ନୂଆଦିଲ୍ଲୀ: ବେଲଜିୟମ୍ରେ ଛାତିଥରା ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍ । ଏହି ଭୟଙ୍କର ଦୁର୍ଘଟଣାରେ ବସରେ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ମଚାରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଉତ୍ତର ବେଲଜିୟମର ବୁଗେନହୌଟ (Buggenhout) ଗାଁ ନିକଟସ୍ଥ ଏକ ଲେଭଲ କ୍ରସିଂରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୫ ମିନିଟରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଯେତେବେଳେ ଟ୍ରେନ ରେଳ ଧାରଣା ଦେଇ ଅତିକ୍ରମ କରୁଥିଲା, ସେତେବେଳେ ସେଠାରେ ଫାଟକ (ଗେଟ୍) ବନ୍ଦ ଥିଲା ଏବଂ ନାଲିବତି ମଧ୍ୟ ଜଳୁଥିଲା । ମାତ୍ର କୌଣସି କାରଣବଶତଃ ସ୍କୁଲ ବସଟି ସେହି ସମୟରେ ଟ୍ରେନ୍ ଲାଇନ ଉପରକୁ ଚାଲିଆସିଥିଲା, ଫଳରେ ଟ୍ରେନଟି ବସକୁ ଧକ୍କା ଦେଇଥିଲା ।

ସ୍ଥାନୀୟ ପୋଲିସ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ବସରେ ୭ ଜଣ ଶିଶୁ, ଜଣେ ସୁପରଭାଇଜର ଏବଂ ଜଣେ ଡ୍ରାଇଭର ଥିଲେ । ବେଲଜିୟମ ପୋଲିସ ଏପର୍ଯ୍ୟନ୍ତ ସରକାରୀ ଭାବର ମୃତ୍ୟୁର ସଠିକ୍ ସଂଖ୍ୟା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିନାହିଁ । ତେବେ ଉଦ୍ଧାରକାରୀ ଦଳର ମୁଖପାତ୍ର ଫ୍ରେଡରିକ ସେକ୍ରେ କହିଛନ୍ତି ଯେ, ‘ଟ୍ରେନ୍ ଏବଂ ବସ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ମୃତ୍ୟୁ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଛି ।’

ଉଦ୍ଧାର କାର୍ଯ୍ୟ ଜାରି

ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ସେବା (Emergency Services) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ସେମାନଙ୍କୁ ଟ୍ରେନରୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁଃଖଦ ଖବର ପରେ ସମଗ୍ର ୟୁରୋପରେ ଶୋକର ଛାୟା ଖେଳିଯାଇଛି । ୟୁରୋପୀୟ ୟୁନିଅନ (EU) ର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ ଟ୍ୱିଟ୍ କରି ନିଜର ଗଭୀର ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ‘ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପରିବାର ଏବଂ ସେମାନଙ୍କ ଆତ୍ମୀୟସ୍ୱଜନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି । ଆଜିର ଏହି ଦୁଃଖଦ ସମୟରେ ସମଗ୍ର ୟୁରୋପ ବେଲଜିୟମ ସହିତ ଛିଡ଼ା ହୋଇଛି ।’