ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଚାଷ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସ୍ଥାନୀୟ ଅଞ୍ଚଳର ଚାଷୀ ବାବୁଲି ଦାସ ଏବଂ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ପାଖ ଗାଁର ଜଣେ ବୃଦ୍ଧା ପାର୍ବତୀ ମୁଣ୍ଡା । ତଳି ବଞ୍ଚାଇବା ପାଇଁ ଚାଷୀ ଜଣକ ବିଛାଇଥିବା ବିଦ୍ୟୁତ ତାର ।

କେମିତି ଘଟିଲା ଅଘଟଣ ?

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବାବୁଲି ଦାସ ନିଜ ଚାଷ ଜମିରେ ଲଗାଯାଇଥିବା ଧାନ ତଳିକୁ ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ଚାରିପାଖେ ଜାଲି ସହିତ ଲୁହା ତାର ଲଗାଇଥିଲେ । ଏହା ସହିତ ସୁରକ୍ଷା ପାଇଁ ସେହି ତାରରେ ବିଦ୍ୟୁତ ସଂଯୋଗ କରିଦେଇଥିଲେ । ମାତ୍ର ଆଜି ସକାଳେ ଅଜାଣତରେ ସେହି ବିଦ୍ୟୁତ ତାରର ସଂଯୋଗ ନଖୋଲି ବାବୁଲି ବିଲ ଭିତରକୁ ଯାଇଥିଲେ । ଫଳରେ ସେ ନିଜେ ବିଛାଇଥିବା ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛଟପଟ ହେବାକୁ ଲାଗିଥିଲେ ।

ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ବୃଦ୍ଧା

ବିଲ ଭିତରେ ବାବୁଲି କରେଣ୍ଟ ମାଡ଼ରେ ଛଟପଟ ହେଉଥିବା ଦେଖି ରାସ୍ତା ପାଖରେ ଘର କରି ରହୁଥିବା ବୃଦ୍ଧା ପାର୍ବତୀ ମୁଣ୍ଡା ସାହାଯ୍ୟ ପାଇଁ ଆସିଥିଲେ । ସେ ତୁରନ୍ତ ବାବୁଲିଙ୍କ ଜୀବନ ବଞ୍ଚାଇବାକୁ ବିଲକୁ ଯାଇଥିଲେ। ମାତ୍ର ସେଠାରେ ସେ ମଧ୍ୟ ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ । ଦୁର୍ଭାଗ୍ୟବଶତଃ ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ସ୍ଥାନୀୟ ଲୋକେ ପ୍ରଥମେ ବିଦ୍ୟୁତ ତାରକୁ ଛିଣ୍ଡାଇ ଲାଇନ କାଟିଥିଲେ । ଏହାପରେ ଅଡ଼ା ଦମକଳ କେନ୍ଦ୍ର ଏବଂ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ବିଲ ମଧ୍ୟରୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।