ନୂଆଦିଲ୍ଲୀ ୦୬।୦୯: ମନୋରଞ୍ଜନ ଜଗତରୁ ଆସିଛି ଏକ ବଡ଼ ଚର୍ଚ୍ଚିତ ଖବର। ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଏବଂ ଲୋକପ୍ରିୟ ଗାୟକ ତଥା ରାପର୍ ବାଦଶାହଙ୍କ ସମ୍ପର୍କକୁ ନେଇ ଚାଲିଥିବା ଗୁଜବ ଉପରେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ଈଶା ଉଭୟଙ୍କ ବିବାହ ଏବଂ ପରେ ଅଲଗା ହେବାକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥିବା ବେଳେ, ଏବେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ଈଶା ରିଖି।

ବିବାହ ଏବଂ ଅଲଗା ହେବାକୁ ନେଇ ଚାଲିଥିବା ବିଭିନ୍ନ ଗୁଜବକୁ ନେଇ ଈଶା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରଚାରିତ ହେଉଛି। ଯାହା ଦେଖି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କ ବିବାହ କିମ୍ବା ଅଲଗା ହେବା ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନକରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଈଶା ଆହୁରି କହିଛନ୍ତି ଯେ ସେ ନିଜେ ସିଧାସଳଖ କୌଣସି ସୂଚନା ନଦେଲେ, ତାଙ୍କ ସମ୍ପର୍କିତ ଖବରକୁ ଲୋକେ ବିଶ୍ୱାସ ନକରନ୍ତୁ। ଆଗାମୀ ଦିନରେ ତାଙ୍କ ଜୀବନ ସମ୍ପର୍କରେ ଯଦି କୌଣସି ଅପଡେଟ୍ ଥାଏ, ତେବେ ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇବେ ବୋଲି କହିଛନ୍ତି।

ବିବାହ ଭାଙ୍ଗିବା ନେଇ ପ୍ରଥମ ଥର କହିଲେ ଈଶା

ଏକ ସାକ୍ଷାତକାରରେ ଈଶା ରିଖି ବାଦଶାହଙ୍କ ସହ ତାଙ୍କ ସମ୍ପର୍କ ଏବଂ ବିବାହ ଭାଙ୍ଗିବାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ସେ ଏହି ପ୍ରସଙ୍ଗରେ ନୀରବ ରହିଥିଲେ। ନିଜ ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ ଆଲୋଚନାର ବିଷୟ କରିବାକୁ ସେ ଚାହୁଁନଥିବାରୁ ଏପର୍ଯ୍ୟନ୍ତ ଏନେଇ କୌଣସି ମନ୍ତବ୍ୟ ଦେଇନଥିଲେ ବୋଲି ଈଶା କହିଛନ୍ତି। ଈଶାଙ୍କ କହିବା ଅନୁସାରେ, ସେ ଏକ କଠିନ ଏବଂ ଖରାପ ଅଭିଜ୍ଞତା ଦେଇ ଗତି କରିଛନ୍ତି। ତଥାପି ଏହି ଘଟଣା ତାଙ୍କୁ ଜଣେ ନକାରାତ୍ମକ ବ୍ୟକ୍ତିରେ ପରିଣତ କରୁ ବୋଲି ସେ ଚାହୁଁନାହାନ୍ତି। ଏହି ଅନୁଭୂତିରୁ ବାହାରିବା ପାଇଁ ତାଙ୍କୁ କିଛି ସମୟ ଲାଗିବ ବୋଲି ସେ ସ୍ୱୀକାର କରିଛନ୍ତି।

ଦ୍ୱିତୀୟ ବିବାହକୁ ନେଇ କ’ଣ କହିଲେ?

ଈଶାଙ୍କୁ ଦ୍ୱିତୀୟ ବିବାହ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସେ ପୁଣି ବିବାହ କରିବା ବିଷୟରେ ଚିନ୍ତା କରୁନାହାନ୍ତି। ବରଂ ଆଉଥରେ ବିବାହ କରିବାକୁ ସେ ଭୟ କରୁଛନ୍ତି। ଏବେ ତାଙ୍କ ଜୀବନରେ ବିବାହ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଈଶା କହିଛନ୍ତି। ତେବେ ଭବିଷ୍ୟତରେ କ’ଣ ହେବ, ତାହା କେହି ଜାଣିନାହାନ୍ତି ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି।

ଗୁପ୍ତ ବିବାହ ପରେ ଆସିଥିଲା ଚର୍ଚ୍ଚା

ଈଶା ରିଖି ଏବଂ ବାଦଶାହ ପ୍ରାୟ ଚାରି ବର୍ଷ ଧରି ଡେଟ୍ କରିବା ପରେ ସିକ୍ରେଟ୍ ବିବାହ କରିଥିବା ଖବର ଚର୍ଚ୍ଚାକୁ ଆସିଥିଲା। ୨୦୨୬ ମାର୍ଚ୍ଚରେ ଈଶାଙ୍କ ମାଆ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋ ସେୟାର କରିବା ପରେ ଏହି ବିବାହ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହାର କିଛି ମାସ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, ଈଶା ରିଖି ଖୁବଶୀଘ୍ର ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ରେ ନଜର ଆସିବେ। ଶୋ’ର ଗ୍ରାଣ୍ଡ ପ୍ରିମିୟର ୬ ସେପ୍ଟେମ୍ବର ୨୦୨୬ରେ ହେବାକୁ ଯାଉଥିବାରୁ ଈଶାଙ୍କ ବ୍ୟକ୍ତିଗତ ଜୀବନ ସହ ତାଙ୍କ ଆଗାମୀ ଟେଲିଭିଜନ୍ ଯାତ୍ରାକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।