ଭୁବନେଶ୍ୱର ୧୩।୦୮ : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଏବେ ଭୁବନେଶ୍ୱରରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦର ଚିକିତ୍ସା ମଧ୍ୟ ସରକାରୀ ଭାବେ ମିଳିବ। ଆଜି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗିରେ ଭୁବନେଶ୍ୱର କୋର୍ଟ ନିକଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ଏହି ହସ୍ପିଟାଲ୍ର ଶଯ୍ୟା ସଂଖ୍ୟା ବଢ଼ାଇବାକୁ ବିଭାଗ ନିଷ୍ପତ୍ତି ନେଇଛି । ଇନ୍ଡୋର୍ରେ ଥିବା ୪୩ଟି ଶଯ୍ୟା ସଂଖ୍ୟାକୁ ବଢ଼ାଇ ୧୦୦ ଶଯ୍ୟା କରାଯିବ ।

ତେବେ ରୋଗୀ ସଂଖ୍ୟା ଦିକୁ ଦିନ ବଢ଼ୁଥିବା ବେଳେ ଅଧିକ ଶଯ୍ୟା ଆବଶ୍ୟକ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାଦ୍ଵାରା ଭୁବନେଶ୍ୱରବାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଆୟୁଷ ଚିକିତ୍ସା ମିଳିବ। ସବୁଠୁ ବଡ଼ କଥା ହେଲା, ଆୟୁଷ୍ମାନ କାର୍ଡରେ ବି ଏହି ଚିକିତ୍ସା ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Also Read:-ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ମାମଲା, ୫ ସନ୍ଦିଗ୍ଧଙ୍କୁ ଜେରା କରୁଛି ପୋଲିସ

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ତାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ। ସାମଲ ଇଞ୍ଜିନିୟରିଂ ଆଣ୍ଡ କନ୍ସଲଟାଣ୍ଟ ଏହି ୧୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଙ୍ଗ ନିର୍ମାଣ କରିବ। ଆଗାମୀ ୧୫ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

୧୦୦ ଶଯ୍ୟା ଭୁବନେଶ୍ୱରବାସୀଙ୍କୁ କେମିତି ଲାଭ ଦେବ ?

ବି.ଜେ.ବି ନଗର, ନାଗେଶ୍ୱରଟାଙ୍ଗୀ, ଲିଙ୍ଗରାଜ, ସହିଦ ନଗର, ରସୁଲଗଡ଼, ନୟାପଲ୍ଲୀ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଆଉ ଆୟୁର୍ବେଦିକ ଚିକିତ୍ସା ପାଇଁ ଦୂରକୁ ଯିବାକୁ ପଡିବ ନାହିଁ। ଡାଇବେଟିସ, ଗଣ୍ଠିବାତ, ପେଟ ସମସ୍ୟା ଭଳି କ୍ରନିକ ରୋଗ ପାଇଁ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଆୟୁର୍ବେଦିକ ଚିକିତ୍ସା ମିଳିବ। ଆୟୁଷ୍ମାନ କାର୍ଡ ଲାଗୁ ହେଲେ ଗରିବ ଓ ମଧ୍ୟବିତ୍ତ ପରିବାର ମଧ୍ୟ ବିନା ଖର୍ଚ୍ଚରେ ଚିକିତ୍ସା କରାଇ ପାରିବେ। ଏବେ ମାଗଣାରେ ରକ୍ତ ପରୀକ୍ଷା ଚାଲିଛି ଏବଂ ଆଗକୁ ଚାଲିବ । ସରକାର ଏହି ପ୍ରକଳ୍ପ ପ୍ରତି ବହୁତ ଆଗ୍ରହୀ। କାରଣ ଏହା କେବଳ ଗୋଟିଏ ହସ୍ପିଟାଲ ନୁହେଁ, ଏହା ଓଡ଼ିଶାରେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ପୁନରୁଦ୍ଧାର କରିବା ଦିଗରେ ଗୋଟିଏ ବଡ ପଦକ୍ଷେପ ହେବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Watch Video:-