ବାଂଶପାଳ: ସୋମବାର ଗଣେଷ ପୂଜା । ଅଗ୍ରପୂଜ୍ୟଙ୍କ ଆରାଧନା କରାଯିବ । ଏଥିପାଇଁ ପୁଅ ପାଇଁ ପୂଜା ସାମଗ୍ରୀ ଧରି ଯାଉଥିଲା ମାଆ । କିନ୍ତୁ ଯମ ରୂପେ ମାଡ଼ିଗଲା ଟ୍ରକ୍ । ଗଣେଶ ପୂଜା ପାଇଁ ପୁଅ ପାଖକୁ ନଡ଼ିଆ ଓ ପୂଜା ସାମଗ୍ରୀ ନେଇ ଯାଉଥିବା ବେଳେ ମାଆଙ୍କ ଉପରେ ଚଢ଼ିଗଲା କାଳ ଟ୍ରକ୍ । ଘଟଣାସ୍ଥଳରେ ହିଁ ମାଆଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ ବାୟାପଣ୍ଡାଧର ନିକଟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ବାୟାପଣ୍ଡାଧର ଗାଁର ପଟେଲ ସେନାପତିଙ୍କ ସ୍ତ୍ରୀ ପାନ ସେନାପତି ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ପଟେଲ ସେନାପତିଙ୍କ ପୁଅ ଗୋନାଶିକା ସ୍କୁଲରେ ରହି ପଢ଼ୁଛନ୍ତି । ଆସନ୍ତାକାଲି ପବିତ୍ର ଗଣେଶ ପୂଜା ଥିବାରୁ ପୁଅ ପାଇଁ ନଡ଼ିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ ଦେବା ପାଇଁ ପାନ ସେନାପତି ଘରୁ ବସ୍ ଷ୍ଟାଣ୍ଡକୁ ଯାଉଥିଲେ । ବସ-ଷ୍ଟାଣ୍ଡରେ ପହଞ୍ଚି ସେଠାରୁ ଗୋନାଶିକା ଯିବାର କାର୍ଯ୍ୟକ୍ରମ ଥିଲା ।ହେଲେ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଚାଲି ଯିବା ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ପାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଓ ଦୋଷୀ ଟ୍ରକ୍ ଚାଳକଙ୍କୁ ଗିରଫ ଦାବିରେ ସମ୍ବଲପୁର-କୋଲକାତା NH-୪୯କୁ ଅବରୋଧ କରିଥିଲେ । ଖବର ପାଇ ଶୁଆକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇବାକୁ ଚେଷ୍ଟା ଚଳାଇଛି । ଗଣେଶ ପୂଜା ପୂର୍ବରୁ ଘଟିଯାଇଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।