ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅହୋରାତ୍ର ଚାଲିଛି ସେବା। ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ନାରା ସହ ପୁରୀ ପୌରପାଳିକା (ପିଏମସି) ପକ୍ଷରୁ ଚଳିତ ବର୍ଷ ଏକ ବିରାଟ ନାଗରିକ ସେବା ଅପରେସନ ଆରମ୍ଭ ହୋଇଛି। ପ୍ରବଳ ବର୍ଷା ଓ ଭିଡ଼ ସତ୍ତ୍ୱେ ଶ୍ରୀକ୍ଷେତ୍ରକୁ ସଫାସୁତୁରା ରଖିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଏହି ଶତାଧିକ ସଫେଇ କର୍ମଚାରୀ। ଏହି ଆଗଧାଡ଼ିର ସୈନ୍ୟଙ୍କ ନିଷ୍ଠା ଯୋଗୁ ହିଁ ପୁରୀ ସହର ଏବେ ନିର୍ମଳ ରହିଛି।

ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା: କାମ କରୁଛି ବଡ଼ ଟିମ୍

ଚଳିତ ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବଡ଼ଦାଣ୍ଡ ଏବଂ ଗୁଣ୍ଡିଚା ମନ୍ଦିର ପରିସରକୁ ସ୍ୱଚ୍ଛ ରଖିବା ପାଇଁ ବିଳମ୍ବିତ ରାତିରେ ସ୍ୱେଚ୍ଛାକୃତ ସଫେଇ ଅଭିଯାନ ଚାଲୁଛି। ମହାପ୍ରସାଦ ଓ ଶୁଖିଲା ଭୋଗ ବଣ୍ଟନ ସମୟରେ ଯେପରି କେଉଁଠି ଆବର୍ଜନା ଜମା ନହେବ, ସେଥିପାଇଁ ଗୁଣ୍ଡିଚା ମନ୍ଦିର, ବେଳାଭୂମି ରୋଡ୍ ଏବଂ ରଥ ଚାରିପାଖରେ ସଫେଇ ଗାଡ଼ି ସହିତ ସ୍ୱତନ୍ତ୍ର ସ୍କ୍ୱାଡ୍ ମୁତୟନ ହୋଇଛନ୍ତି।

ସୂଚନା ଅନୁସାରେ, ୧,୪୫୧ ଜଣ ସଫେଇ କର୍ମଚାରୀ ମୁତୟନ ହୋଇଛନ୍ତି। ୫୭୦ଟି ଆବର୍ଜନା ସଂଗ୍ରହ ଗାଡ଼ି, ୧୫ଟି ସେସପୁଲ୍ ଗାଡ଼ି ଓ ୩ଟି ସ୍ୱୟଂଚାଳିତ ରାସ୍ତା ସଫା ମେସିନର ବ୍ୟବହାର କରାଯାଉଛି। ସେହିଭଳି ବର୍ଷାକୁ ଆଖିରେ ରଖି ପୁରୀ ପୌରପାଳିକା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବଡ଼ ପଦକ୍ଷେପ ନେଇଛି। ଜଳ ନିଷ୍କାସନ ଲାଗି ୩୮ଟି ପମ୍ପ ସହିତ ଅଗ୍ନିଶମ ବାହିନୀର ୫୦ଟି ଅତିରିକ୍ତ ପମ୍ପ୍ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହା ସହିତ ୧୦ଟି ହାଇ-କାପାସିଟି ପମ୍ପ ସେଟ୍ ମଧ୍ୟ କାମ କରୁଛି, ଯାହା ମିନିଟ୍ ପ୍ରତି ପ୍ରାୟ ୩,୦୦୦ ଲିଟର ବର୍ଷା ପାଣି ନିଷ୍କାସନ କରିବାର କ୍ଷମତା ରଖିଛି। ଭକ୍ତମାନଙ୍କ ଗାଡ଼ି ପାର୍କିଂ ପାଇଁ ୨୩ଟି ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ତୁରନ୍ତ ରାସ୍ତା ମରାମତି ପାଇଁ ବଫର ସାମଗ୍ରୀ ସହ ମେଣ୍ଟେନାନ୍ସ ଟିମ୍ ପ୍ରସ୍ତୁତ ଅଛନ୍ତି।

ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଓ ସ୍ମାର୍ଟ ମନିଟରିଂ

ଭକ୍ତଙ୍କ ସୁବିଧା ପାଇଁ ସହରର ପ୍ରମୁଖ ସ୍ଥାନରେ ୧,୬୦୦ଟି ଅସ୍ଥାୟୀ ଓ ମୋବାଇଲ୍ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିରେ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ସବୁଠାରୁ ବଡ଼ କଥା ହେଉଛି, ଏହି ଶୌଚାଳୟଗୁଡ଼ିକର ସ୍ୱଚ୍ଛତା ଉପରେ ନଜର ରଖିବା ପାଇଁ ଜିଓ-ଟ୍ୟାଗିଂ (Geo-tagging) ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ଏହା ବ୍ୟତୀତ, ରାତିରେ ସୁରକ୍ଷିତ ଯାତାୟାତ ପାଇଁ ପ୍ରାୟ ୩,୦୦୦ ଅସ୍ଥାୟୀ ଆଲୋକ ଲଗାଯାଇଛି।

ଆଗୁଆ ପ୍ରସ୍ତୁତି ଆଣିଲା ସଫଳତା

ରଥଯାତ୍ରା ପୂର୍ବରୁ ପୁରୀ ସହରର ପ୍ରାୟ ୩୦୦ରୁ ଅଧିକ ବଡ଼ ଡ୍ରେନରୁ ମାଟି ସଫା କରାଯାଇଥିଲା ଏବଂ ୩ ଫୁଟରୁ ଅଧିକ ଗଭୀର ଡ୍ରେନଗୁଡ଼ିକୁ କଂକ୍ରିଟ୍ ସ୍ଲାବ୍ ପକାଯାଇଥିଲା। ସହର ସାରା ଚାଲିଥିବା ଉଚ୍ଛେଦ ଅଭିଯାନ ଯୋଗୁ ଶ୍ରଦ୍ଧାଳୁ ଓ ଗାଡ଼ି ଚଳାଚଳ ସହଜ ହୋଇପାରିଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ମିତା ଉଷା ପାଢ଼ୀ କହିଛନ୍ତି ଯେ, ଚଳିତ ବର୍ଷର ନାଗରିକ ସେବା ସମ୍ପୂର୍ଣ୍ଣ ରୂପେ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସ୍ୱଚ୍ଛ। ଜିଓ-ଟ୍ୟାଗିଂ ଏବଂ ୨୪ ଘଣ୍ଟିଆ ଫିଲ୍ଡ ମନିଟରିଂ ଯୋଗୁଁ କାର୍ଯ୍ୟଧାରାରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି।

ପୁରୀ ପୌରପାଳିକା, ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ଏବଂ ସଫେଇ କର୍ମୀଙ୍କ ଯୁଗ୍ମ ପ୍ରୟାସ ବଳରେ ଚଳିତ ବର୍ଷ ରଥଯାତ୍ରା ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେଉଛି।

​​​​​​​