ପୁରୀ ୨୪।୯: ପୁରୀ ସହରରେ ଅସୁରକ୍ଷିତ ପର୍ଯ୍ୟଟକ। ମହିଳା ପର୍ଯ୍ୟଟକଙ୍କୁ ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ। ଖାଦ୍ୟରୁ ଚୁଟି ବାହାରିବା ପରେ ଏହାକୁ ନେଇ ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ଣ୍ଣାଟକରୁ ଆସିଥିବା ପର୍ଯ୍ୟଟକ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷ ହାତାହାତି ହୋଇଥିବା ବେଳେ ମହିଳା ପର୍ଯ୍ୟଟକ ଏବଂ ତାଙ୍କ ସ୍ବାମୀ ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ଅଭିଯୋଗ ଅନୁସାରେ ବୁଧବାର ରାତି ୧୦ଟା ବେଳେ କର୍ଣ୍ଣାଟକରୁ ଆସିଥିବା ପର୍ଯ୍ୟଟକ ଦମ୍ପତି ସ୍ବର୍ଗଦ୍ବାର ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ। ଖାଦ୍ୟରେ ଚୁଟି ବାହାରିବା ପରେ ପର୍ଯ୍ୟଟକ ଜଣକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ପ୍ରତିବାଦ କରିଥିଲେ। ବିବାଦ ଉଗ୍ରରୂପ ହେବାରୁ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇ ମହିଳା ପର୍ଯ୍ୟଟକ ଏବଂ ତାଙ୍କ ସ୍ବାମୀ ଆହତ ହୋଇଥିଲେ। ସମୁଦ୍ର କୂଳ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରୁଛି।

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅନେକ ସମୟରେ ରେଷ୍ଟୁରାଣ୍ଟ ମାଲିକ ମାନେ ନିମ୍ନମାନର ଖାଦ୍ୟ ଦେଇ ଠକେଇ କରୁଥିବା ଅଭିଯୋଗ ହୋଇଛି। ଅନେକ ହୋଟେଲ ମାଲିକଙ୍କ ସହିତ ପୋଲିସର ଭିତିରି ସମ୍ପର୍କ ଥିବାରୁ ହୋଟେଲ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗ ହେଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ସହ ନିମ୍ନମାନର ଖାଦ୍ୟ ଦେଉଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ପୁରୀ ଏସ୍ପି କହିଛନ୍ତି ଏନେଇ ସମୁଦ୍ର କୂଳ ଥାନାରେ ମାମଲା ରୁଜୁ କରାଯାଇ ସମଗ୍ର ଘଟଣାର ତଦନ୍ତ କରାଯାଉଛି। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read:- ବର୍ଷା ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ୫ ଜିଲ୍ଲାରେ ରହି ତଦାରଖ କରିବେ ବରିଷ୍ଠ ଅଧିକାରୀ

ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏଭଳି ଆକ୍ରମଣ ଘଟଣା ଦ୍ବାରା ଭୁଲ୍ ବାର୍ତ୍ତା ଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସର ଗୁରୁଦାୟିତ୍ଵ ରହିଛି ।