ନୂଆଦିଲ୍ଲୀ ,୨୦/୧୧ -; ପୁଣି ଅଶାନ୍ତ ବାଂଲାଦେଶ! ଚାରିଆଡ଼େ ହିଂସାର ତାଣ୍ଡବ। କେଉଁଠି ଜଳୁଛି ଗାଡ଼ି, ତ ଆଉ କେଉଁଠି ଶୁଭୁଛି ବୋମା ବିସ୍ଫୋରଣର ଶବ୍ଦ। ରାସ୍ତାରେ ଆନ୍ଦୋଳନକାରୀ, ମୁହାଁମୁହିଁ ପୋଲିସ ଓ ପ୍ରତିବାଦକାରୀ। ରାଜନୈତିକ ଅସ୍ଥିରତା ଏବେ ଦେଶର ଆଇନଶୃଙ୍ଖଳା ପରିସ୍ଥିତିକୁ ଗୁରୁତର ସଙ୍କଟ ଭିତରକୁ ଠେଲି ଦେଇଛି। ଗୋଟିଏ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମର୍ଥକଙ୍କ ଆନ୍ଦୋଳନ, ଅନ୍ୟପଟେ ତାରିକ୍ ରହମାନଙ୍କ ସରକାର ଉପରେ ବଢ଼ୁଛି ଚାପ। ଏହାରି ଭିତରେ ଜଳିଛି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ପୈତୃକ ଘର। ପ୍ରଶ୍ନ ଉଠୁଛି, ବାଂଲାଦେଶରେ ଏଭଳି ହିଂସା ପଛର କାରଣ କ'ଣ? କିଏ ଚାହୁଁଛି ଅଶାନ୍ତ ବାଂଲାଦେଶ? ଆଉ ଏହାର ପ୍ରଭାବ ପଡ଼ୋଶୀ ଭାରତ ଉପରେ କ'ଣ ପଡ଼ିବ? ଦେଖନ୍ତୁ ଏହି ରିପୋର୍ଟ।

ବାଂଲାଦେଶରେ ଥମିବାର ନାଁ ନେଉନି ହିଂସା। ରାଜନୈତିକ ଛକାପଞ୍ଝା ଏବେ ରାସ୍ତାଘାଟରେ ରକ୍ତମୁଖା ସଂଘର୍ଷର ରୂପ ନେଇଛି। ନଭେମ୍ବର ୧୪ରୁ ୧୯ ତାରିଖ ମଧ୍ୟରେ ଦେଶର ଅନେକ ଅଞ୍ଚଳରେ ହିଂସା, ଭଙ୍ଗାରୁଜା, ଅଗ୍ନିକାଣ୍ଡ ଏବଂ ଦେଶୀ ବୋମା ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବାଂଲାଦେଶର ଅନ୍ତତଃ ୧୨ଟି ଜିଲ୍ଲାରେ ଏଭଳି ଘଟଣା ରିପୋର୍ଟ ହୋଇଛି। ଏହି ଛଅ ଦିନର ହିଂସାରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ଏବଂ ଅନେକ ଲୋକ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଶହ ଶହ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ଅଶାନ୍ତିର ମୁଖ୍ୟ କାରଣ ହେଉଛି ବାଂଲାଦେଶର ରାଜନୈତିକ ସଂଘର୍ଷ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ କଟକଣା ଲାଗିବା ପରେ ଦଳ ପକ୍ଷରୁ ସରକାର ବିରୋଧୀ ପ୍ରତିବାଦ ଜୋରଦାର କରାଯାଇଛି। ନଭେମ୍ବର ୧୯ ତାରିଖରେ ଦଳ ପକ୍ଷରୁ ସାରା ଦେଶରେ ଲକଡାଉନ୍ ବା ବନ୍ଦ ଡାକରା ଦିଆଯାଇଥିଲା। ଦଳର ଦାବି ହେଉଛି, ଆୱାମୀ ଲିଗ୍ ଉପରୁ କଟକଣା ହଟାଯାଉ, ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯାଉ ଏବଂ ଦଳ ବିରୋଧରେ ହୋଇଥିବା ମାମଲା ଓ ଦଣ୍ଡାଦେଶର ପୁନର୍ବିଚାର କରାଯାଉ। ତେବେ ଏହି ଆନ୍ଦୋଳନ ମଧ୍ୟରେ ହିଂସାକାଣ୍ଡ ବଢ଼ିବା ସହ ଜନଜୀବନ ପ୍ରଭାବିତ ହୋଇଛି।

ବାଂଲାଦେଶର ଏହି ସଂକଟ ପଛରେ ରହିଛି ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ। ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଓ ବ୍ୟାପକ ଜନବିକ୍ଷୋଭ ପରେ କ୍ଷମତା ଛାଡ଼ି ଭାରତକୁ ଚାଲିଆସିଥିଲେ ଶେଖ୍ ହସିନା। ସେବେଠାରୁ ସେ ଭାରତରେ ରହୁଛନ୍ତି। ଏବେ ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଯୋଜନା ଥିବା କଥା ସେ କହିଛନ୍ତି। ଏଥିପାଇଁ ନୂଆ ପାସପୋର୍ଟ ଓ ପରିଚୟପତ୍ର ଲାଗି ଆବେଦନ କରିଥିବା ଖବର ମଧ୍ୟ ଆସିଛି। କିନ୍ତୁ ତାଙ୍କ ଫେରିବା ପ୍ରସଙ୍ଗକୁ ନେଇ ସରକାରଙ୍କ ସହ ମତଭେଦ ତୀବ୍ର ହୋଇଛି। ଏହାକୁ ନେଇ ଆୱାମୀ ଲିଗ୍ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଛି।

ହିଂସାର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ନୋବେଲ ବିଜେତା ତଥା ବାଂଲାଦେଶର ପୂର୍ବତନ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପୈତୃକ ଘରେ ନିଆଁ ଲାଗିବା। ଚଟ୍ଟୋଗ୍ରାମର ପଞ୍ଚଲାଇଶ ଅଞ୍ଚଳରେ ଥିବା ତାଙ୍କ ପୈତୃକ ବାସଭବନକୁ ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ରିପୋର୍ଟ ଆସିଛି। ଏହା ପଛରେ ଜ୍ୱଳନଶିଳ ପଦାର୍ଥ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। ତେବେ ଘରର ଉପର ମହଲାରେ ରହୁଥିବା ତାଙ୍କ ପୈତୃକ ପରିବାରର ସଦସ୍ୟମାନେ ସୁରକ୍ଷିତ ଥିବା ପୋଲିସ ସୂଚନା ଦେଇଛି। କେବଳ ଏତିକି ନୁହେଁ, ୟୁନୁସଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କର ବିଭିନ୍ନ ଶାଖା ଓ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ଖବର ରହିଛି। ଏହା ବାଂଲାଦେଶରେ ବଢ଼ୁଥିବା ପ୍ରତିଶୋଧମୂଳକ ରାଜନୀତି ଓ ଆଇନଶୃଙ୍ଖଳା ସଂକଟକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

ରାଜଧାନୀ ଢାକାଠାରୁ ଗୋପାଳଗଞ୍ଜ, ରାଜଶାହୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ହିଂସାର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ପୋଲିସ ଷ୍ଟେସନ୍ ଉପରେ ଆକ୍ରମଣ, ତ ଆଉ କେଉଁଠି ରାଜନୈତିକ ନେତାଙ୍କ ଘରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ। ଅନେକ ସ୍ଥାନରେ ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନକୁ ନିଆଁ ଲଗାଇ ଦିଆଯାଇଛି। ରେଳପଥର କିଛି ଅଂଶକୁ ମଧ୍ୟ କ୍ଷତି ପହଞ୍ଚାଯାଇଛି। ଏଭଳି ପରିସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ବାଂଲାଦେଶ ସରକାର। ସମ୍ବେଦନଶୀଳ ଅଞ୍ଚଳରେ ବର୍ଡର ଗାର୍ଡ ବାଂଲାଦେଶର ଯବାନଙ୍କୁ ମୁତୟନ କରାଯାଇଛି। ଢାକାରେ ମଧ୍ୟ ବ୍ୟାପକ ଚଢ଼ାଉ ଓ ଗିରଫଦାରୀ ଚାଲିଛି। କିନ୍ତୁ ପ୍ରଶ୍ନ ହେଉଛି, କେବଳ ସୁରକ୍ଷା ବାହିନୀର ମୁତୟନ ଦ୍ୱାରା କ'ଣ ଏହି ହିଂସାକୁ ରୋକାଯାଇପାରିବ?

ବର୍ତ୍ତମାନର ପରିସ୍ଥିତି ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ପାଇଁ ଏକ ବଡ଼ ରାଜନୈତିକ ପରୀକ୍ଷା ପାଲଟିଛି। ଫେବୃଆରୀ ୨୦୨୬ରେ କ୍ଷମତାକୁ ଆସିଥିବା ବିଏନ୍ପି ସରକାରଙ୍କ ସାମ୍ନାରେ ଏବେ ଦୁଇଟି ବଡ଼ ଆହ୍ୱାନ। ପ୍ରଥମଟି ହେଉଛି ଦେଶରେ ଆଇନଶୃଙ୍ଖଳା ଫେରାଇ ଆଣିବା ଏବଂ ଦ୍ୱିତୀୟଟି ହେଉଛି ରାଜନୈତିକ ସ୍ଥିରତା ବଜାୟ ରଖିବା। ଏହାରି ଭିତରେ ତାରିକ୍ ରହମାନ ଆୱାମୀ ଲିଗ୍ର ନେତୃତ୍ୱକୁ ନେଇ କଠୋର ମନ୍ତବ୍ୟ ଦେଇଛନ୍ତି। ସେ ଭାରତରେ ରହୁଥିବା ଶେଖ୍ ହସିନାଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାରତକୁ ମଧ୍ୟ ଦାୟୀ କରିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଚର୍ଚ୍ଚା ଓ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି।

ବାଂଲାଦେଶର ସଙ୍କଟ କେବଳ ରାଜନୈତିକ ଆନ୍ଦୋଳନରେ ସୀମିତ ନାହିଁ। ଦେଶର ଗାର୍ମେଣ୍ଟ ଶିଳ୍ପରେ ମଧ୍ୟ ଅସନ୍ତୋଷ ତୀବ୍ର ହୋଇଛି। ଅଧିକ ସର୍ବନିମ୍ନ ମଜୁରି ଦାବିରେ ପୋଷାକ କାରଖାନାର ଶ୍ରମିକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଢାକା ନିକଟବର୍ତ୍ତୀ ଆଶୁଲିଆ, ଗାଜିପୁର ଓ ନାରାୟଣଗଞ୍ଜ ଭଳି ଶିଳ୍ପାଞ୍ଚଳରେ ଆନ୍ଦୋଳନ ଓ ରାସ୍ତା ଅବରୋଧ ହୋଇଛି। ଏହାର ପ୍ରଭାବରେ ଯାତାୟାତ ଓ ଶିଳ୍ପ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ମନେ ରଖିବାକୁ ହେବ, ବାଂଲାଦେଶ ବିଶ୍ୱର ଅନ୍ୟତମ ପ୍ରମୁଖ ପୋଷାକ ରପ୍ତାନିକାରୀ ଦେଶ। ତେଣୁ ଏହି ଅସ୍ଥିରତା ଦୀର୍ଘସ୍ଥାୟୀ ହେଲେ ଦେଶର ଅର୍ଥନୀତି ଓ ରପ୍ତାନି ବ୍ୟବସାୟ ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିପାରେ।

also read- ଜଳୁଛି ବାଂଲାଦେଶ : ହିଂସା ରୋକିବାରେ ବିଫଳ ଦୁର୍ବଳ ତାରିକ୍ ରହମାନ ! ଓଲଟା ଭାରତ ଉପରେ ଲଦିଲେ ଦୋଷ  

ବାଂଲାଦେଶର ଏହି ଅସ୍ଥିରତା କେବଳ ସେହି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ। ଏହାର ପ୍ରଭାବ ପଡ଼ିପାରେ ପଡ଼ୋଶୀ ଭାରତ ଉପରେ । ଭାରତ ଓ ବାଂଲାଦେଶ ମଧ୍ୟରେ ରହିଛି ଦୀର୍ଘ ଆନ୍ତର୍ଜାତିକ ସୀମା। ବାଣିଜ୍ୟ, ସୀମା ସୁରକ୍ଷା, ଯୋଗାଯୋଗ, ଜଳ ବଣ୍ଟନ ଏବଂ ଆଞ୍ଚଳିକ ସ୍ଥିରତା ଦୃଷ୍ଟିରୁ ଦୁଇ ଦେଶର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶେଖ୍ ହସିନାଙ୍କ ଭାରତରେ ରହିବା, ତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଏବଂ ଭାରତକୁ ନେଇ ବାଂଲାଦେଶ ସରକାରଙ୍କ ମନ୍ତବ୍ୟ ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ଆହୁରି ସମ୍ବେଦନଶୀଳ କରିଛି। ଏଭଳି ସ୍ଥିତିରେ ଭାରତ ପାଇଁ ସୀମାରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସହ ବାଂଲାଦେଶର ରାଜନୈତିକ ପରିସ୍ଥିତି ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, କେବେ ଥମିବ ଏହି ହିଂସା? କେବେ ଫେରିବ ସାଧାରଣ ଜୀବନ? ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଶୋଧର ରାଜନୀତି ଏବଂ ଆର୍ଥିକ ଅସନ୍ତୋଷ ଭିତରେ ଛନ୍ଦି ହୋଇପଡ଼ିଛି ବାଂଲାଦେଶ। ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ। କିନ୍ତୁ ରାଜନୈତିକ ମତଭେଦ ଯେତେବେଳେ ହିଂସାର ରୂପ ନିଏ, ସେତେବେଳେ ଏହାର ସବୁଠାରୁ ବଡ଼ କ୍ଷତି ସହିବାକୁ ପଡ଼େ ସାଧାରଣ ଜନତାଙ୍କୁ। ତେଣୁ ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜନୈତିକ ସହମତି, ନିରପେକ୍ଷ ଆଇନଶୃଙ୍ଖଳା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ସମ୍ମାନ ଏବେ ସବୁଠାରୁ ବଡ଼ ଆବଶ୍ୟକତା।