ନୂଆଦିଲ୍ଲୀ: ବିଶିଷ୍ଟ ବିଜ୍ଞାନୀ ତଥା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରାପ୍ତ ପ୍ରଫେସର ସି.ଏନ୍.ଆର. ରାଓଙ୍କୁ ନୋଟିସ୍। କର୍ଣ୍ଣାଟକରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା ସମୟରେ ତାଙ୍କ ନାମର ବାନାନରେ ତ୍ରୁଟି ଦେଖାଯିବାରୁ, ନିଜର ପରିଚୟ ପ୍ରମାଣିତ କରିବା ପାଇଁ ତାଙ୍କୁ ହାଜର ହେବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ପୁରୁଣା ଭୋଟର ତାଲିକାରେ ତାଙ୍କ ନାମ ‘Prof CNR Rao’ ଲେଖାଯାଇଥିବା ବେଳେ ବର୍ତ୍ତମାନର ତାଲିକାରେ ‘Prof’ ସ୍ଥାନରେ ଭୁଲବଶତଃ ଗୋଟିଏ ଅତିରିକ୍ତ ‘f’ ଯୋଡ଼ି ହୋଇ ‘Proff CNR Rao’ ହୋଇଯାଇଛି। ଏହି ବାନାନ ଅସଙ୍ଗତି ପାଇଁ ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ପଠାଯାଇଛି। ନିୟମ ଅନୁସାରେ ଯାହା ନାମରେ ନୋଟିସ୍ ଜାରି ହୋଇଥାଏ, ସେହି ବ୍ୟକ୍ତିଙ୍କୁ ନିଜେ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ପଡ଼ିଥାଏ। ଏଥିପାଇଁ ୯୨ ବର୍ଷୀୟ ଏହି ବରିଷ୍ଠ ବିଜ୍ଞାନୀଙ୍କୁ ବେଙ୍ଗାଲୁରୁର ମଲ୍ଲେଶ୍ୱରମ୍ ଅଞ୍ଚଳରେ ହେବାକୁ ଥିବା ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read: ମାଜିଷ୍ଟ୍ରେଟଙ୍କ ସାହାସ କେମିତି ହେଲା, ଛାତ୍ରଙ୍କୁ ୫ ଲକ୍ଷର ନୋଟିସ୍ ଦେଖି କ୍ଷୁବ୍ଧ ପ୍ରଧାନ ବିଚାରପତି

ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ରାଓ କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱର ବିଜ୍ଞାନ ଜଗତରେ ଏକ ଜଣାଶୁଣା ନାମ। ‘ସୋଲିଡ୍-ଷ୍ଟେଟ୍ ଆଣ୍ଡ୍ ଷ୍ଟ୍ରକଚରାଲ୍ କେମିଷ୍ଟ୍ରି’ କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ ରହିଛି। ଭାରତର ବୈଜ୍ଞାନିକ ନୀତି ନିର୍ଦ୍ଧାରଣରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜୀବ ଗାନ୍ଧୀ, ଏଚ.ଡି. ଦେବଗୌଡ଼ା, ଆଇ.କେ. ଗୁଜରାଲ ଓ ମନମୋହନ ସିଂହଙ୍କ ଭଳି ଚାରିଜଣ ପ୍ରଧାନମନ୍ତ୍ରୀଙ୍କ କାଳରେ ବୈଜ୍ଞାନିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ସେ ପ୍ରସିଦ୍ଧ ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ’ (IISc) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ଜବାହରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସଡ ସାଇଣ୍ଟିଫିକ୍ ରିସର୍ଚ୍ଚ (JNCASR) ର ପ୍ରତିଷ୍ଠାତା ସଭାପତି ଥିଲେ। ଭାରତ ରତ୍ନ ବ୍ୟତୀତ ତାଙ୍କୁ ପଦ୍ମଶ୍ରୀ, ପଦ୍ମବିଭୂଷଣ ଏବଂ କର୍ଣ୍ଣାଟକ ରତ୍ନ ଭଳି ଅନେକ ପ୍ରମୁଖ ସମ୍ମାନରେ ସମ୍ମାନିତ କରାଯାଇଛି। ଏତେ ବଡ଼ ବୈଜ୍ଞାନିକଙ୍କ ନାମରେ ଏପରି ସାମାନ୍ୟ କ୍ଲେରିକାଲ୍ ତ୍ରୁଟି ଯୋଗୁଁ ନୋଟିସ୍ ଯିବା ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି।

Also Read: ଚେକ୍ ବାଉନ୍ସ ମାମଲାରେ ରାଜପାଲ ଓ ପତ୍ନୀ ରାଧାଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ, କହିଲେ-ତୁରନ୍ତ ଟଙ୍କା ଜମା କର