ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ଅମାନିଆ ଗାଡ଼ିଚାଳକ ଭୁବନେଶ୍ଵରରେ ହିଁ ଅଛନ୍ତି। ସଡ଼କ ସୁରକ୍ଷା ନିୟମକୁ ଦଳିମକଚି ଦେଉଛନ୍ତି। ତା' ତଳକୁ ଅଛି କଟକ। ସେଠାକାର ବାସିନ୍ଦା ଗଳିକନ୍ଦିରେ ଗାଡ଼ି ଚଳାଇବା ବେଳେ ନିୟମକୁ ଫୁ କରିଦେଉଛନ୍ତି। ଏହି କଥା ଆମେ କହୁନାହୁଁ, ଖୋଦ୍ ରାଜ୍ୟ ସରକାରଙ୍କ ତଥ୍ୟରୁ ଦ୍ବୈତନଗରୀ ବାସିନ୍ଦାଙ୍କ ଏଭଳି ବେଖାତିର୍ ଗାଡ଼ି ଚାଳନା ସ୍ପଷ୍ଟ ହୋଇଛି।

୨୦୨୪ ମସିହାରୁ ଚଳିତବର୍ଷ ଅଗଷ୍ଟ ଯାଏ ସାରା ରାଜ୍ୟର ମୋଟରଯନ ଆଇନ୍ ଉଲ୍ଲଙ୍ଘନ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ବିଧାୟକ ପ୍ରତାପ କେଶରୀ ଦେବ ପ୍ରଶ୍ନ କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରଦତ୍ତ ତଥ୍ୟ ମୁତାବକ, ଗଲା ଅଢ଼େଇ ବର୍ଷରେ ଇ-ଚାଲାଣ ଓ ଗାଡ଼ି ଜବତରେ ରାଜଧାନୀ ସର୍ବାଗ୍ରେ ରହିଛି। ଅଢ଼େଇ ବର୍ଷରେ ୨ଟି ଆଞ୍ଚଳିକ ପରିବହନ ଅଧିକାରୀ ଏନ୍‌ଫୋର୍ସମେଣ୍ଟ ଟିମ୍ ମୋଟ ୧୩ ହଜାର ୮୮୪ଟି ଚାଲାଣ କାଟିଛନ୍ତି। ଆରଟିଓ-୧ରେ ୯୪୯୬ଟି ଚଲାଣ କଟିଛି। ରାଜଧାନୀରେ ଅଢ଼େଇ ବର୍ଷରେ ସମୁଦାୟ ୧୪୪ଟି ଗାଡ଼ି ବି ଜବତ କରାଯାଇଛି।

କଟକର ଗାଡ଼ି ଚାଳକମାନେ ସବୁଠୁ ଅଧିକ ତଣ୍ଡ ଗଣିଛନ୍ତି। କଟକ ଆରଟିଓଙ୍କ ପକ୍ଷରୁ ୧୦ ହଜାର ୮୪୪ଟି ଚାଲାଣ ଜରିଆରେ ୧ କୋଟି ୭ ଲକ୍ଷ ୧୧ ହଜାର ୨୯୭ ଟଙ୍କା ଜରିମାନା ଆଦାୟ ହୋଇଛି । ଦ୍ବିତୀୟ ସର୍ବାଧିକ ଜରିମାନା ଆଦାୟରେ ରାଜଧାନୀର ୨ଟି ଆରଟିଓ ଅଛି। ଆରଟିଓ-୧ ପକ୍ଷରୁ ମୋଟ ୫୬ ଲକ୍ଷ ୮୫ ହଜାର ୧୧ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆରଟିଓ-୨ ଅଧୀନରେ ଅମାନିଆମାନେ ୨୫ ଲକ୍ଷ ୪୬ ହଜାର ୨୭୬ ଟଙ୍କା ତଣ୍ଡ ଗଣିଛନ୍ତି।

ସଡ଼କ ସୁରକ୍ଷା ନିୟମ ଫାଙ୍କିବା ରେସରେ ଝାରସୁଗୁଡ଼ା ବି ପଛରେ ନାହିଁ। ଏଠାରେ ୯,୫୩୪ଟି ଚାଲାଣ କଟାଯାଇଥିବା ବେଳେ ୫୩ ଲକ୍ଷ ୬୭ ହଜାର ୯୭୨ ଟଙ୍କା ଜରିମାନା ଆଦାୟ କରିପାରିଛି ଝାରସୁଗୁଡ଼ା ଆରଟିଓ।

Also read- ମୌସୁମୀ ଅଧିବେଶନର ଚତୁର୍ଥ ଦିନ : ଆଜି ବି ସରଗରମ ରହିବ ଗୃହ

ସେହିପରି ସମ୍ବଲପୁର ଆର୍‌ଟିଓ ଦ୍ଵାରା ୭, ୮୯୬ଟି ଚାଲାଣ କଟାଯାଇଥିବା ବେଳେ ୬୪ଲକ୍ଷ ୧୪ ହଜାର ୭୭୯ ଟଙ୍କାର ଜରିମାନା ଆଦାୟ ହୋଇଛି। ନବରଙ୍ଗପୁରରେ ସବୁଠୁ କମ ୯୮୯ଟି ଚାଲାଣ ଜରିଆରେ ୪ ଲକ୍ଷ ୨୫ ହଜାର ୯୩୭ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସାରା ରାଜ୍ୟରେ ଏହି ସମୟ ଅବଧିରେ ମୋଟ ୪ ଲକ୍ଷ ୧୫ ହଜାର ୧୫୯ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟାଯାଇଛି। ସେମାନଙ୍କଠାରୁ ୧୫ କୋଟି ୧୬ ଲକ୍ଷ ୫୩ ହଜାର ୭୩୬ ଟଙ୍କା ଜରିମାନା ଆଦାୟ ହୋଇଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏହି ଅବଧିରେ ମୋଟ ୨ ଲକ୍ଷ ୬୨ ହଜାର ୬୦୦ ଚାଲାଣ କଟାଯାଇଛି। ଅଢ଼େଇ ବର୍ଷରେ ୨ କୋଟି ୬୦ ଲକ୍ଷ ୫୫ ହଜାର ୨୯୦ ଟଙ୍କା ଜରିମାନା ଆଦାୟ କରିଛି ଏସ୍‌ଟିଏ।