ନୂଆଦିଲ୍ଲୀ -ଜୀବନ କୌଣସି ଅଳ୍ପଦୂରୀଆ ଦ୍ରୁତ ଦୌଡ଼ ନୁହେଁ, ବରଂ ଏହା ଏକ ଦୀର୍ଘମିଆଦୀ ମାରାଥନ୍ ରେସ୍! ଅନ୍ୟମାନଙ୍କୁ ପଛରେ ପକାଇ ଆଗକୁ ବାହାରିଯିବା ନୁହେଁ, ବରଂ ପ୍ରତିଦିନ ନିଜକୁ ଅଧିକ ଉନ୍ନତ ଓ ସଚେତନ କରିବା ହେଉଛି ଜୀବନର ପ୍ରକୃତ ଲକ୍ଷ୍ୟ। ଚେନ୍ନାଇର ଏସ୍.ଏ.ଆଇ. ବିଶ୍ୱବିଦ୍ୟାଳୟର ଏକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଯୁବପିଢ଼ିଙ୍କୁ ଏଭଳି ପ୍ରେରଣାଦାୟକ ଏବଂ ଜୀବନର ଗୂଢ଼ ମନ୍ତ୍ର ଦେଇଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍। ନିଜର ଦୀର୍ଘ ୧୮ ବର୍ଷର ମାରାଥନ୍ ଦୌଡ଼ିବା ଅଭିଜ୍ଞତାକୁ ବାଣ୍ଟି ସେ କହିଛନ୍ତି ଯେ, କେବଳ ଜିତିବା ଉପରେ ଧ୍ୟାନ ନ ଦେଇ ପ୍ରସ୍ତୁତି ଏବଂ ପରିଶ୍ରମ କରିବାର ମାନସିକତା ରଖିବା ଉଚିତ୍। ଜୀବନରେ ଉତ୍ଥାନ-ପତନ ଆସିବ, ସେଥିରୁ କେବେବି ଭୟଭୀତ ହୁଅନ୍ତୁ ନାହିଁ। ନିଜ ଆତ୍ମବିଶ୍ୱାସକୁ କଦାପି ଅହଙ୍କାରରେ ପରିଣତ କରନ୍ତୁ ନାହିଁ ଏବଂ ସବୁବେଳେ ଜୀବନର ଏହି ଯାତ୍ରାକୁ ଉପଭୋଗ କରନ୍ତୁ। ଜୀବନକୁ ଏକ ଖେଳାଳି ଭଳି ଭାବି କାର୍ଯ୍ୟକରନ୍ତୁ l

also read -;ଆମେରିକା ଅର୍ଥନୀତିରେ ମହଙ୍ଗାଇର ଚାପ; ବଢ଼ିଲା ସୁଧ, ୭% ପାଖାପାଖି ହୋମ୍ ଲୋନ୍, ତଥାପି ବଢ଼ିଲା ଖର୍ଚ୍ଚ

ପୃଥିବୀ ସମ୍ଭାବନରେ ଭରପୁର ,ବହୁତ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ବଜାର ଓ କର୍ମ ସଂସ୍ଥାନ ତାକୁ ଆଖି ଆଗରେ ରଖି କର୍ମ କରିବାକୁ ଚନ୍ଦ୍ର ଶେଖରନ କହିଛନ୍ତି l ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, କଲେଜ ପାଠପଢ଼ା ସାଙ୍ଗହେବା ପରେ ଜୀବନରେ ଚାପ ଏକ ସ୍ଥାୟୀ ଅଂଶ ହୋଇ ରହିବ। ଟେନିସ୍ କିମ୍ବଦନ୍ତୀ ବିଲି ଜିନ୍ କିଙ୍ଗ୍ଙ୍କ ଉକ୍ତିକୁ ଦୋହରାଇ ସେ କହିଛନ୍ତି, "ଚାପ ଅନୁଭବ କରିବାର ଅଧିକାର ପାଇବା ମଧ୍ୟ ଏକ ବଡ଼ ସୌଭାଗ୍ୟ" ଏବଂ ଯୁବପିଢ଼ି ଏହି ଚାପକୁ ଜୀବନସାରା ଉପଭୋଗ କରିବା ଶିଖିବା ଉଚିତ୍। ଆଜିକାଲି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚାକିରି ହରାଇବାର ଭୟକୁ ନେଇ ଯୁବପିଢ଼ି ଚିନ୍ତିତ ଥିବାବେଳେ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆଗାମୀ ୫ ବର୍ଷ ଭିତରେ ଏଭଳି ଅନେକ ନୂଆ ଶିଳ୍ପ ଓ କ୍ଷେତ୍ର ତିଆରି ହେବ, ଯାହାର ନାମ ବର୍ତ୍ତମାନ ଆମେ ଜାଣିନାହୁଁ । ବିଶ୍ୱସ୍ତରରେ ଭାରତ ଆଜି ଏକ ଅତ୍ୟନ୍ତ ମଜବୁତ ସ୍ଥିତିରେ ରହିଛି ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଭୂତପୂର୍ବ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶେଷରେ ସେ ପରାମର୍ଶ ଦେଇଛନ୍ତି ଯେ, ଯୁବପିଢ଼ି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ ଦୁନିଆରେ କ’ଣ ପଢ଼ୁଛନ୍ତି, ଦେଖୁଛନ୍ତି ଏବଂ ଶୁଣୁଛନ୍ତି ତାହାକୁ ଅତ୍ୟନ୍ତ ସଚେତନତାର ସହ ବାଛନ୍ତୁ ଏବଂ ନିରନ୍ତର ଶିଖିବାର ପ୍ରକ୍ରିୟାକୁ ଜୀବନରେ ଜାରି ରଖନ୍ତୁ।