କ୍ୟାନବରା ୨୪।୨: ଅଷ୍ଟ୍ରେଲିଆରୁ ବଡ଼ ଖବର ଆସୁଛି। ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଙ୍କୁ ଫୋନରେ ଧମକ ମିଳିଛି। ଏଣୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନ କିଛି ସମୟ ପାଇଁ ଖାଲି କରିବାକୁ ପଡିଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୋମା ଲଗାଯାଇଥିବା ନେଇ ଆନ୍ଥୋନୀ ଆଲବାନିଜ୍ ଙ୍କୁ ଧମକ ମିଳିଥିଲା। ଏହା ପରେ କ୍ୟାନବେରା ପୋଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଛି। ପୋଲିସ ଦୀର୍ଘ ୩ ଘଣ୍ଟା କାଳ ପ୍ରଧାନମନ୍ତ୍ରୀ ଆବାସର ତନ୍ନତନ୍ନ ଯାଞ୍ଚ କରିବା ପରେ ଆଲବାନିଜ ପୁଣି ନିଜ ଘରକୁ ଫେରିଛନ୍ତି।

ଏହି ଘଟଣା ଜାତୀୟ ରାଜଧାନୀରେ ଅଚାନକ ସୁରକ୍ଷା ସତର୍କତା ବଢି ଯାଇଥିଲା। ଅଷ୍ଟ୍ରେଲିଆ ଫେଡେରାଲ ପୋଲିସ (ଏଏଫପି) ମୁଖପାତ୍ର ସଂସଦ ଭବନ ନିକଟରେ ଏକ କଥିତ ସୁରକ୍ଷା ଘଟଣା ପୁଷ୍ଟି କରିଛନ୍ତି। ଏଥିରେ ବିସ୍ଫୋରକର ଧମକ ମଧ୍ୟ ସାମିଲ ଥିଲା। ଏଏଫପି କହିଛି ଯେ ଗହନ ଯାଞ୍ଚ ପରେ କିଛି ବି ସନ୍ଦିଗ୍ଧ ମିଳିନଥିଲା। ଏଣୁ ଏବେ ସମୂଦାୟ ଅଥବା ସାର୍ବଜନିକ ସୁରକ୍ଷା ପାଇଁ ସେପରି କୌଣସି ବିପଦ ନାହିଁ। ଅଷ୍ଟ୍ରେଲିଆ ବଣ୍ଡି ବିଚ୍ ରେ ଇହୁଦୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ସମେତ ସାଂସଦଙ୍କୁ ସୁରକ୍ଷା ସମ୍ପର୍କିତ ଧମକ ସବୁ ମିଳୁଛି।

ଖାସ ଏହି କାରଣରୁ ସାର୍ବଜନିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡି କରାଯାଇଛି। ଅଧିକାରୀ କହିଛନ୍ତି ଯେ ଦେଶରେ ରାଜନେତାଙ୍କୁ ଟାର୍ଗେଟ କରାଯିବା ଘଟଣା ଏବେ ବୃଦ୍ଧି ହୋଇଛି। ରାଜନେତାଙ୍କୁ ଟାର୍ଗେଟ କରି ଦିଆଯାଉଥିବା ଧମକର ମୁକାବିଲା ନିମନ୍ତେ ଏଏଫପି କମିସନର ରିସି କେରସ ନୂଆ ଜାତୀୟ ସୁରକ୍ଷା ଯାଞ୍ଚ ଟିମ୍ ଗଠନ କରିଥିଲେ। ସେ କହିଛନ୍ତି ଯେ ରାଜନେତା, ଉଚ୍ଚ ଅଧିକାରୀ ଓ ଅଷ୍ଟ୍ରେଲିଆର ଇହୁଦୀ ସମୂଦାୟଙ୍କୁ ଅପରାଧୀ ଟାର୍ଗେଟ କରୁଛନ୍ତି। ଏପରି ମାମଲାରେ ଏ ପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଉପରେ ମାମଲା ରୁଜୁ ହେଲାଣି।