ନୂଆଦିଲ୍ଲୀ: ପ୍ରଭୁ ଶୀରାମ ଓ ଭଗବାନ କୃଷ୍ଣଙ୍କୁ ତୁଳନା କରି ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଛନ୍ତି ବାବା ବେଗେଶ୍ୱର ଧାମର ମୁଖ୍ୟ ପୂଜକ ଧୀରେନ୍ଦ୍ର ଶାସ୍ତ୍ରୀ। ଭିଡିଓକୁ ଅଧା ଦେଖି ଏହାର ଭୁଲ ଅର୍ଥ ବାହାର କରାଯାଇଛି ବୋଲି କହିଛନ୍ତି ଧୀରେନ୍ଦ୍ର।

ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା କରେରାରେ ରାମ କଥା ଶୁଣାଉଥିବା ବେଳେ ଧୀରେନ୍ଦ୍ର ଶାସ୍ତ୍ରୀ ଶ୍ରୀ ରାମ ଓ କୃଷ୍ଣଙ୍କୁ ନେଇ ତୁଳନା କରିଥିଲେ। ଏଥିରେ ସେ ଏକାଧିକ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ତାଙ୍କର ଛୋଟ ଛୋଟ ଭିଡିଓ କ୍ଲିପ୍ ଭାଇରାଲ ହୋଇଥିଲା।

ଧୀରେନ୍ଦ୍ରଙ୍କ ମନ୍ତବ୍ୟକୁ ଧାର୍ମିକ ବ୍ୟକ୍ତିମାନେ ବିରୋଧ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ସହ କ୍ଷମା ମାଗିଛନ୍ତି। ଦୁଇ ଦେବତାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

ଘଟଣାକୁ ନେଇ ଧୀରେନ୍ଦ୍ର କହିଛନ୍ତି “ରାମ ଜୀ ଖୁବ୍ ସିଧାସାଧା, ହେଲେ ଠାକୁର ଜୀ କିନ୍ତୁ ତେଡ଼ା” ଅନେକ ଲୋକ ଏହି କଥାର ଅର୍ଥକୁ ଭୁଲ ଭାବରେ ବୁଝିଛନ୍ତି।। ଯାହାକୁ ନେଇ ବିଭିନ୍ନ ଜାଗାରେ ଅର୍ଥହୀନ ଓ ଅନୁପଯୁକ୍ତ ଆଲୋଚନା ଆରମ୍ଭ ହୋଇଯାଇଛି। ମୁଁ ବିନମ୍ରତାର ସହ କହିବାକୁ ଚାହେଁ ଯେ, ମୁଁ ନିଜେ ଠାକୁରଜୀ (ଭଗବାନ ଶ୍ରୀକୃଷ୍ଣ)ଙ୍କର ଜଣେ ଭକ୍ତ। ମୁଁ ବ୍ରଜର ଜଣେ ଭକ୍ତ। ମୁଁ ପ୍ରାର୍ଥନା କଲାବେଳେ ଠାକୁରଜୀଙ୍କ ନିକଟରେ ବ୍ରଜରେ ଜୀବନ ବିତାଇବା ପାଇ ଏକ ସୁଯୋଗ ମାଗିଥାଏ। ମୁଁ ନିଜ ସାମର୍ଥ୍ୟ ଅନୁସାରେ ଶ୍ରୀମଦ୍ ଭାଗବତ କଥାର ବର୍ଣ୍ଣନା କରିଥାଏ ଏବଂ ଠାକୁରଜୀଙ୍କ ଗୁଣଗାନ କରିଥାଏ।" ମୋ କଥାରେ ଅର୍ଥକୁ ଅଲଗା କରି ଦର୍ଶାଯାଇଛି। ତଥାପି ଯଦି ମୋର ଏହି ମନ୍ତବ୍ୟ ଦ୍ୱାରା କାହାର ଭାବନା ଆଘାତ ପାଇଥାଏ ତେବେ ମୁଁ କ୍ଷମା ପ୍ରାର୍ଥୀ ବୋଲି ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି।

Also Read- ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୌଣସି ସ୍ଥାନକୁ ଦଖଲ କରାଯାଇପାରିବ ନାହିଁ: ଆନ୍ଦୋଳନରେ ହୋଇଥିବା ବ୍ୟବସାୟିକ କ୍ଷତିକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ଭିଡିଓରେ ବାଗେଶ୍ୱର ବାବା ଆହୁରି କହିଛନ୍ତି “ ଏହି ନିନ୍ଦା କରି ମୁଁ ପ୍ରଭୂ ରାମ ଓ ଭଗବାନ କୃଷ୍ଣଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବାକୁ ଉଦ୍ଦେଶ୍ୟ ରଖି ନଥିଲି। ଯେପରି ଗୋପୀମାନେ ଭଗବାନ କୃଷ୍ଣଙ୍କୁ ନିନ୍ଦା କରୁଥିଲେ, କବି ବିନ୍ଦୁ ଜୀ ମହାରାଜ ପ୍ରଭୁଙ୍କ ପ୍ରତି ପିଲାଳିଆମୀ ଦେଖାଇ ଅଭିଯୋଗ ପ୍ରକାଶ କରୁଥିଲେ। ଠିକ୍ ସମାନ ଭାବରେ ମୁଁ ଜଣେ ସନ୍ଥଙ୍କ ଦ୍ୱାରା ଳିଖିତ ଏକ ଜଣାଶୁଣା ପଦ୍ୟକୁ ଉଲ୍ଲେଖ କରିଥିଲି। ଯେଉଁଥିରେ ବଂଶୀ ବଜାଇବା ଏକପ୍ରକାର ଖେଳ ଓ ଧନୁ ଧିରବା ଏକ ବହୁତ ଗମ୍ଭୀର ବିଷୟ ବୋଲି ସୂଚିତ କରେ। ମୁଁ କେବଳ ଏହି ଭବାନାର ବ୍ୟାଖ୍ୟା କରିଥିଲି। ତଥାପି ଅନେକ ଲୋକେ ସମ୍ପୂର୍ଣ୍ଣ ଭିଡିଓ ନ ଦେଖି ମୋତେ କୃଷ୍ଣ ବିରୋଧୀ ବୋଲି କହିଦେଲେ।”

ତାତିଲେ ଅଖିଳେଶ ଯାଦବ

ଧୀରେନ୍ଦ୍ର ଶାସ୍ତ୍ରୀ କ୍ଷମା ମାଗିବା ପରେ ତାଙ୍କ ବୟାନକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି। ସମଜାବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବାଗେଶ୍ୱର ବାବାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ଉଚ୍ଚସ୍ତରରେ ନେବା ଉଚିତ। ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତତ ଦୁର୍ଭାଗ୍ୟଜନକ ଓ ଆପତ୍ତିଜନକ। ଦୁଇ ଦେବତାଙ୍କ ମଧ୍ୟରେ ତୁଳନା କରି ସନାତନ ଏକତାକୁ ଦୁର୍ବଳ କରାଯାଉଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି।

କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ କ୍ଷମା ମାଗି ଧୀରେନ୍ଦ୍ର କହିଛନ୍ତି “ ଆମେ କୃଷ୍ଣଙ୍କୁ ବିରୋଧ କରୁ ନାହୁଁ। ମୁଁ ନିଜେ ଠାକୁର ଜୀଙ୍କୁ ପୂଜା କରେ। ଏବଂ କୃଷ୍ଣ ଜନ୍ମଭୂମି ପାଇଁ ମୁଁ ବାରମ୍ବାର ମୋର ସ୍ୱର ଉଠାଇଛି। ଏମିତିକି ମୋ ନାଁରେ କିଛି ଅଂଶରେ କୃଷ୍ଣଙ୍କର ନାଁ ରହିଛି। ମୋର ଅସ୍ତିତ୍ୱ କୃଷ୍ଣଙ୍କ ପାଇଁ। ତଥାପି, ଯଦି ଆମ ଶବ୍ଦ, ଭାବନା କିମ୍ବା ବ୍ୟାଖ୍ୟା କାହାକୁ କୌଣସି ପ୍ରକାରର କଷ୍ଟ କିମ୍ବା ଆଘାତ ଦେଇଥାଏ, ତେବେ ଆମେ ଆନ୍ତରିକତାର ସହ ଏବଂ ନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛି"

କ’ଣ କହିଥିଲେ ଧୀରେନ୍ଦ୍ର ?

ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା କରେରାରେ ରାମ କଥା ଶୁଣାଉଥିବା ବେଳେ ଧୀରେନ୍ଦ୍ର ଶାସ୍ତ୍ରୀ ଶ୍ରୀ ରାମ ଓ କୃଷ୍ଣଙ୍କୁ ନେଇ ତୁଳନା କରିଥିଲେ। ସେ କହିଥିଲେ “ତୁମେ ଆମ ଠାକୁଙ୍କଙ୍କର ଗୋଟିଏ ବି ଫଟୋ ଦେଖି ଦିଅ। ଗୋଟିଏ ବି ଫଟୋ। କେଉଁଠି ଏମିତି ବସିଛନ୍ତି ତ ଆଉ କେଉଁଠି ଏମିତି ବସିଛନ୍ତି। ତୁମ ଠାକୁର ଛିଡ଼ା ବି ହେଉଛନ୍ତି ତ ତିନୋଟି ଜାଗାରେ ତେଢ଼ା ହେଉଛି। ପାଦ ଉପରେ ପାଦ, କେଉଁଠି ଅଣ୍ଟାରେ ଲଚକ ଅଛି। ମୁଣ୍ଡ ଏମିତି କରନ୍ତି, ଏମିତି ମୁଣ୍ଡ କରନ୍ତି। ପୁଣି ଏମିତି ତେଢ଼ା ହୋଇ ବଂଶୀ ବଜାନ୍ତି।”

ଏହାପରେ ସେ ଭଗବାନ ରାମଙ୍କ ତୁଳନାର କରିଛନ୍ତି। “ଆମ ଠାକୁର ଛିଡ଼ା ହେଲେ ବି ଏକଦମ ସିଧା ଆମ ଠାକୁରଙ୍କ ନାଁ ବି ସିଧା, ଆମ ଠାକୁରଙ୍କ ଚାଲିବା ବି ସିଧା, ଆମ ଠାକୁର ଦେଖିବାକୁ ବି ସିଧା। ତୁମ ଠାକୁରଙ୍କ ନାଁ ବି ତେଢ଼ା, ଚାଲନ୍ତି ବି ତେଡ଼ା।” ବିଭିନ୍ନ ଭାବଭଙ୍ଗୀ ଦେଖାଇ ଧୀରେନ୍ଦ୍ର କୃଷ୍ଣଙ୍କୁ ସମାଲୋଚନା କରିଥିଲେ। ଏବଂ କହିଥିଲେ ବଂଶୀ ବଜାଇବା ଏକ ଖେଳ କିନ୍ତୁ ଧନୁ ଚଳାଇବା ଖେଳ ନୁହେଁ।

ଥାନାରେ ମାମଲା ପାଇଁ ପହଞ୍ଚିଲେ ପପୁ ଯାଦବ

ଭଗବାନ କୃଷ୍ଣଙ୍କ ଉପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନକୁ ନେଇ ବିହାର ସାଂସଦ ପପୁ ଯାଦବ ଥାନାରେ ଏତଲା ଦେଇଛନ୍ତି। ଏଥିପାଇଁ ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୨୯୯ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି ବୟାନରେ କୋଟି କୋଟି ଲୋକଙ୍କର ଭାବନାକୁ ଆଘାତ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ପପୁ ଯାଦବ ଲେଖିଛନ୍ତି ଭଗବାନ ଶ୍ରୀ କୃଷ୍ଣଙ୍କର ଅପମାନ କୌଣସି ହାଲତରେ ବରଦାସ୍ତ କରିବୁ ନାହିଁ। କୃଷ୍ଣ କହ୍ନେଇଙ୍କୁ ଅପମାନିତ କରି ଏ ମୁର୍ଖ ବେଇମାନ ଏବେ କ୍ଷମା ମାଗିବାର ନାଟକ କରୁଛି। ୟାକୁ ଛାଡ଼ିବୁ ନାହିଁ। ଦଣ୍ଡ ଦେବା ପରେ ହିଁ ଶାନ୍ତି ହେବି ବୋଲି ପପୁ ଯାଦବ ଟ୍ୱିଟ୍ କରିଛନ୍ତି।