ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବିବାଦ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ମଧ୍ୟରେ ନିର୍ବାଚନ ଆୟୋଗ (ଇସି) ୧୭ ରାଜ୍ୟରେ ବିଶେଷ ସାରାଂଶ ସମୀକ୍ଷା (ଏସଏସଆର) କରିବେ। ଏଥି ପାଇଁ ରାଜ୍ୟମାନଙ୍କୁ ସୂଚିତ କରାଯାଇଛି। ଏହି ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ମଧ୍ୟ ରହିଛି, ଯେଉଁଠି ଆଗାମୀ ସମୟରେ ନିର୍ବାଚନ ହେବ। ଏଥି ପାଇଁ ଇସି ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଲେଖିଥିବା ପତ୍ରରେ ଏହି ପ୍ରକ୍ରିୟା ଲାଗି ୧ ଜାନୁୟାରୀ ୨୦୨୭ ନିର୍ଦ୍ଧାରିତ କଟ-ଅଫ ତାରିଖ ହେବ।

୪୦୩ ସଦସୀୟ ଉତ୍ତରପ୍ରଦେଶ ବିଧାନସଭାର ବର୍ତ୍ତମାନ କାର୍ଯ୍ୟକାଳ ୨୨ ମେ ୨୦୨୭ରେ ସମାପ୍ତ ହେବ। ସେହିପରି ମଣିପୁର, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡ ବିଧାନସଭା ନିମନ୍ତେ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୭ର ଅଲଗା ଅଲଗା ତାରିଖରେ ସମାପ୍ତ ହେବ। ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୦ଅନୁସାରେ ନିର୍ବାଚନ ଆୟୋଗଙ୍କୁ ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେବାର ୬ ମାସ ପୂର୍ବରୁ ନିର୍ବାଚନ କରାଇବାକୁ ଅନୁମତି ଥାଏ।

ଏସଆଇଆର ଓ ଏସଏସଆରରେ ଅନ୍ତର କ’ଣ?
ବିଶେଷ ସାରାଂସ ସମୀକ୍ଷା (ଏସଏସଆର)ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ଯୋଗ୍ୟ ଭୋଟରଙ୍କୁ ଯୋଡିବା ଓ ସାମାନ୍ୟ ସଂଶୋଧନ କରିବା। ତେବେ ଏସଆଇଆର ଏକ ଅଧିକ ଓ ବ୍ୟାପକ ପ୍ରକ୍ରିୟା। ଏଥିରେ ସାରା ରାଜ୍ୟରେ ଘରକୁ ଘର ଯାଇ ସତ୍ୟାପନ କରିବା, ଏଣ୍ଟ୍ରି ଗୁଡିକୁ ସତର୍କ ଭାବେ ଯାଞ୍ଚ କରିବା ଓ ବଡ଼ ଧରଣର ଡାଟା ଅଡିଟ ଆଦି କରିବାକୁ ପଡେ। ଉଦାହରଣ ଭାବେ ଏସଏସଆରରେ ଯଦି କୌଣସି ଭୋଟର ତାଙ୍କ ଘର ବଦଳାନ୍ତି ତେବେ ସେ ତାଙ୍କର ଠିକଣା ଅପଡେଟ୍ କରିବା ପାଇଁ ଏକ ଫର୍ମ ପୂରଣ କରିବେ। ହେଲେ ଏସଆଇଆରରେ ଏହା ସମ୍ଭବ ନୁହେଁ। ଏସଆଇଆରରେ ବୁଥ ଲେବୁଲ ଅଫିସର(ବିଏଲଓ) ସେହି ଠିକଣାରେ ଯାଆନ୍ତି ଓ ଏହା ପୁଷ୍ଟି କରନ୍ତି ଭୋଟର ସେହି ଠିକଣାରେ ଏବେ ରହୁଛନ୍ତି କି ନା ଓ ଏହା ବି ଦେଖନ୍ତି ଯେ ଏଠାରେ କୌଣସି ନୂଆ ବ୍ୟକ୍ତି ଭୋଟ ଦେବା ବୟସରେ ପଦାର୍ପଣ କରିସାରିଲେଣି କି?

ଏସଆଇଆରକୁ ନେଇ ବିବାଦ
ତେବେ ଏସଆଇଆରକୁ ନେଇ ସାରା ଦେଶରେ ଏବେ ବିବାଦ ଉପୁଜିଛି। ବିରୋଧୀ ଦଳମାନେ ଭୋଟରଙ୍କ ନାମ ହଟିବା ଓ ପାତ୍ର ଭୋଟର ତାଲିକାରୁ ବାହାରେ ରହିଯିବାର ଆଶଙ୍କା କରୁଛନ୍ତି। ତେବେ ନିର୍ବାଚନ ଆୟୋଗଙ୍କ କହିବା କଥା ହେଉଛି ଏହି କାର୍ଯ୍ୟକ୍ରମ ଦ୍ୱାରା ମତଦାତା ସୂଚୀକୁ ଅପଡେଟ କରାଯାଉଛି। ଏଥିରେ ଦୋହରା ଅଥବା ଅଯୋଗ୍ୟ ଲୋକଙ୍କ ନାମ ହଟା ଯାଉଛି। ଏହା ଛଡା ଏ କଥା ବି ସୁନିଶ୍ଚିତ କରାଯାଉଛି ଯେ ସବୁ ପାତ୍ର ଭୋଟର ଯେପରି ତାଲିକାରେ ରହନ୍ତି। ତେବେ ବିରୋଧୀ ଦଳମାନେ ଏହି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛନ୍ତି। ସେମାନେ ଅଭିଯୋଗ କରୁଛନ୍ତି ଯେ ଏହା ଦ୍ୱାରା ଅସଲି ଭୋଟର ସେମାନଙ୍କ ଭୋଟଦାନ ଅଧିକାର ହରାଇ ପାରନ୍ତି। ଏହି ବିବାଦ ଏବେ ସୁପ୍ରିମକୋର୍ଟକୁ ପହଞ୍ଚି ଯାଇଛି।