ବଲାଙ୍ଗିର ୨୮।୩: ଲଘୁଖଣିଜ ସୁରକ୍ଷା ପାଇଁ ରାଜସ୍ବ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ଏମିତିକି ତହସିଲଦାର, ଆରଆଇ, ସୁପରଭାଇଜର ମାନେ ପୋଲିସର ସହାୟତା ନେଇ ଚୋରାଚାଲାଣ ଉପରେ ରୋକ୍ ଲଗାଇ ପାରିବେ । ଆବଶ୍ୟକ ପଡ଼ିଲେ ଗାଡ଼ିକୁ ଜବତ କରି ମାଲିକ/ଡ୍ରାଇଭରଙ୍କୁ ପୋଲିସ ଜିମା ଦେଇପାରିବେ । ହେଲେ ଲଘୁଖଣିଜ ସୁରକ୍ଷା ଆଳରେ ରାଜସ୍ବ କର୍ମଚାରୀ ନିଜେ ଲୁଟ୍ ଚଳାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଳା ତହସିଲ ଅଞ୍ଚଳରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଯେଉଁଠି ବେଆଇନ ମାଟି ଚାଲାଣ ଅଭିଯୋଗରେ ଫାଇନ୍ ପକାଇ ନଗଦ ୧୦ ହଜାର ଟଙ୍କା ନେବାପରେ ଦୁଇଟି ପର୍ଯ୍ୟାୟରେ ପୁଣି ୧୫ ହଜାର ନିଆଯାଇଛି । ୟୁପିଆଇ ମାଧ୍ୟମରେ ନେଣଦେଣର ପ୍ରମାଣ ମଧ୍ୟ ରହିଛି ଅଭିଯୋଗକାରୀଙ୍କ ନିକଟରେ । ଅର୍ଥାତ ୧୦ ହଜାର ଟଙ୍କାର ଫାଇନ ପକାଇ ୨୫ ହଜାର ଟଙ୍କା ନେଇଛନ୍ତି ରାଜସ୍ବ ଅଧିକାରୀ/କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ବଲାଙ୍ଗିର ଜିଲ୍ଲା ସଇଁତଳା ଅଞ୍ଚଳର ଚାଷୀ ଦିଗାମ୍ବର ବେହେରା ନିଜ ଚାଷଜମିକୁ ସମାନ କରିବାକୁ ମାଟି ଉଠାଇ ନିକଟସ୍ଥ ଜମିକୁ ନେଉଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲେ ରାଜସ୍ୱ କର୍ମଚାରୀ । ଆଉ ଏଭଳି କାମକୁ ବେଆଇନ ବୋଲି ମଧ୍ୟ କହିଥିଲେ । ଏଥିସହ ଏକ ବେଆଇନ ମାଟି ଚାଲାଣ ମାମଲା ରୁଜୁକରି ଦୁଇଟି ଟ୍ରାକ୍ଟରକୁ ମିଶାଇ ଏକ ଲକ୍ଷରୁ ଅଧିକ ଟଙ୍କା ଫାଇନ୍ ପଡିବ କହିବା ପରେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ କହିଥିଲେ । ଚାଷୀ ଜଣଙ୍କ ୧୦ ହଜାର ଟଙ୍କାର ଫାଇନ୍ ଦେଇ ତାର ରସିଦ ମଧ୍ୟ ନେଇଥିଲେ । ହେଲେ କିଛି ସମୟ ପରେ ପୁଣି ତାଙ୍କୁ ଅତିରିକ୍ତ ୧୫ ହଜାର ଟଙ୍କା ମଗାଯାଇଥିଲା । ଯାହାକୁ ସେ ସଂପୃକ୍ତ ଆରଆଇ ଏବଂ ସୁପରଭାଇଜରଙ୍କ ବ୍ୟକ୍ତିଗତ ୟୁପିଆଇରେ ପଠାଇଥିଲେ । ତାର ପ୍ରମାଣ ମଧ୍ୟ ସେ ରଖିଛନ୍ତି ।

Also Read:- PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ଟାର୍ଗେଟ୍ ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ

ତେବେ ଏଥିରେ କିଛି ଗଡ଼ବଡ଼ ଥିବା ନେଇ ସେ ସନ୍ଦେହ କରିଥିଲେ । ଚୋରାଚାଲାଣ ଅଭିଯୋଗରେ ଫାଇନ ଦାଖଲ ପରେ ମଧ୍ୟ ଏଭଳି ଟଙ୍କା ଆଦାୟକୁ ନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।