ଭଞ୍ଜନଗର ୨୩।୪: ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଅପହରଣ ପରେ ହତ୍ୟା ସନ୍ଦେହ । ସୁଧୀର ଓ ତାଙ୍କ ନିଜ ପୁତୁରା ଓ ଝିଆରୀଙ୍କ ମଧ୍ୟରେ ଘରର ସମ୍ପତ୍ତି ନେଇ ବିବାଦ ଲାଗି ରହିଥିଲା । ପୁତୁରା ଓ ଝିଆରୀ ମିଶି କିଛି ସୁପାରୀ କିଲରଙ୍କ ଜରିଆରେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ପରେ ସୁଧୀରଙ୍କ ସ୍ତ୍ରୀକୁ ଫୋନ୍ରେ ଭିଡିଓ କଲ୍ ଦ୍ୱାରା ସୁଧୀରଙ୍କୁ ଅପହରଣ ହୋଇଛି ଛାଡିବା ପାଇଁ ୨ କୋଟି ମଗାଯାଇଥିଲା । ଏପରିକି ସୁଧୀରଙ୍କୁ କିପରି ପିଟା ଯାଉଛି, ମୁଣ୍ଡରେ ବନ୍ଧୁକ ରଖାଯିବା ସହ ବ୍ଲାଙ୍କ୍ ଫାୟାରିଂ ମଧ୍ୟ କରିବାର ଭିଡିଓ ସ୍ତ୍ରୀଙ୍କୁ ପଠାଇଥିଲେ । ଏପରିକି କେଉଁଠିକୁ ଟଙ୍କା ଧରି ଆସିବ କୁହାଯାଇଥିଲା । ସ୍ତ୍ରୀ କିଛି ସୁନା ଓ ଟଙ୍କା ଧରି ଆସିକା ଯାଇଥିଲେ ବି ଅପହରଣକାରୀ ଆସିନଥିଲେ । ସେମାନେ ଜାଣି ପାରିଥିଲେ ସୁଧୀରଙ୍କ ସ୍ତ୍ରୀଙ୍କୁ ପୋଲିସ ପିଛା କରୁଛି । ଏହାପରେ ଅପହରଣକାରୀଙ୍କର ଆଉ ପରିବାର ସହ ଯୋଗାଯୋଗ ହୋଇନଥିଲା ।

Also Read:- ଖୋଜି ଖୋଜି ପାଇଲାନି ପୋଲିସ, ଜୀବନରୁ ମାରିଦେଲେ କିଡ୍ନାପର୍...ଅପହୃତ ବ୍ୟବସାୟୀ ନିଖୋଜର ନୂଆ ଟ୍ୱିଷ୍ଟ

ତେବେ ବୁଧବାର ସୋରଡ଼ା ଜଙ୍ଗଲରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା, ତାହା ସୁଧୀରଙ୍କର ବୋଲି ଚିହ୍ନଟ ହୋଇଥିଲା । ତେବେ ବ୍ରହ୍ମପୁର ପୋଲିସ ଏହି ଘଟଣାରେ ୭ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି । ପୋଲିସ ସୁଧୀରଙ୍କ ପୁତୁରା ଓ ଝିଆରୀ ସମେତ ୮ରୁ ୧୦ଜଣଙ୍କୁ ଅଟକ ରଖି ଜେରା କରୁଛି । ପୁତୁରା ଓ ଝିଆରୀ ଫୋନ୍ରେ କାହା ସହ କଥା ହେଉଛନ୍ତି ତାହା ଯାଞ୍ଚ କରୁଛନ୍ତି । ଖୁବ୍ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରିବ ପୋଲିସ ।

ସୁଧୀର ଓ ସୁଧୀରଙ୍କ ଭାଇ ଉଭୟ ଜମି ବ୍ୟବସାୟୀ କରନ୍ତି । କିଛି ମାସ ପୂର୍ବରୁ ସୁଧୀରଙ୍କ ଭାଇଙ୍କର ଦେହାନ୍ତ ହୋଇଥିଲା । କୌଣସି ଏକ ଜମି କାରବାରକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ତେଣୁ ଝିଆରୀ ଓ ପୁତୁରା ମିଶି କିଛି ସୁପାର କିଲରଙ୍କ ଜରିଆରେ ଏହି ଘଟଣା ଘଟାଇଥାଇ ପାରିଥାନ୍ତି ବୋଲି ଅନୁମାନ କରାଯାଉଛି । ଏବେ କି କିଛି ବ୍ୟକ୍ତିଙ୍କୁ ଗୋପାଳପୁର ଥାନାରେ ଅଟକ ରଖି ପୋଲିସ ଜେରା କରୁଛି ।