ଭଦ୍ରକ: ଦୁର୍ନୀତିରେ ବୁଡ଼ିଛି ରାଜସ୍ୱ ବିଭାଗ। ମନଇଚ୍ଛା ଚାଷୀଙ୍କ ଉପରେ ଜୁଲୁମ କରୁଛି। ଜରିମାନା ଆଳରେ ହାତଗୁଞ୍ଜା ମଗାଯାଉଛି। ନ ଦେଲେ ବହୁ ଅର୍ଥ ଭିଡ଼ି ଚାଷୀଙ୍କୁ ଶୋଷଣ କରାଯାଉଛି। ବନ୍ତ ତହସିଲ ଅଧୀନ ଗଣିଜାଙ୍ଗ ରାଜସ୍ବ ନିରୀକ୍ଷକଙ୍କ ଦୁର୍ନୀତି ଓ ତାଙ୍କ ସ୍ଵାମୀଙ୍କ ହାକିମାତି ନେଇ ବଡ଼ ଅଭିଯୋଗ ଆସିଛି। ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ ମନମାନି ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଶତାଧିକ ଚାଷୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସଙ୍ଗିନ ଅଭିଯୋଗ ଆଣିଛନ୍ତି।

ସମ୍ପୃକ୍ତ ଆରଆଇ କାର୍ଯ୍ୟାଳୟ କିଭଳି ତଞ୍ଚକତା କରି ଚାଷୀଙ୍କୁ ଲୁଟୁଛି, ତାର ଦସ୍ତାବିଜ ସହ ଲୋକେ ଏଡିଏମଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କ ହାକିମାତିର ଭିଡିଓ ବି ଭାଇରାଲ ହେଉଛି। ଲକ୍ଷାଧିକ ଖଜଣା ପଡ଼ିଥିବାବେଳେ ୫ ହଜାର ଟଙ୍କା ପୈଠ କଲେ ପାଉତି ମିଳିଯିବ ବୋଲି ଆରଆଇଙ୍କ ସ୍ବାମୀ କହିଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ଏବେ ଗଣିଜାଙ୍ଗ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ବର୍ଷ ତହସିଲ, ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଛି। ନ୍ୟାୟ ନ ମିଳିଲେ ବହୁ ଚାଷୀ ଅନଶନ କରିବା ସହ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟିବାକୁ ରାଜଧାନୀ ଯିବେ ବୋଲି ଚେତବାନୀ ଦେଇଛନ୍ତି।

ବନ୍ତ ତହସିଲ ଅଧୀନ ରାମକୃଷ୍ଣପୁର ପଞ୍ଚାୟତର ବାବୁଲି ବିଶ୍ୱାଳ। ତାଙ୍କର ଦୁଇ ଏକର ଜମି। ପ୍ରତିବର୍ଷ ତାଙ୍କ ଖାତାର ଖଜଣା କ୍ଲିୟର କରୁଛନ୍ତି। ହେଲେ ଏଥର ଖଜଣା ଦେବାକୁ ଯାଇ ନିଜ ଜମିରେ ପଡ଼ିଥିବା ଟଙ୍କାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏକା ବାବୁଲି ନୁହେଁ, ତାଙ୍କ ଭଳି ଶତାଧିକ ଚାଷୀଙ୍କ ଉପରେ ସମାନ ଅର୍ଥବୋଝ ଲଦି ଦିଆଯାଇଥିବାନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ଆରଆଇ କାର୍ଯ୍ୟାଳୟରେ ପତ୍ନୀ ଆରଆଇ ଥିବାବେଳେ ସ୍ବାମୀ କମ୍ପ୍ୟୁଟର ପୋଷ୍ଟରେ ରହିଛନ୍ତି। ମନଇଚ୍ଛା ଖଜଣା ପକାଇ ଟଙ୍କା ଅନୀତି ଉପାୟରେ ଅର୍ଜନ କରୁଛନ୍ତି।

Also Read- ଅଢ଼େଇ ବର୍ଷରେ ରାଜଧାନୀରେ କଟିଛି ୧୩, ୮୮୪ ଚାଲାଣ; ଆଦାୟ ହୋଇଛି ୧୫ କୋଟି, ଟ୍ୱିନ୍ ସିଟିରେ ବେଶି ଅମାନିଆ

ମୁଲଚାଲ କରି କେସ ସମାଧାନ କରିବାକୁ ବାଧ୍ଯ କରୁଛନ୍ତି। ନଚେତ ୧ ଲକ୍ଷ ୧୩ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଖୁଲମଖୁଲା କହୁଛନ୍ତି । ବାବୁଲି କହିଛନ୍ତି, ବନ୍ତ ତହସିଲ ଅଧୀନ ଗଣିଜାଙ୍ଗ ଆରଆଇ ସର୍କଲର ନାହୋ ମୌଜାର ଖାତା ନମ୍ବର, ୧୭୭/୮୦ରେ ୮୪ ହଜାର ୨୨ଟଙ୍କା ବକେୟା ଖଜଣା ଲାଗିଛି। ଖାତା ନମ୍ବର ୨୪ରେ ୨୭୨୯୮ ଟଙ୍କା, ୧୭୭/୪ରେ ୨୦୭୫୨ ଟଙ୍କା, ୧୭୭/୪୫ ଘରବାଡ଼ି ଖାତାରେ ୧୦୪୫ ଟଙ୍କା ପଡ଼ିଛି।

ବାବୁଲିଙ୍କ ପାଖରେ ପ୍ରତିବର୍ଷ ନିୟମିତ ଖଜଣା ପୈଠର ପାଉତି ରହିଛି। ଅନ୍ଲାଇନ୍ଦ୍ବାରା ସମ୍ପୃକ୍ତ ଆରଆଇ କାର୍ଯ୍ୟାଳରେ ଆସି ପୈଠ କରିବା ସତ୍ତ୍ୱେ ଏତେ ଟଙ୍କା କିଭଳି ହେଲା, ତାକୁ ନେଇ ସନ୍ଦେହ ବଢିଛି। ସମ୍ପୃକ୍ତ ଆରଆଇ ଓ ତାଙ୍କ ସ୍ବାମୀ ରଫାଦଫା ଲାଗି ଲାଞ୍ଚ ମାଗିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ମହେଶ୍ଵର ସେଠୀ, ରବୀନ୍ଦ୍ର ବିଶ୍ଵାଳ ଓ ବାବୁଲି ବିଶ୍ଵାଳ ପ୍ରମୁଖ ଚାଷୀ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ତାଙ୍କ ନିର୍ଦ୍ଦେଶରେ ଆଜି ତଦନ୍ତ ହୋଇଥିଲା। ବନ୍ତ ତହସିଲର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାଡି ଗଣିଜାଙ୍ଗ ଆରଆଇ କାର୍ଯ୍ୟାଳୟକୁ ଯାଇଥିଲେ ଯାଞ୍ଚ କରିଥିଲେ।

ସେଠାରେ ଉକ୍ତ ଚାଷୀଙ୍କ ସମେତ ରାମକୃଷ୍ଣ ପୁର ସରପଞ୍ଚ ବିରେନ୍ଦ୍ର ଖିଲାର, ନାରାୟଣ ପ୍ରଧାନ, ବିଶ୍ଵମ୍ବର ନାୟକ, ମଣିଭଦ୍ର ବିଶ୍ଵାଳ, ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଗଣି ଜାଙ୍ଗ ଆରଆଇ ଏବେ ସଶ୍ମିତା ମହାପାତ୍ର ରହିଛନ୍ତି। ପୂର୍ବରୁ ସେ ବିଭିନ୍ନ ଆରଆଇ କାର୍ଯ୍ୟାଳୟରେ ଏଭଳି ଆଚରଣ ନେଇ ବିବାଦୀୟ ହୋଇଛନ୍ତି।

ଏବେ ରାମକୃଷ୍ଣପୁର ପଞ୍ଚାୟତ ନାହୋ ଗ୍ରାମର ୫୦ ଜଣ ଚାଷୀଙ୍କ ଖଜଣା ଲକ୍ଷ ଲକ୍ଷ ଟଙ୍କାର ହୋଇଥିବା ନେଇ ପ୍ରଘଟ ପରେ ଚାଷୀମାନେ ଆନ୍ଦୋଳନ ଲାଗି ସଜବାଜ ଆରମ୍ଭ କରିଛନ୍ତି। ସେପଟେ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି କହିଛନ୍ତି, ତଦନ୍ତବେଳେ ନାହୋ ମୌଜାର କିଛି ଚାଷୀଙ୍କୁ ଖଜଣା ଜନିତ ତ୍ରୁଟି ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଏଭଳି ହେଲା, ସମ୍ପୂର୍ଣ୍ଣ ନାହୋ ମୌଜାର ସବୁ ଖାତାକୁ ପୁନଃ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି। ଆରଆଇ ସମ୍ମିତା ମହାପାତ୍ରଙ୍କୁ ବନ୍ତ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ଗଣିଜାଙ୍ଗରେ ଏଆରଆଇ ସଂଯୁକ୍ତା ଟୁଡୁଙ୍କୁ ଏବେ ଅବସ୍ଥାପିତ କରାଯାଇଛି।