କୋଲକାତା: ଭାରତରେ ଫୁଟବଲ ଖେଳର ସ୍ଥିତି ମଜଭୁତ ନାହିଁ। କ୍ରିକେଟକୁ ନେଇ ଯେଉଁଭଳି ଭାବରେ ଗୁରୁତ୍ୱ ଦିଆଯାଉଛି ସେହି ଗୁରୁତ୍ୱ ଫୁଟବଲକୁ ନ ମିଳିବାରୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ ସେତେଟା ମଜଭୁତ ହୋଇପାରୁ ନାହିଁ। ଏଥିପାଇଁ ଅନେକ ସମୟରେ ଫୁଟବଲ ଖେଳାଳିଙ୍କ ମନରେ ଅଶନ୍ତୋଷ ରହିଥିବା ବେଳେ ଏବେ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ଭାରତ ଓ ବ୍ରାଜିଲ୍ ମଧ୍ୟରେ ଖେଳାଯିବାକୁ ଥିବା ଫ୍ରେଣ୍ଡଲି ମ୍ୟାଚକୁ ବୟକଟ୍ କରିବାକୁ ସେ ସିଧାସଳଖ ଆହ୍ୱାନ ଦେଇଛନ୍ତି।

ଏନେଇ ବଡ଼ ପ୍ରଶ୍ନ ଉଠାଇ ଭୁଟିଆ କହିଛନ୍ତି ଯେ ଗୋଟିଏ ୯୦ ମିନିଟର ଫ୍ରେଣ୍ଡଲି ମ୍ୟାଚ୍ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିବା କ'ଣ ଦରକାର। ବରଂ ସେହି ଟଙ୍କାକୁ ଦେଶର ଫୁଟବଲ୍ ଭିତ୍ତିଭୂମି ଓ କ୍ରୀଡ଼ାବିତଙ୍କ ବିକାଶରେ ଖର୍ଚ୍ଚ କରିବା ଉଚିତ। ଏଥିପାଇଁ ଆଗାମୀ ଭାରତ-ବ୍ରାଜିଲ୍ ଫ୍ରେଣ୍ଡଲି ମ୍ୟାଚ୍ ବୟକଟ କରିବାକୁ ସେ ଫ୍ୟାନଙ୍କୁ ଆହ୍ୱାନ ଦେଇଛନ୍ତି। ଅକ୍ଟୋବର ୩ରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଭାରତ ଓ ବ୍ରାଜିଲ୍ ମଧ୍ୟରେ ହାଇପ୍ରୋଫାଇଲ୍ ଫ୍ରେଣ୍ଡଲି ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ତେବେ ସୂଚନା ଅନୁସାରେ, ଏହି ମ୍ୟାଚ୍ ପାଇଁ ୫୦ରୁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆଲୋଚନା ହେଉଛି। ଏହି ଖର୍ଚ୍ଚକୁ ନେଇ ଭୁଟିଆ ପ୍ରଶ୍ନ ଉଠାଇଛନ୍ତି।

Also Read- FIH Hockey World Cup: ହକି ବିଶ୍ବକପରେ ନିଆରା ଦୃଶ୍ୟ, ହାତ ମିଳାଇଲେ ଭାରତ-ପାକିସ୍ତାନ ଖେଳାଳି

‘୯୦ ମିନିଟ୍ ପାଇଁ ୫୦-୭୦ କୋଟି କାହିଁକି?’

୪୨୦ ଗ୍ରାମ୍ସ ନାମକ ଏକ ୟୁଟ୍ୟୁବ ଚ୍ୟାନେଲକୁ ଭୁଟିଆ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଯଦି ଗୋଟିଏ ୯୦ ମିନିଟର ମ୍ୟାଚ୍ ପାଇଁ ବ୍ରାଜିଲକୁ ୫୦ରୁ ୭୦ କୋଟି ଟଙ୍କା ଦିଆଯାଉଛି, ତେବେ ଏଥିରୁ ଭାରତ କ’ଣ ପାଇବ? ତାଙ୍କ ମତରେ, ଏଥିରୁ ହୁଏତ ୯୦ ମିନିଟର ମନୋରଞ୍ଜନ ମିଳିବ, କିନ୍ତୁ ଭାରତୀୟ ଫୁଟବଲର ଦୀର୍ଘମିଆଦୀ ବିକାଶ ପାଇଁ ଏହାର ପ୍ରଭାବ ସୀମିତ ରହିପାରେ।ବିଶେଷକରି ପଶ୍ଚିମବଙ୍ଗରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ଯୁବ ପ୍ରତିଭାଙ୍କୁ ସହାୟତା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ଭୁଟିଆ। ତାଙ୍କ କହିବା ଅନୁସାରେ, ଗୋଟିଏ ମ୍ୟାଚ ପାଇଁ ଏତେ ବଡ଼ ରାଶି ଖର୍ଚ୍ଚ କରିବା ପରିବର୍ତ୍ତେ ଆଗାମୀ କିଛି ବର୍ଷ ପାଇଁ ରାଜ୍ୟର କ୍ରୀଡ଼ାବିକାଶରେ ନିବେଶ କରାଗଲେ ଅଧିକ ଲାଭ ହେବ।

‘୩୦ କୋଟି ଖର୍ଚ୍ଚ କରି ୧୦ଟି କମନୱେଲ୍ଥ ମେଡାଲ୍ ଆଣନ୍ତୁ’

ଭୁଟିଆ କହିଛନ୍ତି ଯେ, ଚଳିତ ଥର କମନୱେଲ୍ଥ ଗେମ୍ସରେ ପଶ୍ଚିମବଙ୍ଗର କୌଣସି ଆଥଲେଟ୍ ମେଡାଲ୍ ଜିତିପାରିନଥିଲେ। ତେଣୁ ଯଦି ୩୦ କୋଟି ଟଙ୍କା ଉପଲବ୍ଧ ଅଛି, ତାହାକୁ ଆଗାମୀ ୪ ବର୍ଷ ମଧ୍ୟରେ ଖର୍ଚ୍ଚ କରି ରାଜ୍ୟରୁ ଅତି କମରେ ୧୦ଟି କମନୱେଲ୍ଥ ମେଡାଲ୍ ଜିତିବା ପାଇଁ ପ୍ରସ୍ତୁତି କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଫୁଟସାଲ୍ ଗ୍ରାଉଣ୍ଡ ତିଆରି କରିବାରେ ମଧ୍ୟ ଏହି ଟଙ୍କା ବ୍ୟବହାର କରାଯାଇପାରିବ ବୋଲି ଭୁଟିଆ କହିଛନ୍ତି। ୩୦ କୋଟି ଟଙ୍କାରେ ପ୍ରାୟ ୧୦୦ଟି ଫୁଟସାଲ୍ ଗ୍ରାଉଣ୍ଡ ତିଆରି କରି ବିଭିନ୍ନ ଜିଲ୍ଲାର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରିବ ବୋଲି ସେ ମତ ଦେଇଛନ୍ତି।

ବ୍ରାଜିଲ୍ ମ୍ୟାଚ୍ ପାଇଁ ASEAN Cupରୁ ଓହରିଥିଲା ଭାରତ

ଭାରତ-ବ୍ରାଜିଲ୍ ମ୍ୟାଚ୍କୁ ନେଇ ବିବାଦର ଆଉ ଏକ ବଡ଼ କାରଣ ହେଉଛି ଏସିଆନ କପ(ASEAN Cup)। ଅକ୍ଟୋବର ୩ରେ ବ୍ରାଜିଲ୍ ବିପକ୍ଷ ମ୍ୟାଚ୍ ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ନବନିର୍ମିତ ଫିଫା ଏସିଆନ କପରୁ ଭାରତୀୟ ଦଳକୁ ଓହରିଯିବାକୁ ବାଧ୍ୟ କରିଥିଲା। ଏସିଆନ କପ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଉଭୟ ପ୍ରତିଯୋଗିତା ମଧ୍ୟରେ ସମୟସୂଚୀକୁ ନେଇ ସଂଘର୍ଷ ହୋଇଥିଲା। ଏଆଇଏଫ୍ଏଫ୍ ବ୍ରାଜିଲ୍ ବିପକ୍ଷ ମ୍ୟାଚ୍କୁ ପ୍ରାଥମିକତା ଦେଇ ଏସିଆନ କପରୁ ଓହରିବା ନିଷ୍ପତ୍ତି ନେଇଥିଲା।

ଭୁଟିଆ ପୂର୍ବରୁ ମଧ୍ୟ ଏଆଇଏଫଏଫର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ତାଙ୍କ ମତରେ, ଫିଫା ମାନ୍ୟତାପ୍ରାପ୍ତ ପ୍ରତିଯୋଗିତାରେ ଭାରତକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତିସ୍ପର୍ଦ୍ଧୀ ଅଭିଜ୍ଞତା ମିଳିପାରିଥାନ୍ତା। ଏଥିରୁ ଓହରିଯିବା ଆଦୌ ଉଚିତ ନଥିଲା ବୋଲି ଭୁଟିଆ କହିଛନ୍ତି।

ଭାରତୀୟ କ୍ଲବଗୁଡ଼ିକୁ ନେଇ ମଧ୍ୟ ଚିନ୍ତା

ଭୁଟିଆ ତାଙ୍କ ସମାଲୋଚନାକୁ କେବଳ ଜାତୀୟ ଦଳ ମଧ୍ୟରେ ସୀମିତ ରଖିନାହାନ୍ତି। ଭାରତୀୟ କ୍ଲବ୍ ଫୁଟବଲ୍ର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ଭୁଟିଆଙ୍କ କହିବା ଅନୁସାରେ, ଯଦି ପଶ୍ଚିମବଙ୍ଗରୁ ୫୦ କୋଟି ଟଙ୍କା ଗୋଟିଏ ମ୍ୟାଚ୍ ପାଇଁ ଖର୍ଚ୍ଚ ହୋଇଯାଏ, ତେବେ ଇଷ୍ଟବେଙ୍ଗଲ୍ ଭଳି କ୍ଲବ୍ ପାଇଁ ନିବେଶକ ଓ ପ୍ରାୟୋଜକ ଖୋଜିବା ଆହୁରି କଷ୍ଟକର ହୋଇପାରେ। ମୋହନବାଗାନ ଓ ମହମ୍ମଡାନ୍ ସ୍ପୋର୍ଟିଂ ଭଳି କ୍ଲବ୍ ମଧ୍ୟ ଏପରି ଆର୍ଥିକ ଚାପର ପ୍ରଭାବରେ ପଡ଼ିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି। ଭାରତୀୟ ଫୁଟବଲ୍ରେ କ୍ଲବ୍ଗୁଡ଼ିକର ଆର୍ଥିକ ସମସ୍ୟା ଏବଂ ଇଣ୍ଡିଆନ୍ ସୁପର୍ ଲିଗ୍ (ISL)ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଭୁଟିଆଙ୍କ ଏହି ବୟାନ ଖୁବ ଗୁରୁତ୍ୱ ରଖୁଛି।

Also read- ରୋହିତଙ୍କୁ ଭେଟିବାକୁ ସାଇକେଲରେ ଅନୁଗୋଳରୁ ମୁମ୍ବାଇ : କୁଣ୍ଢାଇ ପକାଇଲେ ହିଟମ୍ୟାନ୍, ମାଗିଲେ ଫୋନ୍ ପେ' ନମ୍ବର, କିନ୍ତୁ...

କ’ଣ କହୁଛି ଏଆଇଏଫଏଫ୍ ?

ଅନ୍ୟପଟେ ଏଆଇଏଫଏଫ ବ୍ରାଜିଲ୍ ବିପକ୍ଷ ମ୍ୟାଚ୍କୁ ଭାରତୀୟ ଫୁଟବଲ୍ ପାଇଁ ଏକ ବଡ଼ ସୁଯୋଗ ବୋଲି କହିଛି। ବ୍ରାଜିଲ୍ ଭଳି ବିଶ୍ୱସ୍ତରୀୟ ଦଳ ବିପକ୍ଷରେ ଖେଳିବା ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ଦେଶରେ ଫୁଟବଲ୍ ପ୍ରତି ଆଗ୍ରହ ବଢ଼ାଇପାରେ ବୋଲି ଫେଡେରେସନ୍ ଯୁକ୍ତି ବାଢ଼ିଛି। ଏହା ସହିତ ବ୍ରାଜିଲ୍ ମ୍ୟାଚ୍ ପାଇଁ ପୂର୍ବନିର୍ଦ୍ଧାରିତ ଆର୍ଥିକ ଜରିମାନା ଦେବାକୁ ପଡ଼ିଥିବା ଦାବିକୁ ମଧ୍ୟ ଏଆଇଏଫ୍ଏଫ୍ ଖଣ୍ଡନ କରିଛି। ଫେଡେରେସନରେ ଜଣେ ଅଧିକାରୀ ଭୁଟିଆଙ୍କ ଦ୍ୱାରା ଉଠାଯାଇଥିବା ଖର୍ଚ୍ଚ ସମ୍ପର୍କିତ ଆକଳନର ପ୍ରମାଣ ମଧ୍ୟ ଦେବାକୁ କହିଛନ୍ତି। ଅକ୍ଟୋବର ୩ରେ କୋଲକାତାରେ ଭାରତ-ବ୍ରାଜିଲ୍ ମୁହାଁମୁହିଁ ହେବାକୁ ଥିବା ବେଳେ, ଏହି ମ୍ୟାଚକୁ ନେଇ ବାଇଚୁଙ୍ଗ ଭୁଟିଆଙ୍କ ତୀବ୍ର ସମାଲୋଚନା ଭାରତୀୟ ଫୁଟବଲ୍‌ରେ ନୂଆ ବିତର୍କ ସୃଷ୍ଟି କରିଛି।