ନୂଆଦିଲ୍ଲୀ: ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି ଘୋଷଣା କରାଯାଇ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଅଲ୍ ଇଣ୍ଡିଆ ଟ୍ରେଡର୍ସ କନଫେଡେରେସନ ଅର୍ଥାତ୍ CAIT ।

ରାଷ୍ଟ୍ରୀୟ ବ୍ୟାପାର ସଂଘ କହିଛି ଆମେ ଏଭଳି କୌଣସି ଘୋଷଣା କରି ନାହୁଁ। ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଭାରତର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆବଶ୍ୟକ। ଆଉ ସଂଗଠନ ଏହାକୁ ସମର୍ଥନ କରେ। ଆମର ବିରୋଧ ପ୍ରଦର୍ଶନ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସିଏଆଇଟି କହିଛି।

ମିଡିଆରେ ଗୁଜବ ଖବର

ଦୁଇଦିନ ପୂର୍ବରୁ ମିଡିଆରେ ଖବର ଆସିଥିଲା ଯେ ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ନୋ ୟୁପିଆଇ ଡେ ପାଳନ କରାଯିବ। ବେପାରୀ ଓ ଦୋକାନୀମାନେ ୟୁପିଆଇରେ ଟଙ୍କାଟିଏ ବି ନେବେ ନାହିଁ। ଏହି ଦିନ ବ୍ୟବସାୟୀମାନେ ସେମାନଙ୍କ ଦୋକାନରେ ଥିବା UPI QR କୋଡ୍, ସ୍କାନର, ସାଉଣ୍ଡ ବାକ୍ସ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ଡିଭାଇସଗୁଡ଼ିକୁ କଳା କପଡ଼ା ଘୋଡ଼ାଇ ପ୍ରତିବାଦ କରିବେ।

Also Read- ବ୍ୟାଙ୍କ ଧର୍ମଘଟ ପୂର୍ବରୁ ବଡ଼ ଘୋଷଣା: ଏଟିଏମ୍ରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ, ୩ ଦିନ ଫ୍ରି

ସରକାର ୨୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୦.୦୪% ଚାର୍ଜ ଲାଗୁ କରିବାକୁ ବିରୋଧ କରି ବ୍ୟବସାୟୀ ସଂଗଠନ ନୋ ୟୁପିଆଇ ଡେ ପାଳନ କରିବାକୁ ଘୋଷଣା କରିଛି ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ମିଛି। ସଂଗଠନ ଏଭଳି କୌଣସି ପ୍ରସ୍ତାବ ପାରିତ କରି ନାହିଁ। ସିଆଇଏଟି ନାଁରେ ଚଲାଯାଉଥିବା ଏହା ସମ୍ପୂର୍ଣ୍ଣ ମିଛ ଖବର ବୋଲି ଅଲ୍ ଇଣ୍ଡିଆ ଟ୍ରେଡର୍ସ କନଫେଡେରେସନ କହିଛି।

ୟୁପିଆଇ ଉପରେ ଏମଡିଆର୍କୁ ଶୁଳ୍କ ପ୍ରସଙ୍ଗରେ ପ୍ରତିବାଦ କରି କିଛି ଆଞ୍ଚଳିକ କିମ୍ବା ସ୍ଥାନୀୟ ବାଣିଜ୍ୟ ସଂଘ ବିରୋଧ କରିପାରନ୍ତି। ତେବେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସିଏଆଇଟିର ମତ ଭାବରେ ବ୍ୟାଖ୍ୟା କରାଯିବା ଉଚିତ୍ ନୁହେଁ। ତେଣୁ ଏଭଳି କୌଣସି ଖବର ପ୍ରକାଶ କରିବା ପୂର୍ବରୁ ସଂଗଠନର ଅଫିସିଆଲ୍ ତଥ୍ୟ ଯାଞ୍ଚ କରିବା ପାଇଁ ସିଆଇଏଟି ମିଡିଆକୁ ପ୍ରସ୍ତାବ ଦେଇଛି। ଏବଂ ଲୋକଙ୍କୁ ମଧ୍ୟ କେବଳ ଆନୁଷ୍ଠାନିକ ଘୋଷଣା ଉପରେ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛି।

UPI ଚାର୍ଜକୁ ବ୍ୟବସାୟୀ ସଂଗଠନର ବିରୋଧ କାହିଁକି?

ବ୍ୟବସାୟୀ ସଂଗଠନଗୁଡ଼ିକର କହିବା ଅନୁସାରେ, ରିଟେଲ୍ ବ୍ୟବସାୟୀ ଓ ଡିଷ୍ଟ୍ରିବ୍ୟୁଟରମାନେ କମ୍ ମାର୍ଜିନ୍ରେ ବ୍ୟବସାୟ କରନ୍ତି। ଏଭଳି ସ୍ଥିତିରେ ଡିଜିଟାଲ୍ କାରବାର ଉପରେ ଅତିରିକ୍ତ ଚାର୍ଜ ଲାଗିଲେ ସେମାନଙ୍କ ଖର୍ଚ୍ଚ ବଢ଼ିବ। ତେଣୁ ଏହାକୁ ବିରୋଧ କରାଯାଉଛି।

ବ୍ୟବସାୟୀଙ୍କ କହିବା କଥା ହେଲା ଡିଜିଟାଲ୍ ପେମେଣ୍ଟର ଉଦ୍ଦେଶ୍ୟ କାରବାରକୁ ସହଜ କରିବା, ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବା ନୁହେଁ। UPI ଯୋଗୁ ନଗଦ କାରବାର କମିବା ସହିତ ବ୍ୟବସାୟୀମାନେ ଅଧିକ ପାରଦର୍ଶୀ ବ୍ୟବସ୍ଥାକୁ ସମର୍ଥନ କରୁଛନ୍ତି। ତେଣୁ ଡିଜିଟାଲ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ବଦଳରେ ବ୍ୟବସାୟୀଙ୍କ ଉପରେ ଚାର୍ଜ ଲାଗୁ କରିବା ଠିକ୍ ନୁହେଁ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ସରକାର ନିଷ୍ପତ୍ତି ଉପରେ ପୁନର୍ବିଚାର ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବ୍ୟବସାୟୀ ସଂଘଠନ ଚେତାବନୀ ଦେଇଛି।

UPI MDR ଚାର୍ଜର ନୂଆ ନିୟମ

ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ବଡ଼ ବ୍ୟବସାୟୀଙ୍କ ପାଇଁ UPI କାରବାରରେ MDR ଚାର୍ଜ ଲାଗିବ। ଏହାର ମୁଖ୍ୟ ନିୟମଗୁଡ଼ିକ ହେଲା-
ବଡ଼ ବ୍ୟବସାୟୀଙ୍କ ଉପରେ ୦.୪% ଚାର୍ଜ: ମାସକୁ UPI ମାଧ୍ୟମରେ ୧ ଲକ୍ଷ ଟଙ୍କାରୁ ଅଧିକ କଲେକ୍ସନ୍ କରୁଥିବା ବ୍ୟବସାୟୀଙ୍କୁ ୨,୦୦୦ ଟଙ୍କାରୁ ଅଧିକ ପ୍ରତି କାରବାର ଉପରେ ୦.୪% MDR ସହ GST ଦେବାକୁ ପଡ଼ିବ।
ଛୋଟ ବ୍ୟବସାୟୀଙ୍କୁ ରିହାତି: ମାସକୁ UPI ମାଧ୍ୟମରେ ମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଲେକ୍ସନ୍ କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ଚାର୍ଜ ଲାଗିବ ନାହିଁ।
କ୍ୟାଟେଗୋରୀ ବଦଳିବ: କୌଣସି ଛୋଟ ବ୍ୟବସାୟୀ କ୍ରମାଗତ ୩ ମାସ ଧରି ୧ ଲକ୍ଷ ଟଙ୍କାରୁ ଅଧିକ UPI କଲେକ୍ସନ୍ କଲେ, ବ୍ୟାଙ୍କ ତାଙ୍କୁ ବଡ଼ ବ୍ୟବସାୟୀ ବର୍ଗକୁ ସ୍ଥାନାନ୍ତର କରିପାରିବ। ଏହାପରେ ତାଙ୍କ ଉପରେ MDR ଚାର୍ଜ ଲାଗିବ।
୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ମାଗଣା: ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ ମଧ୍ୟ ୨,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ପ୍ରତି କାରବାର ଉପରେ କୌଣସି ଚାର୍ଜ ଲାଗିବ ନାହିଁ।
|ସର୍ବାଧିକ ଚାର୍ଜର ସୀମା: ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକର ଗୋଟିଏ କାରବାର ଉପରେ ସର୍ବାଧିକ ୩୦୦ ଟଙ୍କା ସହ GST ଚାର୍ଜ କରାଯିବ।
ସୀମା ପ୍ରତି କାରବାର ଉପରେ: ୨,୦୦୦ ଟଙ୍କାର ସୀମା ଦିନର ମୋଟ ବିକ୍ରି ଉପରେ ନୁହେଁ, ପ୍ରତ୍ୟେକ UPI ପେମେଣ୍ଟ ଉପରେ ଲାଗୁ ହେବ।

କିଛି କ୍ଷେତ୍ରରେ ୫ ଟଙ୍କା ଫ୍ଲାଟ୍ ଫି: ପେଟ୍ରୋଲ୍ ପମ୍ପ, ରେଲୱେ, ବିଲ୍ ପେମେଣ୍ଟ, ଟେଲିକମ୍, ଇନ୍ସୁରାନ୍ସ ଓ ଶିକ୍ଷା ସମ୍ପର୍କିତ ବ୍ୟବସାୟୀଙ୍କ ପାଇଁ ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟରେ ୦.୪% ବଦଳରେ ଫ୍ଲାଟ୍ ୫ ଟଙ୍କା ଫି ରହିବ।

କାର୍ଡ ପେମେଣ୍ଟ ତୁଳନାରେ କମ୍: ଦାବି ଅନୁସାରେ କ୍ରେଡିଟ୍ କାର୍ଡରେ ପ୍ରାୟ ୧.୫%ରୁ ୨.୫% ଏବଂ ଡେବିଟ୍ କାର୍ଡରେ ୦.୯% ପର୍ଯ୍ୟନ୍ତ ଚାର୍ଜ ଥିବାବେଳେ UPI MDR ଚାର୍ଜ ଏହାଠାରୁ କମ୍ ରହିବ।

MDR କ’ଣ?

MDR (Merchant Discount Rate) ହେଉଛି ଏକ ପ୍ରକାର ଫି, ଯାହା ଡିଜିଟାଲ୍ ପେମେଣ୍ଟ ସୁବିଧା ବ୍ୟବହାର କରିବା ବଦଳରେ ବ୍ୟବସାୟୀଙ୍କୁ ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରଙ୍କୁ ଦେବାକୁ ପଡ଼େ।

ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, POS ମେସିନ୍ କିମ୍ବା ପେମେଣ୍ଟ ଗେଟୱେ ଭଳି ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ଇନ୍ଫ୍ରାଷ୍ଟ୍ରକ୍ଚର ଓ ଟ୍ରାନ୍ସଫର୍ ନେଟୱର୍କ ଚାଲୁ ରଖିବାର ଖର୍ଚ୍ଚ ପୂରଣ ପାଇଁ ଏଭଳି ଫି ନିଆଯାଏ। ଏହି ଚାର୍ଜ ସାଧାରଣତଃ ବ୍ୟବସାୟୀଙ୍କ ଉପରେ ଲାଗେ, ଗ୍ରାହକଙ୍କ ଉପରେ ନୁହେଁ।