ପୁକାରୀ, ୦୭/୦୪ : ଆକାଶରେ ହଠାତ ଶୁଭିଲା ଶବ୍ଦ । ଘରୁ ବାହାରି ଆସିଲେ ଗାଁ ଲୋକେ । ଚାହୁଁ ଚାହୁଁ ଚାଷ ଜମିରେ ଅବତରଣ କଲା ତିନି ତିନୋଟି ହେଲିକପ୍ଟର । ଓହ୍ଲାଇଲେ ଯବାନ । ଯାହାକୁ ନେଇ ଗାଁରେ ଖେଳିଗଲା କୋକୁଆ ଭୟ ।

​​​​​​​Also Read :-ପବନ ଖେଡ଼ାଙ୍କ ଘରେ ପହଞ୍ଚିଲା ଆସାମ ପୁଲିସ: ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଆଣିଥିଲେ ଅଭିଯୋଗ

ପୂରା ଘଟଣା

ମଙ୍ଗଳବାର ଉତ୍ତର ପ୍ରଦେଶର ବାନ୍ଦାରେ ଥିବା ପୁକାରୀ ଗଁରେ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ହଠାତ ଗୋଟିଏ ପରେ ଗୋଟିଏ ତିନୋଟି ହେଲିକପ୍ଟର ଅବତରଣ କରିଥିଲା । ଭିନ୍ନ ଭିନ୍ନ ଦିଗରୁ ଏହି ତିନୋଟି ହେଲିକପ୍ଟର ଗାଁରେ ଅବତରଣ କରିଥିଲା । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । କେହି କେହି ଶବ୍ଦ ଶୁଣି ଛାତକୁ ଚାଲି ଯାଇଥିଲେ । ଆଉ କେହି ଆକାଶକୁ ଚାହିଁଥିଲେ । କେଉଁଠି କିଛି ବଡ ଅଘଟଣ ଘଟିଛି କି ବୋଲି ଗ୍ରାମବାସୀ ଭାବିଥିଲେ ।

ହେଲିକପ୍ଟରରୁ ଓହ୍ଲାଇଲେ ଯବାନ

ହେଲିକପ୍ଟରରୁ ଭାରତୀୟ ବାୟୁସେନାର ଯବାନମାନେ ବାହାରିଥିଲେ । ତୁରନ୍ତ ଗାଁରେ ସେମାନେ ଛାନଭୀନ୍ କରିଥିଲେ । ଏହାପରେ କିପରି କୌଣସି ପ୍ରତିକୂଳ ସ୍ଥିତିର ମୁକାବିଲା କରାଯାଇ ପାରିବ ସେନେଇ ମକ୍ ଡ୍ରିଲ୍ କରିଥିଲେ । ପ୍ରାୟ ୫୦ ଜଣ ଯବାନ ଗାଁକୁ ଘେରି ଯାଇ ମକ୍ ଡ୍ରିଲ୍ କରିଥିଲେ । ଯାହା ଦେଖିବା ପରେ ଲୋକେ ଭୟଭୀତ ହେବା ସହ ସେମାନଙ୍କ ମନରେ ଉତ୍ସାହ ବଢିଥିଲା । ଆଖପାଖ ଗାଁରୁ ମଧ୍ୟ ଲୋକେ ଆସିଯାଇଥିଲେ ।

ଗାଁ ଲୋକଙ୍କ ପାଇଁ ଏହି ଘଟଣା ସମ୍ପୂର୍ଣ୍ଣ ନୂଆ ଥିଲା । ସେମାନେ କେବେ ପୂର୍ବରୁ ଏତେ ସଂଖ୍ୟକ ହେଲିକପ୍ଟର ଏବଂ ଯବାନଙ୍କୁ ଦେଖିନଥିଲେ । ପ୍ରଥମେ ସେମାନେ ଡରି ଯାଇଥିଲେ ମଧ୍ୟ ପରେ ଆଶ୍ୱସ୍ତ ହୋଇଥିଲେ । ଅନେକ ବ୍ୟକ୍ତି ପୂରା ଘଟଣାକୁ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ ।

କିଛି ଘଣ୍ଟା ଧରି ମକ୍ ଡ୍ରିଲ୍ କରିବା ପରେ ଯବାନମାନେ ଫେରି ଯାଇଥିଲେ । ଯାହାକୁ ନଜରରେ ରଖି ପୋଲିସ ମଧ୍ୟ ସ୍ଥିତି ଉପରେ ନଜର ରଖିଥିଲା । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଅନୁସାରେ, ସେନା କୌଣସି ଜରୁରୀକାଳିନ ସ୍ଥିତିର ମୁକାବିଲା ପାଇଁ ମକ୍ ଡ୍ରିଲ୍ କରିଥିଲା । ଏହାକୁ ନେଇ ଡରିବାର କିଛି କାରଣ ନାହିଁ । ଏହା ଏକ ନିୟମିତ ଅଭ୍ୟାସ ବୋଲି ପୋଲିସ କହିଛି ।