ଭୁବନେଶ୍ଵର: ମରି ବି ଅମର ହୋଇଗଲେ ଶିକ୍ଷକ ! ମୃତ୍ୟୁ ପରେ ବି ତିନି ଜୀବନ ବଞ୍ଚାଇ, ପୁରା ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି ଜଣେ ଶିକ୍ଷକ। ଜୀବନ ସାରା ଜ୍ଞାନ ଦାନ କଲେ, ଆଉ ମୃତ୍ୟୁ ପରେ କଲେ ଅଙ୍ଗ ଦାନ। ଲିଭର ଓ ଦୁଇ ଆଖି ଦାନ କରି ଅନ୍ଧାରରେ ଆଲୋକ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀର ଶିକ୍ଷକ ପ୍ରତାପ କୁମାର ରାଉତଙ୍କ ଏ ମହାନତାକୁ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଗାର୍ଡ ଅଫ୍ ଅନର୍ ଏବଂ ରାଷ୍ଟ୍ରୀୟ ସାଲ୍ୟୁଟ୍ ଦିଆଯାଇଛି।

ଅଙ୍ଗଦାନ କରି ଅମର ହୋଇଗଲେ ଶିକ୍ଷକ ପ୍ରତାପ କୁମାର ରାଉତ। ଆଜି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲରେ ଗାର୍ଡ ଅଫ୍ ଅନର୍ ଦେବା ସହିତ ଶହୀଦ ର ଆଖ୍ୟା ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରାଯାଇଛି। ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ତିନୋଟି ଜୀବନ ବଞ୍ଚି ଯାଇଛି। ସେ ବଞ୍ଚି ଥାଉ ଥାଉ ଦୁଇଟି ଆଖି ଓ ଲିଭର ଦାନ କରିଦେଇଛନ୍ତି। ସେହି ମହାନ୍ ଶିକ୍ଷକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ସବ୍ ଡିଭିଜନ ଢଁସର ଗାଁ ର ଶିକ୍ଷକ ପ୍ରତାପ କୁମାର ରାଉତ । ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି।

Also Read: ସରକାରଙ୍କ ବଡ଼ ପଦକ୍ଷେପ, ରାଜ୍ୟରେ ଖୁବଶୀଘ୍ର ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍

ମୃତ୍ୟୁର କାରଣ ବ୍ରେନ୍ ଷ୍ଟ୍ରୋକ ଥିଲା ।ମୃତ୍ୟୁ ତାଙ୍କୁ ନେଇଗଲା ସତ, ହେଲେ ସେ ମରି ବି ଅମର ହୋଇ ଯାଇଛନ୍ତି। ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ସତ କିନ୍ତୁ ମହାନ୍ ଦାନ ପାଇଁ ଆଜି ତାଙ୍କର ଜୟଗାନ କରୁଛନ୍ତି ଅଞ୍ଚଳବାସୀ। ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତ ଗାଁ ହାଇସ୍କୁଲରେ ବରିଷ୍ଠ କଳା ଶିକ୍ଷକ ଥିଲେ। ଗୁରୁ ଦିବସ ଦିନ ସ୍କୁଲ ରୁ ଫେରିବା ପରେ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା। ପ୍ରଥମେ ବାଙ୍କୀ ପରେ ଏମ୍ସ ହସ୍ପିଟାଲ କୁ ନେଇଥିଲେ ପରିବାର ଲୋକେ। ଶେଷରେ ସ୍ଥିତି ଆହୁରି ବିଗିଡ଼ିବାରୁ ପ୍ରତାପ ରାଉତଙ୍କୁ ସମ୍ ଅଲ୍ଟିମେଟ୍ ଆଣି ଥିଲେ। ସମ୍ ଅଲ୍ଟିମେଟରେ ତିନି ଦିନ ଚିକିତ୍ସିତ ହେବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପ୍ରତାପ।

ପ୍ରତାପଙ୍କ ଅନ୍ତିମ ସଂସ୍କାର ପୈତୃକ ଗାଁ ରେ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ପରିବାର, ସ୍କୁଲ ଓ ସାରା ଗାଁ ଶୋକରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ଧର୍ମପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କୁ ଛାତ୍ରବତ୍ସଳ ଶିକ୍ଷକ ବୋଲି କହି ଝୁରୁଛି କୁମାରବସ୍ତ ହାଇସ୍କୁଲ। ସେହିପରି ତାଙ୍କୁ ଗାଁ ଝୁରୁଛି ବୋଲି କହିଛନ୍ତି ସମାଜସେବୀ ସୁରେନ୍ଦ୍ର ପଣ୍ଡା।

Also Read: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୧ରେ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଜୀବନ ସାରା ସେ ଜ୍ଞାନ ଦେଲେ, ମୃତ୍ୟୁ ପରେ ଦେଲେ ଜୀବନ। ସେ ଚାଲିଗଲେ ସତ, କିନ୍ତୁ ତାଙ୍କ ଆଖି ଆଜି ବି ଦୁନିଆ ଦେଖୁଛି, ତାଙ୍କ ଲିଭର ଆଜି ବି କାହା ଶରୀରରେ ଅଛି ।ଶିକ୍ଷକ ପ୍ରତାପ କୁମାର ରାଉତ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଆଜି ଓଡ଼ିଶା ପାଇଁ ଏକ ପ୍ରେରଣା। ଅଙ୍ଗଦାନ ହିଁ ଜୀବନ ଦାନ - ଏହାର ଜ୍ୱଳନ୍ତ ଉଦାହରଣ ହୋଇ ଅମର ହୋଇ ରହିବେ ସେ।