ବାରିପଦା: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ସମାପନ ହୋଇଛି ଘୋଷଯାତ୍ରା। ପରମ୍ପରା ଅନୁସାରେ ଦୁଇଦିନ ଧରି ହେଉଥିବା ଏହି ପ୍ରସିଦ୍ଧ ଯାତ୍ରାରେ ପ୍ରାୟ ଅଢ଼େଇ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ସମଗ୍ର ବଡ଼ଦାଣ୍ଡ ଆଜି ଜଗାମୟ ହୋଇଥିବା ବେଳେ ପ୍ରବଳ ଗରମ ରେ ମଧ୍ୟ ଭକ୍ତ ତାଙ୍କ କାଳିଆ ଠାକୁର ଙ୍କୁ ଘୁଣ୍ଡିଚା ମନ୍ଦିର ଯାଏଁ ଟାଣି ନେଇଛନ୍ତି । ଗତକାଲି ଲକ୍ଷାଧିକ ଭକ୍ତଙ୍କ ଗ୍ରହଣରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଦିନର ରଥଟଣା।

ପରମ୍ପରା ଅନୁସାରେ ଶୁକ୍ରବାର ଅଧା ରଥଟଣା ସମାପ୍ତ ହୋଇଥିବା ବେଳେ, ଆଜି ଅପରାହ୍ନ ୨ଟା ୩୦ ମିନିଟରେ ପୁଣିଥରେ ରଥଟଣା ଆରମ୍ଭ ହୋଇଥିଲା। ଏଥିପାଇଁ ସମଗ୍ର ବଡ଼ଦାଣ୍ଡ ଭକ୍ତିମୟ ଓ ଉତ୍ସବମୁଖର ହୋଇ ଉଠିଥିଲା। ପ୍ରଥମେ ଅଧାବାଟରେ ଥିବା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ସମ୍ମୁଖରୁ ମହିଳା ମାନେ ମହାନନ୍ଦ ରେ ଟାଣିନେଇ ଗୁଣ୍ଡିଚା ଘରେ ପହଞ୍ଚିଥିଲେ। ସେତେବେଳକୁ ସିଂଦ୍ଵାର ରେ ରଥାରୂଢ଼ ହୋଇ ଦର୍ଶନ ଦେବା ସହିତ ଭକ୍ତଙ୍କୁ ଅପେକ୍ଷା କରି ରହିଥିଲେ ମହାପ୍ରଭୁ।

Also Read: ପୁରୀ ରଥଯାତ୍ରାର ଅଦୃଶ୍ୟ ସେବକ: ପବିତ୍ର ସହରକୁ ସ୍ୱଚ୍ଛ ରଖିବାକୁ ଦିନରାତି ଏକ କରିଛନ୍ତି ୧୪୦୦ରୁ ଅଧିକ ସଫେଇ କର୍ମଚାରୀ

ଅପରାହ୍ନ ପ୍ରାୟ ୪.୩୦ ସମୟରେ ଭକ୍ତଙ୍କ ଜନସମୁଦ୍ର ସାଙ୍ଗକୁ ଘଣ୍ଟ ଘଣ୍ଟା, ବାଜା ତୁରୀ ଓ ଜୟ ଜଗନ୍ନାଥ ଧ୍ୱନି ସହିତ ୧୬ ଚକର ଘର୍ଘର ନାଦ ରୁ ଆରମ୍ଭ ହୋଇଥିଲା ନନ୍ଦିଘୋଷ ଙ୍କ ଯାତ୍ରା। ଲକ୍ଷାଧିକ ଭକ୍ତ ଙ୍କ ଶତଚେଷ୍ଟା ପରେ ବି ନିଜ ଇଚ୍ଛାରେ ଅଟକି ଅଟକି ଚାଲିଥିଲେ ମନୁଆ ଠାକୁର। ଏଭଳି ଏକ ଆଧ୍ୟାତ୍ମିକ ଓ ଆଲୌକିକ ଲୀଳାରେ ନିଜକୁ ସାମିଲ କରିବା ହିଁ ସବୁଠାରୁ ବଡ଼ ଭାଗ୍ୟ ଆବେଗର ସହିତ ବୋଲି କହିଛନ୍ତି ଭକ୍ତ। ସ୍ଥାନୀୟ କଳାକାରଙ୍କ ଦ୍ଵାରା କାଳିଆ ଠାକୁର ନର୍ତ୍ତକ ବେଶରେ ଦେବଦାସୀ ମାନଙ୍କ ସହିତ ନୃତ୍ୟ କରି ରଥ ଆଗେ ଆଗେ ନୃତ୍ୟ ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଏଭଳି ବେଶ ଧରି ପ୍ରଭୁ ଙ୍କ ଆଗରେ ନାଚିବା ସେହି ମହାପ୍ରଭୁ ଙ୍କ ଇଚ୍ଛା ବୋଲି ଭକ୍ତିର ସହିତ କହିଛନ୍ତି ନର୍ତ୍ତକୀ।

Also Read: ଏକକାଳୀନ ହେବ ପଞ୍ଚାୟତ-ପୌର ନିର୍ବାଚନ, ମାର୍ଚ୍ଚ ମାସରେ ପ୍ରକାଶ ପାଇବ ବିଜ୍ଞପ୍ତି

ସନ୍ଧ୍ୟା ପ୍ରାୟ ୬ଟା ୨୦ ସମୟରେ ନନ୍ଦିଘୋଷ ମାଉସୀମା ମନ୍ଦିର ରେ ପହଞ୍ଚିଥିଲା। ବାରିପଦା ର ନିଆରା ପରମ୍ପରା ଅନୁସାରେ ରଥଟଣା ସମାପନ ପରେ ଜଗନ୍ନାଥ ଙ୍କ ରଥ ଉପରେ ଭକ୍ତ ଙ୍କ ଉଦ୍ଦେଶ୍ୟରେ ଲଡୁଫିଙ୍ଗା ନୀତି କରାଯାଇଥିଲା। ଯାହାକୁ ପାଇବାଲାଗି ଭକ୍ତ ଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ତିନି ଥର ମାଉସୀ ବାଡ଼ିରେ ପହଞ୍ଚିବା ପରେ ରଥଉପରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ଏବଂ ମୁକ୍ତଦର୍ଶନ ଶେଷ ହେବା ପରେ ରାତ୍ରି ପ୍ରାୟ ୧୦ଟା ୩୦ ମିନିଟ ରେ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପକୁ ବିଜେ କରିବେ।

ଆଗାମୀ ୧୦ଦିନ ଧରି ପ୍ରବଳ ଜନସମାଗମ ଓ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିଛନ୍ତି। ବିଶେଷ କରି ସ୍ୱଚ୍ଛତା ଓ ସୁରକ୍ଷା ଉପରେ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବା ସହିତ ଅନ୍ୟ ସମସ୍ତ ବ୍ୟବସ୍ଥା କରାଜିଛି ବୋଲି କହିଛନ୍ତି ବାରିପଦା ପୌରାଧ୍ୟକ୍ଷ।