ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏତେ ଭୟଙ୍କର ରୂପ ନେଇଥିଲା ଯେ, ଜଣେ ଯୁବକ ନିଜ ପ୍ରେମିକାକୁ ରାତ୍ରିଭୋଜନ (ଡିନର) ପାଇଁ ନିମନ୍ତ୍ରଣ କରି ଶେଷରେ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛି। ମୃତ ଯୁବତୀଙ୍କ ନାମ ଅଞ୍ଜଳି (୨୩) ବୋଲି ଜଣାପଡ଼ିଛି। ରବିବାର ରାତି ପ୍ରାୟ ୯:୩୦ ସମୟରେ ଏହି ଜଘନ୍ୟ କାଣ୍ଡ ଘଟିଛି। ପୋଲିସର ସୂଚନା ଅନୁଯାୟୀ, ଅଞ୍ଜଳି ଏବଂ ଅଭିଯୁକ୍ତ ରାଜୀବ ଗୋଟିଏ ସଂସ୍ଥାରେ କାମ କରୁଥିଲେ। ସେଠାରେ ହିଁ ଦୁହିଁଙ୍କର ଦେଖାସାକ୍ଷାତ ହୋଇଥିଲା ଏବଂ ବିଗତ ୩ ରୁ ୪ ବର୍ଷ ହେବ ସେମାନେ ଏକ ନିବିଡ଼ ପ୍ରେମ ସମ୍ପର୍କରେ ଥିଲେ। ତେବେ ରାଜୀବଙ୍କ ପରିବାରକୁ ନେଇ ଅଞ୍ଜଳିଙ୍କ ପରିବାର ଲୋକଙ୍କ ମନରେ ଅସନ୍ତୋଷ ଥିଲା, ଯେଉଁଥିପାଇଁ ସେମାନେ ଏହି ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ରାଜୀବ, ଅଞ୍ଜଳି ଏବଂ ତାଙ୍କ ପରିବାର ଲୋକଙ୍କୁ ବିବାହ ପାଇଁ ମନାଇବାକୁ ବାରମ୍ବାର ଚେଷ୍ଟା କରୁଥିଲେ। ମାତ୍ର ନିଜ ମାତାପିତାଙ୍କ ଚାପରେ ଆସି ଅଞ୍ଜଳି ଗତ କିଛି ଦିନ ହେବ ରାଜୀବଙ୍କୁ ଏଡ଼ାଇବା ସହ ତାଙ୍କଠାରୁ ଦୂରେଇବାକୁ ଚେଷ୍ଟା କରୁଥିଲେ । ଏହି କଥାକୁ ରାଜୀବ ସହଜରେ ଗ୍ରହଣ କରିପାରିନଥିଲେ। ରବିବାର ସନ୍ଧ୍ୟାରେ ରାଜୀବ ସବୁଦିନ ପାଇଁ ଏହି ସମସ୍ୟାର ସମାଧାନ କରିବା ଆଳରେ ଅଞ୍ଜଳିଙ୍କୁ ନିଜ ସହ ରାତ୍ରିଭୋଜନ ପାଇଁ ଡାକିଥିଲେ। ସେଠାରେ ସେ ପୁନର୍ବାର ବିବାହ ପ୍ରସଙ୍ଗ ଉଠାଇଥିଲେ, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଝଗଡ଼ା ବଢ଼ିବାରୁ ଅଞ୍ଜଳି ସେଠାରୁ ଚାଲିଯିବାକୁ ଚେଷ୍ଟା କରିଥିଲେ। ରାଜୀବ ପୂର୍ବ ପ୍ରସ୍ତୁତି ମୁତାବକ ନିଜ ସହ ଏକ ଧାରୁଆ ଛୁରୀ ଆଣିଥିଲେ। ସେ ଅଞ୍ଜଳିଙ୍କ ପିଛା କରି ତାଙ୍କ ବେକରେ ଛୁରୀ ଭୁସି ଦେଇଥିଲେ। ଅଞ୍ଜଳି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ମିନିଟ୍ ମଧ୍ୟରେ ଅଭିଯୁକ୍ତ ରାଜୀବକୁ ଗିରଫ କରିଥିଲା। ଅଞ୍ଜଳିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ.ଏସ. ରାମାୟା ହସ୍ପିଟାଲକୁ ପଠାଯାଇଛି ଏବଂ ପୋଲିସ ଏହି ମାମଲାର ଅଧିକ ତଦନ୍ତ ଚଳାଇଛି।