୋର୍ଡର କାମ କେବଳ ନୀତି ପ୍ରଣୟନ କରିବା ନୁହେଁ ବରଂ ଗିଗ୍ ୱାର୍କରଙ୍କ ବାସ୍ତବିକ ସଂଖ୍ୟାର ଆକଳନ କରିବା ଓ ପରିବର୍ତ୍ତିତ ଅର୍ଥ ବ୍ୟବସ୍ଥା ଅନୁସାରେ ନୂଆ କଲ୍ୟାଣକାରୀ ଯୋଜନା ପରାମର୍ଶ ମଧ୍ୟ ଦେବେ। ମୋଟ ଉପରେ ଭାରତରେ କୋଟିକୋଟି ଗିଗ୍ ୱାର୍କରଙ୍କ ଲାଗି ୨୦୨୬ର ଏହା ସବୁଠୁ ଐତିହାସିକ ପଦକ୍ଷେପ ମନେ କରାଯାଉଛି।