ନୂଆଦିଲ୍ଲୀ: କାଶ୍ମୀରରେ ଶୀତ ଦିନ ଜଳଦି ଆରମ୍ଭ ହୋଇଯାଇଛି । ଉପତ୍ୟକାର ଉଚ୍ଚ ପାର୍ବତ୍ୟାଞ୍ଚଳଗୁଡ଼ିକରେ ତାଜା ତୁଷାରପାତ ହୋଇଛି । ଫଳରେ ସମଗ୍ର ଅଞ୍ଚଳର ତାପମାତ୍ରା ହ୍ରାସ ପାଇଛି । ଏହା ସହ ପାହାଡ଼ିଆ ଅଞ୍ଚଳ ସୁନ୍ଦର ଧଳା ଚାଦରରେ ଢାଙ୍କି ଇଛି। ଏହି ପ୍ରାକ୍-ଶୀତ ଆଗମନ ଫଳରେ ସମଗ୍ର ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି।

ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଥିବା ତୁଲେଲ୍ ଉପତ୍ୟକାର କିଲସେ ଟପ୍ ଏବଂ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉଚ୍ଚ ପାହାଡ଼ିଆ ଅଞ୍ଚଳ ସମେତ ରାଜଦାନ ପାସ୍‌ରେ ପ୍ରବଳ ବରଫପାତ ହୋଇଛି। ପ୍ରାୟ ୩,୫୫୮ ମିଟର ଉଚ୍ଚତାରେ ଅବସ୍ଥିତ ରାଜଦାନ ପାସ୍‌ରେ ବରଫପାତ ହୋଇଛି।  ଫଳରେ ୮୫ କିଲୋମିଟର ଦୀର୍ଘ ବାନ୍ଦିପୋରା-ଗୁରେଜ୍ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି । 

ଗୁଲମର୍ଗରେ ତୁଷାରପାତ

ଅନ୍ୟପଟେ, କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି। ଗୁଲମର୍ଗର ଆଫାରୱାଟ୍ ପାହାଡ଼ ଉପରେ କ୍ରମାଗତ ବରଫପାତ ହେବା ଫଳରେ ଏହା ଏକ ମନୋରମ ଶୀତକାଳୀନ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ସମୟ ପୂର୍ବରୁ ବରଫପାତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଭ୍ରମଣକାରୀମାନେ ବରଫାବୃତ ପରିବେଶରେ ଫଟୋ ଓ ଭିଡିଓ ଉଠାଇ ମଜା ନେଉଛନ୍ତି ।

ବର୍ଷା ଓ ଭୂସ୍ଖଳନ

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ବାରମୁଲ୍ଲା ଜିଲ୍ଲାର ଉରୀ ଜାତୀୟ ରାଜପଥ ଉପରେ ବଡ଼ ବଡ଼ ପଥର ଖସିପଡ଼ିଥିଲା। ତେବେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହେବାର ସମ୍ଭାବନା ରହିଛି । ଉଚ୍ଚ ପାର୍ବତ୍ୟାଞ୍ଚଳରେ ବରଫପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି, ପବନ ଏବଂ କୁଆପଥର ବୃଷ୍ଟି ମଧ୍ୟ ହୋଇପାରେ।

କେମିତି ରହିବ ପାଣିପାଗ ?

ଅକ୍ଟୋବର ୧୬ରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ । ଅକ୍ଟୋବର ୧୭ ରୁ ୨୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୁଖିଲା ପାଣିପାଗ ରହିବାର ସମ୍ଭାବନା ରହିଛି । ତେବେ ଅକ୍ଟୋବର ୨୫ ରୁ ୨୭ ମଧ୍ୟରେ ପୁଣି ଥରେ ମେଘୁଆ ପାଗ ସହ ବର୍ଷା ଓ ଉଚ୍ଚ ପାହାଡ଼ରେ ବରଫପାତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ସେମାନଙ୍କର ସେଓ, ଧାନ ଏବଂ ଅନ୍ୟାନ୍ୟ ଫସଲକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।