ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଜାପାନର ଆଇଚି-ନାଗୋୟାରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ୍ ଗେମ୍ସ ପାଇଁ ବିସିସିଆଇ (BCCI) ପକ୍ଷରୁ ଭାରତୀୟ ଅଲିମ୍ପିକ ସଂଘ (IOA)କୁ ୩୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ହସ୍ତାନ୍ତର କରାଯାଇଛି। ତେବେ ଏହି ସୂଚୀରେ କେତେକ ବଡ଼ ଧରଣର ଚମକାଇବା ଭଳି ନିଷ୍ପତ୍ତି ଦେଖିବାକୁ ମିଳିଛି। ଭାରତୀୟ ଦଳର ବର୍ତ୍ତମାନର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଦିନିକିଆ/ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କ ଭଳି ତାରକା ଖେଳାଳି ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ଅନ୍ୟପଟେ କ୍ରିକେଟ ଜଗତର ନୂଆ ସେନସେସନ କୁହାଯାଉଥିବା ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏହି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି।

ଦୁଇଟି ପୃଥକ ଟି-୨୦ ଦଳ ଗଠନ କରିବ ବିସିସିଆଇ

ଏସିଆନ୍ ଗେମ୍ସ ସମୟରେ ହିଁ ଭାରତ ଗସ୍ତରେ ଆସୁଛି ୱେଷ୍ଟଇଣ୍ଡିଜ୍ ଦଳ। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୭ ମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ଏକ ସିରିଜ୍ ଖେଳାଯିବ। ଅନ୍ୟପଟେ ଏସିଆନ୍ ଗେମ୍ସର କ୍ରିକେଟ ଇଭେଣ୍ଟ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଦୁଇଟି ଯାକ ଟୁର୍ନାମେଣ୍ଟ ପ୍ରାୟ ଏକା ସମୟରେ ହେଉଥିବାରୁ ଚୟନକର୍ତ୍ତାଙ୍କୁ ଦୁଇଟି ଅଲଗା ଅଲଗା ଟି-୨୦ ଦଳ ପ୍ରସ୍ତୁତ କରିବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ରେ ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବା ପ୍ରାୟ ନିଶ୍ଚିତ ଥିବାରୁ ତାଙ୍କୁ ଏସୀୟ କ୍ରୀଡ଼ା ବା ଏସିଆନ୍ ଗେମ୍ସ ତାଲିକାରୁ ଦୂରେଇ ରଖାଯାଇଛି।

Also Read: ଆଇପିଏଲ୍ରୁ ବଲିଉଡ୍ ତାରକାଙ୍କ କୋଟି କୋଟି ଟଙ୍କାର ରୋଜଗାର: ଶାହରୁଖ, ଜୁହି ଓ ପ୍ରୀତି ଜିଣ୍ଟାଙ୍କ ରୋଜଗାରର ପୂରା ରିପୋର୍ଟ

ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବନ୍ଦ ହେଉଛି କି ରାସ୍ତା ?

ଟି-୨୦ ଫର୍ମାଟ୍ର ଦିନ ଥିଲା ଶ୍ରେଷ୍ଠ ବ୍ୟାଟର ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ୩୦ ଜଣିଆ ତାଲିକାରେ ସାମିଲ ନକରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୮ ଅଲିମ୍ପିକ୍ସ ଏବଂ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ଯେଉଁ ଭବିଷ୍ୟତର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି, ସେଥିରେ ବୋଧହୁଏ ସୂର୍ଯ୍ୟକୁମାରଙ୍କ ନାମ ନାହିଁ। ଏହି କାରଣରୁ ତାଙ୍କୁ ଏହି ଦୀର୍ଘ ସମ୍ଭାବ୍ୟ ତାଲିକାରୁ ବାଦ୍ ଦିଆଯାଇଛି। ଏସିଆନ୍ ଗେମ୍ସରେ ଦଳର କମାଣ୍ଡ ସମ୍ଭାଳିବା ଦୌଡ଼ରେ ଶ୍ରେୟସ ଆୟର, ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ଭଳି ଖେଳାଳି ସାମିଲ ଅଛନ୍ତି। ଏଥିସହ ପୂର୍ବ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତାଇଥିବା ରୁତୁରାଜ ଗାଏକ୍ୱାଡ୍ ମଧ୍ୟ ଏହି ସୂଚୀରେ ସ୍ଥାନ ପାଇଛନ୍ତି।

ବୋଲିଂ ବିଭାଗରେ ରହିବେ କି ବୁମରା ?

ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନାମ ଏହି ସମ୍ଭାବ୍ୟ ତାଲିକାରେ ରଖାଯାଇଛି। କିନ୍ତୁ ୨୦୨୭ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ ଅଧିକ ପ୍ରାଧାନ୍ୟ ଦେଇପାରନ୍ତି। ତାଙ୍କ ବ୍ୟତୀତ ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ ଏବଂ ଅର୍ଶଦୀପ ସିଂ ମଧ୍ୟ ତାଲିକାରେ ଅଛନ୍ତି। ସେହିପରି ସ୍ପିନର ଭାବେ କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ହର୍ଷ ଦୁବେଙ୍କ ଭଳି ୪ ଜଣ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ମିଳିଛି, ଯେଉଁଥିରୁ ମାତ୍ର ଦୁଇ ଜଣ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ ଏବଂ ବାକି ଦୁଇ ଜଣ ୱେଷ୍ଟଇଣ୍ଡିଜ୍ ସିରିଜ୍ ଖେଳିବେ।

Also Read: ବୈଭବ ସୂର୍ଯ୍ୟବଂଶୀଙ୍କୁ ଗାଳି କଲେ କି ରିୟାନ ପରାଗ?

ଏସିଆନ୍ ଗେମ୍ସ ପାଇଁ ଭାରତର ୩୦ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ୍

ଯଶସ୍ୱୀ ଜୟସ୍ଵାଲ, ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଷାନ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ତିଲକ ବର୍ମା, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ, ଅନୁକୂଳ ରୟ, ଆୟୁଷ ବାଦୋନୀ, ହର୍ଷ ଦୁବେ, ଧ୍ରୁବ ଜୁରେଲ, ଖଲିଲ ଅହମ୍ମଦ, ଋତୁରାଜ ଗାଏକ୍ୱାଡ୍, ରବି ବିଷ୍ଣୋଇ, ଶାହବାଜ ଅହମ୍ମଦ, ଶିବମ ଦୁବେ, ବିପ୍ରଜ ନିଗମ, ହର୍ଷିତ ରାଣା, ୟଶ ଠାକୁର, ୱାଶିଂଟନ ସୁନ୍ଦର।