Asian Games Badminton: ଜାପାନରେ ଖେଳାଯାଉଥିବା ଏସିଆନ୍ ଗେମ୍ସ ୨୦୨୬ରେ ବ୍ୟାଡମିଣ୍ଟନ କ୍ଷେତ୍ରରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ରବିବାର ହୋଇଥିବା ୪ଟି ଭିନ୍ନ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପରାଜୟର ସାମ୍ନା କରିବା ପରେ ଏହି କ୍ରୀଡ଼ାରେ ଭାରତର ଅଭିଯାନ ଶେଷ ହୋଇଛି। ତେବେ ଏହି ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଦଳର ବ୍ରୋଞ୍ଜ ପଦକ ହିଁ ଥିଲା ଭାରତର ଏକମାତ୍ର ପଦକ। 

ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମହିଳା ଦଳଗତ ଇଭେଣ୍ଟ କିମ୍ବା ମିଶ୍ରିତ ଇଭେଣ୍ଟ, କୌଣସିଥିରେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ଗୋଟିଏ ବି ପଦକ ଜିତିପାରିଲା ନାହିଁ। ଫଳରେ ପୁରୁଷ ବର୍ଗର ବ୍ରୋଞ୍ଜ ପଦକ ହିଁ ଦଳ ପାଇଁ ଏକମାତ୍ର ଆନନ୍ଦର ବିଷୟ ହୋଇପାରିଛି। ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପହଞ୍ଚି ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଥିବାବେଳେ, ମହିଳା ଦଳ କ୍ୱାର୍ଟର ଫାଇନାଲରେ ଜାପାନଠାରୁ ପରାଜିତ ହୋଇଥିଲା।

ମିକ୍ସଡ ଡବଲ୍ସରେ ତନିଷା କ୍ରାଷ୍ଟୋ-ଧ୍ରୁବ କପିଳା ଏବଂ ମହିଳା ଡବଲ୍ସରେ ତ୍ରିଶା ଜଲି-ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି କ୍ୱାର୍ଟରଫାଇନାଲରେ ପରାଜିତ ହୋଇ ଏସିଆନ ଗେମ୍ସରୁ ବିଦା ହୋଇଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଯୁବ ଖେଳାଳି ଉନ୍ନତି ହୁଡ୍ଡା ଜାପାନର ବିଶ୍ୱ ନମ୍ବର-୩ ଆକାନେ ୟାମାଗୁଚିଙ୍କଠାରୁ ପରାସ୍ତ ହୋଇଥିବା ବେଳେ ପିଭି ସିନ୍ଧୁ ମଧ୍ୟ ଚୀନର ବିଶ୍ୱ ନମ୍ବର-୪ ଚେନ୍ ୟୁ ଫେଇଙ୍କଠାରୁ ପରାସ୍ତ ହୋଇଛନ୍ତି।

ବିଶ୍ୱ ନମ୍ବର-୧ ଯୋଡ଼ିକୁ କଡ଼ା ଟକ୍କର ଦେଲେ ତନିଷା-ଧ୍ରୁବ

ମିକ୍ସଡ ଡବଲ୍ସ କ୍ୱାର୍ଟରଫାଇନାଲରେ ତନିଷା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ସାମ୍ନା ଚୀନର ବିଶ୍ୱ ନମ୍ବର-୧ ଯୋଡ଼ି ଫେଙ୍ଗ୍ ୟାନ୍ଝେ ଓ ହୁଆଙ୍ଗ ଡୋଙ୍ଗପିଙ୍ଗଙ୍କ ସହ ହୋଇଥିଲା। ଭାରତୀୟ ଯୋଡ଼ି ୨୧-୧୪, ୧୮-୨୧, ୨୧-୧୮ରେ ପରାଜିତ ହୋଇଛନ୍ତି।

Also Read- ଏସିଆନ୍ ଗେମ୍ସ ୨୦୨୬: ବକ୍ସିଂରେ ପଦକ ପକ୍କା କଲେ ଭାରତୀୟ ଯବାନ ଅଙ୍କୁସ ପଂଘାଲ

ପ୍ରଥମ ଗେମ୍ରେ ଚୀନ୍ ଯୋଡ଼ି ୧୧-୯ରେ ଆଗୁଆ ରହିବା ପରେ ୨୧-୧୪ରେ ଗେମ୍ ଜିତିଥିଲେ। ତେବେ ତନିଷା ଓ ଧ୍ରୁବ ଦମଦାର ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍ ୨୧-୧୮ରେ ଜିତି ମ୍ୟାଚ୍କୁ ନିର୍ଣ୍ଣାୟକ ଗେମ୍କୁ ନେଇଥିଲେ। ତୃତୀୟ ଗେମ୍ରେ ଚୀନ୍ ଯୋଡ଼ି ୧୨-୬ରେ ଆଗୁଆ ହୋଇଥିଲା। ଭାରତୀୟ ଯୋଡ଼ି ବ୍ୟବଧାନ କମାଇଥିଲେ ମଧ୍ୟ ଶେଷରେ ଫେଙ୍ଗ୍-ହୁଆଙ୍ଗ ୨୧-୧୮ରେ ଗେମ୍ ଜିତି ସେମିଫାଇନାଲକୁ ପ୍ରବେଶ କରିଥିଲେ।

ତ୍ରିଶା-ଗାୟତ୍ରୀଙ୍କ ଅଭିଯାନ ମଧ୍ୟ ଶେଷ

ମହିଳା ଡବଲ୍ସ କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିଅନସିପ୍ର ବ୍ରୋଞ୍ଜ ପଦକ ବିଜେତା ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚନ୍ଦଙ୍କ ସାମ୍ନା ବିଶ୍ୱ ନମ୍ବର-୫ ମାଲେସିଆ ଯୋଡ଼ି ପର୍ଲି ଟାନ୍ ଓ ଥିନାହ ମୁରଲୀଧରନଙ୍କ ସହ ହୋଇଥିଲା।

Also read-ଆଉ କିଛି ସମୟ ପରେ ଭାରତ-ୱେଷ୍ଟ ଇଣ୍ଡିଜ ମୁକାବିଲା: ରେକର୍ଡ ଅପେକ୍ଷାରେ ବିରାଟ, ବଡ଼ ସଫଳତା ପାଇବେ ରୋହିତ

ପ୍ରଥମ ଗେମ୍ରେ ଉଭୟ ଯୋଡ଼ିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ମାଲେସିଆ ଯୋଡ଼ି ୨୧-୧୮ରେ ଗେମ୍ ଜିତିଥିଲା। ଦ୍ୱିତୀୟ ଗେମ୍ରେ ତ୍ରିଶା-ଗାୟତ୍ରୀ ୩-୦ରେ ଆଗୁଆ ହୋଇଥିଲେ, କିନ୍ତୁ ଏହାପରେ କ୍ରମାଗତ ୯ ପଏଣ୍ଟ ହରାଇଥିଲେ। ମାଲେସିଆ ଯୋଡ଼ି ଏହାର ଫାଇଦା ଉଠାଇ ୨୧-୯ରେ ଗେମ୍ ଜିତିବା ସହ ସେମିଫାଇନାଲରେ ପହଞ୍ଚିଥିଲା।

ୟାମାଗୁଚିଙ୍କୁ କଡ଼ା ଟକ୍କର ଦେଇ ହାରିଲେ ଉନ୍ନତି

ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡ୍ଡାଙ୍କ ମୁକାବିଲା ବିଶ୍ୱ ନମ୍ବର-୩ ବେଡମିଣ୍ଟନ ଖେଳାଳି ଆକାନେ ୟାମାଗୁଚିଙ୍କ ସହ ହୋଇଥିଲା। ତିନିଟି ଗେମ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାରେ ଉନ୍ନତି ୧୬-୨୧, ୨୧-୧୪, ୧୭-୨୧ରେ ପରାସ୍ତ ହୋଇଛନ୍ତି। ୟାମାଗୁଚି ପ୍ରଥମ ଗେମ୍ ୨୧-୧୬ରେ ଜିତିଥିଲେ। କିନ୍ତୁ ଉନ୍ନତି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍ ୨୧-୧୪ରେ ଜିତି ମ୍ୟାଚ୍କୁ ୧-୧ରେ ସମାନ କରିଥିଲେ। ନିର୍ଣ୍ଣାୟକ ଗେମ୍ରେ ଉଭୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଶେଷରେ ୟାମାଗୁଚି ୨୧-୧୭ରେ ଗେମ୍ ଜିତି କ୍ୱାର୍ଟରଫାଇନାଲ ନିଜ ନାଁ ପକ୍କା କରିଥିଲେ। ଏହି ପରାଜୟ ସହ ଉନ୍ନତିଙ୍କ ଏସିଆନ୍ ଗେମ୍ସ ଅଭିଯାନ ଶେଷ ହୋଇଛି।

ସିନ୍ଧୁ ମଧ୍ୟ କ୍ୱାର୍ଟରଫାଇନାଲରେ ପରାସ୍ତ

ଭାରତର ଭାରତୀୟ ଶଟଲର ପିଭି ସିନ୍ଧୁଙ୍କୁ ମଧ୍ୟ କ୍ୱାର୍ଟରଫାଇନାଲରେ ଚୀନର ବିଶ୍ୱ ନମ୍ବର-୪ ଚେନ୍ ୟୁ ଫେଇଙ୍କଠାରୁ ୨୧-୧୧, ୧୮-୨୧, ୧୦-୨୧ରେ ପରାସ୍ତ ହେବାକୁ ପଡିଛି। ସିନ୍ଧୁ ପ୍ରଥମ ଗେମ୍ ୨୧-୧୧ରେ ଜିତି ଭଲ ଆରମ୍ଭ କରିଥିଲେ। ତେବେ ପରବର୍ତ୍ତୀ ଦୁଇଟି ଗେମ୍‌ରେ ଚେନ୍ ୟୁ ଫେଇ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତିନେଇଥିଲେ।

ଲକ୍ଷ୍ୟ ସେନ୍ ଓ ସାତ୍ୱିକ-ଚିରାଗ ମଧ୍ୟ ନିରାଶ କରିଥିଲେ

ଏହା ପୂର୍ବରୁ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ଦ୍ୱିତୀୟ ରାଉଣ୍ଡରେ ସିଙ୍ଗାପୁରର ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଲୋହ କିନ୍ ୟୁଙ୍କଠାରୁ ହାରି ଏସିଆନ୍ ଗେମ୍ସରୁ ବାହାରିଥିଲେ। ସେହିପରି, ହାଙ୍ଗଝୋଉ ୨୦୨୩ର ପୁରୁଷ ଡବଲ୍ସ ଚାମ୍ପିଅନ୍ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ମଧ୍ୟ ଏଥର ନିଜ ଟାଇଟଲ୍ ବଞ୍ଚାଇ ପାରିନାହାନ୍ତି। ଉଭୟେ ପ୍ରାରମ୍ଭିକ ରାଉଣ୍ଡରୁ ହିଁ ବାଦ୍ ପଡ଼ିଛନ୍ତି। ଏଭଳି ଭାବେ ଏସିଆନ୍ ଗେମ୍ସରେ ବ୍ୟାଡମିଣ୍ଟନରେ ଭାରତର ଅଭିଯାନ ନିରାଶାଜନକ ଭାବେ ଶେଷ ହୋଇଛି।

ପ୍ରଥମ ଥର ଘଟିଲା ଏମିତି

ଉଲ୍ଲେଖନୀୟ ଯେ, ଇଞ୍ଚିଅନ୍‌ରେ ଅନୁଷ୍ଠିତ ୨୦୧୪ ସଂସ୍କରଣ ପରଠାରୁ ପ୍ରଥମ ଥର ପାଇଁ ଭାରତୀୟ ସଟଲର୍ମାନେ ଏସୀୟ କ୍ରୀଡ଼ାର ବ୍ୟକ୍ତିଗତ ଇଭେଣ୍ଟରେ କୌଣସି ପଦକ ଜିତିବାରେ ବିଫଳ ହୋଇଛନ୍ତି।