ନୂଆଦିଲ୍ଲୀ: OpenAI ଏବଂ Anthropicର ପୂର୍ବତନ ଗବେଷକ ଜାକବ୍ କକ୍ସନ୍ ଇସ୍ତଫା ଦେବା ପରେ AI ସୁରକ୍ଷାକୁ ନେଇ ଚାଲିଥିବା ବିତର୍କ ନୂଆ ମୋଡ଼ ନେଇଛି। ସେ କହିଛନ୍ତି, ଏଆଇ କମ୍ପାନୀଗୁଡ଼ିକ ଅତି ଦ୍ରୁତ ଗତିରେ ‘ସେଲ୍ଫ-ଇମ୍ପ୍ରୁଭିଂ ସୁପରଇଣ୍ଟେଲିଜେନ୍ସ’ ପ୍ରସ୍ତୁତ କରିବାକୁ ପ୍ରତିଯୋଗିତା କରୁଛନ୍ତି । ଏହା ୨୦୩୦ ସୁଦ୍ଧା ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରିପାରେ।

ଜାକବ୍ କକ୍ସନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, AI ତିଆରି କରୁଥିବା ବ୍ୟକ୍ତିମାନେ ନିଜେ ବିଶ୍ୱାସ କରନ୍ତି ଯେ, ଏହି ପ୍ରଯୁକ୍ତିବିଦ୍ୟା ଆସନ୍ତା ଦଶନ୍ଧି (୨୦୩୦) ସୁଦ୍ଧା ମାନବଜାତିକୁ ଧ୍ୱଂସ କରିବାର କ୍ଷମତା ରଖେ। ସେ ଦାବି କରିଛନ୍ତି ଯେ, ଉଭୟ କମ୍ପାନୀ ନିଜର ଆତ୍ମ-ସୁଧାର କରୁଥିବା ସୁପରଇଣ୍ଟେଲିଜେନ୍ସ ବନାଇବା ଆଳରେ ମାନବ ଜୀବନ ସହ ବାଜି ଲଗାଉଛନ୍ତି ଏବଂ ଦାୟିତ୍ୱହୀନ ଭାବରେ କାମ କରୁଛନ୍ତି।

କମ୍ପାନୀଗୁଡ଼ିକ ଜାଣିଛନ୍ତି ଯେ, ବେଗ କମାଇବା ନିରାପଦ, କିନ୍ତୁ ଅନ୍ୟ କମ୍ପାନୀ ଆଗକୁ ଚାଲିଯିବ ଭାବି କେହି ବି ଅଟକିବାକୁ ପ୍ରସ୍ତୁତ ନାହାଁନ୍ତି। Anthropic ର ସୁରକ୍ଷା ଗବେଷକ ଏଭାନ୍ ହୁବିଙ୍ଗର ମଧ୍ୟ ଜାକବଙ୍କ କଥାକୁ ସମର୍ଥନ କରି ସ୍ୱୀକାର କରିଛନ୍ତି ଯେ, ସୁପରଇଣ୍ଟେଲିଜେନ୍ସକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ଉପାୟ ନାହିଁ।

ଆନଥ୍ରୋପିକ୍‌ ସିଇଓ ଡାରିଓ ଆମୋଡେଇ କହିଛନ୍ତି ଯେ, ସେ ଜାକବଙ୍କ ସହ ସମ୍ପୂର୍ଣ୍ଣ ସହମତ। AI ମଡେଲଗୁଡ଼ିକର ବିକାଶ ବେଗକୁ ଧୀମା କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ମଧ୍ୟ ଏହି ଦାବିକୁ  ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, AI ବିକାଶର ବେଗକୁ ସୁରକ୍ଷିତ ସୀମା ମଧ୍ୟରେ ରଖିବା ଜରୁରୀ ।

ସୁପରଇଣ୍ଟେଲିଜେନ୍ସର ବିପଦ
AI ନିଜେ ନିଜର କୋଡିଂ ଓ କ୍ଷମତା ବୃଦ୍ଧି କରି ମାନବ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ମାଲିକଙ୍କ ବିନା ଆଦେଶରେ ସିଷ୍ଟମ ସ୍ୱୟଂଚାଳିତ ଭାବରେ ସାଇବର ଆକ୍ରମଣ କରିବାର ଭୟ ରହିଛି । AI କୁ ବ୍ୟବହାର କରି ବିପଜ୍ଜନକ ଅସ୍ତ୍ର କିମ୍ବା ଭାଇରସ୍ ତିଆରି କରିବାର ଆଶଙ୍କା ରହିଛି ।
ରିପୋର୍ଟ ଅନୁଯାୟୀ, ଆନଥ୍ରୋପିକ୍‌ କମ୍ପାନୀର ସିଇଓ ଡାରିଓ ଆମୋଡେଇ ଏକ ସାକ୍ଷାତକାରରେ ଏହି ବିଷୟରେ ଚେତାବନୀ ଦେଇଛନ୍ତି। AI ର ବେଗକୁ ଧୀମା କରିବା ଏବଂ ଏହାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।