ଭୁବନେଶ୍ୱର ୧୨।୧୧ : ଜମି ଜାଲିଆତି ମାମଲାରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ, ଦୁଇ ରାଜସ୍ୱ କର୍ମଚାରୀ ନିଲମ୍ବିତ। ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି ପଞ୍ଜିକରଣକୁ ନେଇ ଜାଲିଆତି ଅଭିଯୋଗ ପରେ ଏଭଳି କଡ଼ା ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ଏହି ମାମଲାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପ୍ରୟାଗ ଗୌଡ଼ଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗରେ ତାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ସେ ଏକ ଠିକା ସଂସ୍ଥା ଜରିଆରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପରାମର୍ଶକ୍ରମେ ସମ୍ପୃକ୍ତ ଠିକା ସଂସ୍ଥାକୁ ତାଙ୍କୁ ବହିଷ୍କାର କରିବାକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି।

Also Read:-ବନ୍ୟାରେ ଉଜୁଡ଼ିଲା ପିଲାଙ୍କ ପାଠପଢ଼ା, ପାଣିରେ ଭିଜିଗଲା ବହି ଓ ବସ୍ତାନି

ସେହିପରି ଏହି ଜାଲିଆତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ କନିଷ୍ଠ ରାଜସ୍ୱ ସହାୟକ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧିରେ ଉଭୟ କର୍ମଚାରୀ ଖୋର୍ଦ୍ଧା ଡେପୁଟି କଲେକ୍ଟର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ। ଏଥିସହ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲା ନିବନ୍ଧକଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜମି ପଞ୍ଜିକରଣ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟରେ ଜାଲିଆତି ଅଭିଯୋଗ ପରେ ତିନି ଜଣଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।