ପୁରୀ :  ଖଣ୍ଡୁଆ ପାଟ କେବଳ ଗୋଟିଏ କପଡ଼ା ନୁହେଁ। ଏହା ଓଡ଼ିଆ ଅସ୍ମିତା । ଭକ୍ତି ଆଉ ପରମ୍ପରାର ପ୍ରତୀକ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହି ଖଣ୍ଡୁଆ ପାଟ ଲାଗି ହୁଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ନୀତିକାନ୍ତିରେ ଖଣ୍ଡୁଆ ପାଟର ବିଶେଷ ସ୍ଥାନ ରହିଛି । ଭକ୍ତମାନେ ଏହାକୁ ଅତ୍ୟନ୍ତ ପବିତ୍ର ବୋଲି ମାନନ୍ତି । ଘରେ ପୂଜା ହେଉ କି ଶୁଭ କାର୍ଯ୍ୟ । ଖଣ୍ଡୁଆ ପାଟକୁ ସମ୍ମାନର ସହ ବ୍ୟବହାର କରାଯାଏ । ଏହା ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ଭକ୍ତମାନେ ଭାବନ୍ତି । କିନ୍ତୁ ଗତ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ଏଭଳି କିଛି ଭିଡିଓ ଓ ଫଟୋ ଭାଇରାଲ୍ ହେଉଛି । ଯାହାକୁ ଦେଖି ଭକ୍ତ ସେବାୟତଙ୍କ ଭାବନାକୁ ଆଘାତ ଲାଗିଛି । କିଛି ଲୋକ ଚପଲ ପିନ୍ଧି କାନ୍ଧରେ ଖଣ୍ଡୁଆ ପାଟ ପକାଇ ବୁଲୁଛନ୍ତି । କିଛି ଜାଗାରେ ଖଣ୍ଡୁଆ ପାଟ ପିନ୍ଧି ଡିଜେ ଗୀତରେ ନାଚୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା କେବଳ ଫ୍ୟାସନ୍ କି ମନୋରଞ୍ଜନ ନୁହେଁ । ଏହା ପବିତ୍ରତା ପ୍ରତି ଅସମ୍ମାନ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ସେବାୟତ ।

ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥ ପ୍ରେମୀ କହିଛନ୍ତି ଖଣ୍ଡୁଆ ପାଟ ଫ୍ୟାସନ୍ ପାଇଁ ନୁହେଁ, ଏହା ଭକ୍ତି ପାଇଁ। ଏହାକୁ ଡ୍ୟାନ୍ସ କି ରିଲ୍ସ ପାଇଁ ବ୍ୟବହାର କରିବା ବନ୍ଦ ହେବା ଦରକାର । ସେହିପରି ଆଜି ଖଣ୍ଡୁଆ ପାଟ, କାଲି ଆଉ କିଛି । ଏମିତି ଚାଲିଲେ ଆମ ପରମ୍ପରା ଆଉ ହଜିଯିବନି ତ ବୋଲି ପ୍ରଶ୍ନ ଉଠିଛି ? ଏହାକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

​​​​​​​

 ସେପଟେ ସେବାୟତଙ୍କ କହିବା କଥା, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ ଅତ୍ୟନ୍ତ ପବିତ୍ର । ଏଣୁ ନିୟମ ଅନୁଯାୟୀ ଶୁଦ୍ଧତା ସହ ବ୍ୟବହାର କରିବାକୁ ହେବ । ଚପଲ ପିନ୍ଧି କାନ୍ଧରେ ପକାଇବା କିମ୍ବା ଡିଜେ ଗୀତରେ ନାଚିବା ବେଳେ ବ୍ୟବହାର କରିବା ମହାପ୍ରଭୁଙ୍କ ପ୍ରତି ଅପମାନ ସହ ସମାନ । ଏହା ପରମ୍ପରା ବିରୋଧୀ କାର୍ଯ୍ୟ । ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଦରକାର । ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ କହିବା କଥା ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟକୁ ଅସମ୍ମାନ କରିବା ଆଦୌ ଉଚିତ୍ ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ଭାବନା ସହ ଜଡ଼ିତ । ଏଭଳି କାର୍ଯ୍ୟରୁ ସମସ୍ତେ କ୍ଷାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି। ଭକ୍ତି ଦେଖାଇବା ପାଇଁ ଖଣ୍ଡୁଆ ପାଟକୁ ଭୁଲ୍ ଭାବେ ବ୍ୟବହାର କରିବା ଆବଶ୍ୟକ ନାହିଁ । ସମ୍ମାନ ହିଁ ପ୍ରକୃତ ଭକ୍ତି।

Also Read- ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୁରୁ ରବିଶଙ୍କର, ଦେଶବାସୀଙ୍କ ମଙ୍ଗଳ କାମନା କଲେ

ତେବେ ପ୍ରଶ୍ନ ଉଠୁଛି ଖଣ୍ଡୁଆ ପାଟକୁ କେମିତି ବ୍ୟବହାର କରିବା ଉଚିତ୍ ? ବୟୋଜ୍ୟେଷ୍ଠ ଓ ସେବାୟତମାନଙ୍କ ମତରେ, ଖଣ୍ଡୁଆ ପାଟ ପିନ୍ଧିବା ବେଳେ ଶୁଦ୍ଧତା ରଖିବା ଜରୁରୀ । ଚପଲ ବିନା, ପରିଷ୍କାର ଭାବେ ଏହାକୁ କାନ୍ଧରେ କିମ୍ବା ମୁଣ୍ଡରେ ରଖିବା ଉଚିତ୍। ପୂଜା, କୀର୍ତ୍ତନ, ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ହୋଇପାରେ। କିନ୍ତୁ ଡିଜେ, ଡ୍ୟାନ୍ସ, ରିଲ୍ସ ପାଇଁ ଏହାକୁ ସାଧାରଣ କପଡ଼ା ଭଳି ବ୍ୟବହାର କରିବା ଠିକ୍ ନୁହେଁ। ନୂଆ ପିଢ଼ିଙ୍କୁ ଏ ବିଷୟରେ ସଚେତନ କରିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ।