ଭୁବନେଶ୍ଵର: ମୋବାଇଲ୍ ଗେମ୍ ପାଇଁ ଉତ୍ତର ପ୍ରଦେଶ ଗାଜିଆବାଦରେ ତିନି ନାବାଳିକା ଭଉଣୀ ୯ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଆମ ସମାଜକୁ ଦୋହଲାଇ ଦେଇଥିବା ବେଳେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଓଡ଼ିଶା ସରକାର । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ପରିବାର ଲୋକ ଏଥି ପ୍ରତି ସଚେତନ ରହିବା ଉଚିତ୍ । ଏଥି ସହ ସ୍କୁଲ ଓ କଲେଜରେ ଏଥି ପାଇଁ ସ୍ବତନ୍ତ୍ର କାଉନସେଲିଂର ବ୍ୟବସ୍ଥା କରିବେ ରାଜ୍ୟ ସରକାର।

ଘରେ ଘରେ ପିଲାଙ୍କ ହାତରେ ମୋବାଇଲ୍ । ମୋବାଇଲ୍ ନଧରିଲେ ଖାଉ ନାହାନ୍ତି କୁନି ପିଲା । ପିଲାଙ୍କ ହାତରେ ମୋବାଇଲ୍ ଧରାଇ ଦେଇ ଘରକାମ ବ୍ୟସ୍ତ ମାଆ । ବାପା-ମାଆ ପିଲାଙ୍କୁ ସମୟ ଦେଉନାହାନ୍ତି, ଫଳରେ ମୋବାଇଲ୍କୁ ସାଙ୍ଗ କରୁଛନ୍ତି ପିଲା । ଘରେ ଘରେ ଏଭଳି ସ୍ଥିତିକୁ କେହି ଅସ୍ବୀକାର କରିବେ କି ? କେଉଁ ପିଲା ମୋବାଇଲରେ ରିଲସ୍ ସ୍କ୍ରଲିଂ କରିବାରେ ବ୍ୟସ୍ତ ତ ଆଉ କିଏ ମୋବାଇଲରେ ଗେମ୍ ଖେଳିବାରେ । ଧୀରେ ଧୀରେ ମୋବାଇଲ୍ ପିଲାଙ୍କ ନିଶା ପାଲଟିଗଲାଣି । ଏମିତିରେ ଯେତେବେଳେ ପିଲାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନିଆଯାଉଛି, ସେତେବେଳେ ସେମାନେ ରାଗି ଯାଉଛନ୍ତି । ସେମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳୁଛି । ଏକଥାକୁ ଘରେ ଘରେ ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି ଅଭିଭାବକ ।

ପିଲାଙ୍କୁ କିଭଳି ମୋବାଇଲ୍ ଠାରୁ ଦୂରେଇ ରଖାଯାଇପାରିବ ସେନେଇ ଅଭିଭାବକମାନେ ଚିନ୍ତା କରିବାର ଅବସର ଆସିଛି । ମୋବାଇଲ ଗେମ୍ ପାଇଁ ଉତ୍ତର ପ୍ରଦେଶ ଗାଜିଆବାଦରେ ତିନି ନାବାଳିକା ଭଉଣୀ ୯ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଏବେ କେବଳ ଅଭିଭାବକ କାହିଁକି ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ପରିବାର ଲୋକ ଏଥି ପ୍ରତି ସଚେତନ ରହିବା ଉଚିତ୍ । ଏଥି ସହ ସ୍କୁଲ ଓ କଲେଜରେ ଏଥି ପାଇଁ ସ୍ବତନ୍ତ୍ର କାଉନସେଲିଂର ବ୍ୟବସ୍ଥା କରିବେ ରାଜ୍ୟ ସରକାର ।

ସାଇବର ବିଶେଷଜ୍ଞଙ୍କ କହିବା କଥା, ପିଲାଙ୍କ ଉପରେ ପରିବାର ଲୋକ ନଜର ରଖିବାର ଆବଶ୍ୟକତା ରହିଛି । ଛୁଆମାନେ ଯେତେ କମ୍ ମୋବାଇଲ ବ୍ୟବହାର କରିବେ ସେତେ ଭଲ । ଛୋଟ ପିଲା ବ୍ୟବହାର କରୁଥିବା ମୋବାଇଲରେ ଫ୍ୟାମିଲି ଲିଙ୍କ୍ ଆପ ଡାଉନଲୋଡ କରିବା ଦରକାର । ଫଳରେ ଯଦି ପିଲାମାନେ କିଛି ଆପ ଡାଉନଲୋଡ କରିବେ ତାହାର ନୋଟିଫିକେନ ପରିବାର ଲୋକଙ୍କ ପାଖକୁ ଯିବ । ଯଥା ସମ୍ଭବ ପିଲାମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରଖନ୍ତୁ ।

ବାପା-ମାଆମାନେ ପିଲାମାନଙ୍କୁ ସମୟ ଦିଅନ୍ତୁ । ଖେଳ, ପେଣ୍ଟିଂ ଆଦି କାର୍ଯ୍ୟରେ ପିଲାଙ୍କୁ ନିୟୋଜିତ କରନ୍ତୁ । ଯେମିତି ବି ହେଉ ପିଲାମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରଖିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ । ଅନ ଲାଇନ ଗେମ୍ ଅନେକ ସମୟରେ ଜୀବନ ନେଉଛି । ଛୋଟ ଛୋଟ ପିଲାଙ୍କ ପାଇଁ ଏହା ଅଧିକ କ୍ଷତିକାରକ ସାଜିଛି ।