ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଥିବା ନର୍ଥ ସେଣ୍ଟିନେଲ୍‌ ଆଇଲ୍ୟାଣ୍ଡରେ ବସବାସ କରନ୍ତି ଭୟଙ୍କର ଆଦିବାସୀ ସଂପ୍ରଦାୟ । ସେମାନେ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ଏବଂ ସେମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିବା ଅନେକ ଲୋକ ନିଜର ପ୍ରାଣ ହରାଇଛନ୍ତି । ଏମିତି ସଂପ୍ରଦାୟ ଆମାଜନ ଜଙ୍ଗଲରେ ମଧ୍ୟ ରହୁଛନ୍ତି । ବିଶ୍ବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରୁ ୯୫ ପ୍ରତିଶତ ଆମଜନ ଜଙ୍ଗଲରେ ରୁହନ୍ତି । ତେବେ ଆପଣ ଭାବୁଥିବେ, ଏହି ଖବର ଲେଖିବା ପଛର ଉଦ୍ଦେଶ୍ୟ କଣ  ? ବ୍ରାଜିଲର ଘଞ୍ଚ ଆମାଜନ ଜଙ୍ଗଲ ଭିତରୁ ଏଭଳି ଆଦିବାସୀ ଗୋଷ୍ଠୀର ପ୍ରାୟ ୨୦ ଜଣ ସଦସ୍ୟ ପ୍ରଥମ ଥର କ୍ୟାମେରାରେ କଏଦ ହୋଇଛନ୍ତି ।

ସେମାନେ ଖାଦ୍ୟ ସନ୍ଧାନରେ ଜଙ୍ଗଲ ସୀମାକୁ ଲାଗିରହିଥିବା ଗାଁକୁ ଚାଲିଆସିଥିଲେ । ଜଙ୍ଗଲରେ ଆଧୁନିକ ମଣିଷର ଉପସ୍ଥିତି ବଢ଼ିବା ପରେ, ଏହି ଆଦିବାସୀ ସଂପ୍ରଦାୟଙ୍କ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । ସେହିଭଳି ଖାଦ୍ୟାଭାବ ମଧ୍ୟ ସେମାନଙ୍କ ପାଇଁ ଅସହ୍ୟ ହେଲାଣି ।  ଆଦିବାସୀ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ 'ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ୍' ପକ୍ଷରୁ ଏହି ଫଟୋଗୁଡ଼ିକୁ ସେୟାର କରାଯାଇଛି। ଉତ୍ତର-ପୂର୍ବ ମାରାନହାଓ ରାଜ୍ୟରେ ଘଟିଥିବା ଏହି ବିରଳ ଦୃଶ୍ୟରେ ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣ ଅଲଗା ରହୁଥିବା 'ଆୱା' ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏକ ଗାଁ ନିକଟକୁ ଆସି ଖାଦ୍ୟ ମାଗୁଥିବାର ଦେଖିବାକୁ ମିଳିଛି । ଏହାକୁ ସଂଗଠନ ପକ୍ଷରୁ ଏକ 'ଐତିହାସିକ ସାକ୍ଷାତ' ବୋଲି କୁହାଯାଇଛି।

ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ କୁହାଯାଇଛି ଯେ, ନିକଟ ଅତୀତରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଆୱା ସମ୍ପ୍ରଦାୟର ଲୋକମାନେ ଏଭଳି ଭାବେ ବାହାରକୁ ଆସିବାର କୌଣସି ନଜିର ନଥିଲା। ସେମାନଙ୍କ ଅଞ୍ଚଳରେ ବାହାର ଲୋକଙ୍କ ଅନୁପ୍ରବେଶ ଏବଂ ଚାପ ବଢ଼ୁଥିବାରୁ ସମ୍ଭବତଃ ସେମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ସ୍ୱେଚ୍ଛାକୃତ ଭାବରେ ବାହ୍ୟ ଜଗତଠାରୁ ଦୂରେଇ ରହୁଥିବା ଆୱା ସମ୍ପ୍ରଦାୟର ଏହି ସଦସ୍ୟମାନେ ଆରାରିବୋଇଆ ଆଦିବାସୀ ଅଞ୍ଚଳ ଅନ୍ତର୍ଗତ ଏକ ଗାଁରେ ପହଞ୍ଚି ଖାଦ୍ୟ ମାଗିଥିଲେ । ଗ୍ରାମବାସୀମାନେ ମଧ୍ୟ ସେମାନଙ୍କୁ ଖାଦ୍ୟ ଦେଇଥିଲେ। ସେମାନେ ବିଶେଷ କରି କନ୍ଦମୂଳ ମାଗିଥିଲେ ଏବଂ ତାହାକୁ ନେଇ ପୁଣି ଜଙ୍ଗଲ ଭିତରକୁ ଫେରିଯାଇଥିଲେ । 

ବିଗତ କିଛି ବର୍ଷ ମଧ୍ୟରେ ଆମାଜନରେ ବସବାସ କରୁଥିବା ମୂଳନିବାସୀ ଗୋଷ୍ଠୀମାନଙ୍କ ଅସ୍ତିତ୍ୱ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ କହିଛନ୍ତି ଯେ, ଚାରିଆଡ଼ୁ ଅନୁପ୍ରବେଶକାରୀମାନେ ସେମାନଙ୍କ ଅଞ୍ଚଳକୁ ମାଡ଼ି ଆସୁଥିବାରୁ ବାହ୍ୟ ଜଗତ ସହ ସମ୍ପର୍କ ନଥିବା ଆୱା ଆଦିବାସୀମାନେ ଅତ୍ୟଧିକ ଚାପରେ ରହିଛନ୍ତି। ଜଙ୍ଗଲ ଧ୍ୱଂସ ଯୋଗୁଁ ସେମାନେ ଆମାଜନର ଏକ ଅତି ସଂକୀର୍ଣ୍ଣ ଅଞ୍ଚଳ ଭିତରକୁ ଠେଲି ହୋଇଯାଉଛନ୍ତି।

ସଂଗଠନର ତଥ୍ୟ ଅନୁଯାୟୀ, ଏସିଆ, ଦକ୍ଷିଣ ଆମେରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରାୟ ୧୦ଟି ଦେଶରେ ମୋଟ ୧୯୬ଟି ଏଭଳି ବିଚ୍ଛିନ୍ନ ଆଦିବାସୀ ଗୋଷ୍ଠୀ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ କେବଳ ଆମାଜନ ଜଙ୍ଗଲରେ ବସବାସ କରନ୍ତି। ସେପଟେ ହଠାତ ବାହ୍ୟ ଦୁନିଆ ସହ ସଂସ୍ପର୍ଶରେ ଆସିଲେ ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଯିବ । ସେମାନଙ୍କ ଶରୀରର ପ୍ରତିରୋଧକ ଶକ୍ତି ଆଧୁନିକ ଦୁନିଆର ରୋଗକୁ ପ୍ରତିରୋଧ କରିପାରିବ ନାହିଁ । ତେଣୁ ସେମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଜରୁରୀ ବୋଲି ବିଭିନ୍ନ ଆଦିବାସୀ କଲ୍ୟାଣ ସଂଗଠନ ଦାବି କରିଛନ୍ତି ।