ପୁରୁଷୋତ୍ତମପୁର ୧୨।୧୧ : ବନ୍ୟା ଭିଜାଇଦେଲା ବହି ବସ୍ତାନି । ବଢି ପାଣିରେ ବୁଡ଼ିଗଲା ସ୍ଵପ୍ନ । ବତୁରା ବହିରେ ମଉଳି ଯାଇଛି ଆଶା । ଭିଜା ବହିକୁ ଦାଣ୍ଡରେ ଶୁଖାଇ ପୁଣି ଥରେ ସ୍ଵପ୍ନ ସାଉଁଟୁଛନ୍ତି କୁନି ବିଦ୍ୟାର୍ଥୀ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ନଦୀପଦର ସାହିର । କିଏ ବହିର ମଲାଟ ଓଲଟାଇ ଶୁଖାଉଛି ତ ଆଉ କିଏ ବତୁରା ନୋଟ୍ ରୁ ଲିଭି ଯାଇଥିବା ଅକ୍ଷର ଖୋଜୁଛି । ଆଉ ୨ ମାସ ପରେ ପରୀକ୍ଷା । ପଢିବୁ କେମିତି ? ସରକାର ସିନା ବହି ଦେଇଦେବେ ହେଲେ ରାତି ଦିନ ଏକାଠି କରି ଯେଉଁ ନୋଟ୍ ଲେଖିଥିଲୁ ତାକୁ କିଏ ଦିବ ? ବାଷ୍ପରୁଦ୍ଧ କଣ୍ଠରେ ଏମିତି କିଛି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।

Also Read:-୭ କୋଟି ଦିଅ ନଚେତ୍ ମାରି ଦେବୁ; କେଜ୍ରିଓ୍ଵାଲ ଓ ତାଙ୍କ ଝିଅକୁ ମିଳିଲା ହତ୍ୟା ଧମକ

ଗଞ୍ଜାମରେ ବନ୍ୟା ପାଣି ଛାଡ଼ି ଯାଇଛି ସତ, ହେଲେ ପଛରେ ଛାଡ଼ିଯାଇଛି ଦୁର୍ଦ୍ଦଶା । ବାତ୍ୟା ଅର୍ଣ୍ଣବ ଯିବା ପରେ ବନ୍ୟା ପାଣି ମାଡ଼ି ଆସିଲା । ଘର ବୁଡ଼ିଗଲା । ପ୍ରାଣ ବିକଳରେ ଯିଏ ଯୁଆଡ଼େ ସୁରକ୍ଷିତ ସ୍ଥାନକୁ ଚାଲିଗଲେ । ହେଲେ ଘର ଭିତରେ ଥିବା ଆସବାବପତ୍ର, ପିଲାଙ୍କ ବହି ଖାତା ସବୁକିଛି ବୁଡ଼ିଗଲା । ମୁଣ୍ଡ ଉପରୁ ଛାତ ଚାଲିଗଲା । ପାଣି ଛାଡ଼ିବା ପରେ ଆସି ଦେଖନ୍ତି ତ ବଢି ପାଣିରେ ସବୁକିଛି ବତୁରି ଯାଇଛି । ବହି ଖାତାରୁ ଅକ୍ଷର ଲିଭି ଯାଇଛି । ଏବେ ସେହି ନଷ୍ଟ ହୋଇଯାଇଥିବା ବହି ଭିତରୁ ନିଜ ଭବିଷ୍ୟତ ଖୋଜୁଛନ୍ତି ଏହି କୋମଳମତି ଛାତ୍ରଛାତ୍ରୀ । ଏନେଇ ବ୍ଲକ୍ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଦିଆଯାଇଛି । ଉତ୍ତର ଆସିବା କ୍ଷଣି ପିଲାଙ୍କୁ ପୁଣି ଥରେ ବହି ବଣ୍ଟନ କରାଯିବ ।