ମୁମ୍ଵାଇ ୩୦।୦୭: ଆସାମରେ ବର୍ଷା ବିତ୍ପାତ । ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସୋସିଆଲ ମିଡିଆରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଭାଇରାଲ ହେଉଥିବା ଭିଡିଓଗୁଡ଼ିକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟାପକ ଦୁର୍ଦ୍ଦଶା ରହିଛି। ଲୋକମାନେ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଆସାମରେ ପ୍ରାକୃତିକ ବିପତ୍ତି ସମୟରେ ଆଗକୁ ଆସିଛନ୍ତି ବଲିଉଡ ସେଲିବ୍ରିଟି । ଅଭିନେତ୍ରୀ ଆଲିଆ ଭଟ୍ଟ ସଚେତନତା ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିଥିବା ବେଳେ ସଲମାନ ଖାନ ତାଙ୍କ ଏନଜିଓ, 'Being Human' ମାଧ୍ୟମରେ ଏକ ରିଲିଫ୍ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି ।

ଆଲିଆ କହିଛନ୍ତି, " ଆସାମକୁ ବର୍ତ୍ତମାନ ତୁରନ୍ତ ରିଲିଫ୍ ପ୍ରଦାନ ସହ ପୁନରୁଦ୍ଧାର କାର୍ଯ୍ୟ ହେବା ଜରୁରୀ । ସେ କିପରି ଲୋକମାନଙ୍କୁ ରିଲିଫ୍ ପ୍ରଦାନରେ ସାହାଯ୍ୟ କରିପାରିବେ, ସେ ପ୍ରଚେଷ୍ଟା କରିବେ। "

ସହାୟତାର ହାତ ବଢାଇଲେ ସଲମାନ:

ବଲିଉଡର ଭାଇଜାନ ସଲମାନ ଖାନ ସିଧାସଳଖ ରିଲିଫ୍ କାର୍ଯ୍ୟ ମାଧ୍ୟମରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିନେତା ନିଜ ସ୍ବେଚ୍ଛାସେବୀ ସଂଗଠନ ' Being Human' ଜରିଆରେ ରିଲିଫ୍ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବାକୁ, ଆସାମରେ ଏକ ଫ୍ୟାନ୍ କ୍ଲବ୍ ସହ ଯୋଡ଼ି ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ପ୍ୟାକେଟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ ଅନ୍ତର୍ଭୁକ୍ତ ରହିଛି । ଆଗାମୀ ସପ୍ତାହଗୁଡ଼ିକରେ, ଏହି ପଦକ୍ଷେପରେ ରାସନ୍ କିଟ୍, ଔଷଧ, ପାନୀୟ ଜଳ, ସାନିଟାରୀ ନାପକିନ ଏବଂ ମଶା ଔଷଧ ଯୋଗାଇ ଦିଆଯିବ । ଏହାଦ୍ବାରା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକର ପୁନଃନିର୍ମାଣ ପାଇଁ ସହାୟତା ମିଳିବ ।

ଗାୟକ ପାପୋନ୍ ମଧ୍ୟ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ଭାବପ୍ରବଣ ଆବେଦନ କରିଛନ୍ତି । ପରିସ୍ଥିତିକୁ ହୃଦୟବିଦାରକ ବୋଲି କହି ସେ ଭାରତ ଏବଂ ବିଦେଶର ଲୋକମାନଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, "ଗାଁ ଗୁଡ଼ିକ ବନ୍ୟାରେ ବୁଡ଼ି ରହିଥିବା ବେଳେ, ଶତାଧିକ ନିଖୋଜ ଅଛନ୍ତି ଏବଂ କିଛି ଲୋକଙ୍କର ଜୀବନ ଯାଇଛି । ଅନେକ ପଶୁ ପ୍ରାଣ ହରାଇଛନ୍ତି । ମୁଁ ଭାରତ ଏବଂ ସାରା ବିଶ୍ୱରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଆସାମ ଆଡକୁ ଦୃଷ୍ଟି ଦିଅନ୍ତୁ ।

ଅଭିନେତ୍ରୀ ଆଦା ଶର୍ମା, ସୋସିଆଲ ମିଡିଆ ପୋଷ୍ଟରେ, ବିପର୍ଯ୍ୟୟର ସଂପର୍କରେ କହିବା ସହ, ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ବିପନ୍ନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି, "ଆସାମ ପାଣି ଘେରରେ ଅଛି । ପ୍ରାୟ ୯୦୦ ଗ୍ରାମ ବୁଡ଼ି ଯାଇଛି। ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ପ୍ରାୟ ୩ ଲକ୍ଷ ଲୋକ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ଘର, ସ୍କୁଲ, ଫାର୍ମ ଏବଂ ଜୀବିକା ସବୁ କିଛି ନଷ୍ଟ ହୋଇଯାଇଛି ।''ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଏକ ଛୋଟ ଦାନ ମଧ୍ୟ ପ୍ରଭାବିତ ପରିବାରକୁ ଖାଦ୍ୟ, ସ୍ୱଚ୍ଛ ପାନୀୟ ଜଳ, ଔଷଧ ଏବଂ ଆଶ୍ରୟ ଯୋଗାଇବାରେ ସାହାଯ୍ୟ କରିବ ।

ଭୂମି ପେଡନେକର ମଧ୍ୟ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ସେହିପରି ଅଭିନେତା ଆଦିଲ ହୁସେନ ଏହି ସଙ୍କଟ ବିଷୟରେ ସଚେତନତା ପ୍ରସାର ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଛନ୍ତି । ସରକାରୀ ସଂଖ୍ୟା ଅନୁଯାୟୀ, ଆସାମରେ ଶହ ଶହ ଗାଁର ଲକ୍ଷାଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚାଷ ଜମି ବୁଡ଼ି ରହିଥିବା ବେଳେ, ବନ୍ଯା ବିପନ୍ନଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି ।