ଥିରୁଅନନ୍ତପୁରମ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ମୁକାବିଲା ଆଜି ଠାରୁ ଆରମ୍ଭ ହୋଇଛି। ରବିବାର ରୁବନନ୍ତପୁରମର ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨:୦୦ ଟାରେ ଆରମ୍ଭ ହେବ।

ଚଳିତ ବର୍ଷ ଭାରତ ତିନୋଟି ଏକଦିବସୀୟ ସିରିଜ୍ ଖେଳିଛି। ଏଥିରେ ଅଧିଂକାଶରେ ପରାଜିତ ହୋଇଥିବା ବେଳେ ଆଫଗନିସ୍ତାନ ବିପକ୍ଷ ଦିନିକିଆରେ ବିଜୟୀ ହୋଇଥିଲା। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ।

ବିରାଟଙ୍କ ପାଇଁ ଖାସ୍ ଆଜିର ମ୍ୟାଚ୍

ସେପଟେ ଦୁଇ ମାସ ପରେ ପୁଣିଥରେ ଦିନିକିଆରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ରନ ମେସିନ ବିରାଟ କୋହଲି। ତାଙ୍କ ପାଇଁ ଆଜିର ମ୍ୟାଚ୍ ବେଶ୍ ଖାସ୍ ରହିବ। କାରଣ ଆଜି ବିରାଟ ଦିନିକିଆରେ ସବୁଠାରୁ ଦ୍ରୁତତମ ୧୫ ହଜାର ରନ୍ ପୂରା କରିପାରନ୍ତି। ଏହି ରେକର୍ଡ କରିବାରେ ସେ ମାତ୍ର ୫୯ ରନ୍ ଦୂରରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୩୦୨ଟି ଇନିଂସ ଖେଳିଥିବା ବେଳେ ୧୪, ୯୪୧ ରନ୍ କରିଛନ୍ତି। ଏହା ପୂର୍ବରୁ ସଚିନ ତେନ୍ଦୁଲକର ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୭୭ ଇନିଂସ ଖେଳି ୧୫ ହଜାର ରନ ପୂରା କରିଥିଲେ।

ସେପଟେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲିଙ୍କ ରେକର୍ଡ ଭଲ ରହିଛି। ସେ ୪୩ଟି ମ୍ୟାଚ୍ ଖେଳି ୨୨୬୧ ରନ୍ କରିଥିବା ବେଳେ ୯ଟି ଶତକ ହାସଲ କରିଛନ୍ତି। ଆଜି ଯଦି ସେ ଆଉ ଗୋଟିଏ ଶତକ ହାସଲ କରିବେ ତେବେ, ଦୁଇଟି ଭିନ୍ନ ଦଳ ବିରୋଧରେ ୧୦ଟି ଲେଖାଏ ଶତକ ହାସଲ କରିବାରେ ବିରାଟ ପ୍ରଥମ ବ୍ୟାଟର ହେବେ। ଏହା ପୂର୍ବରୁ କୋହଲି ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଶତକ ହାସଲ କରିସାରିଛନ୍ତି।

ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ୨୦୧୮ରେ ୧୦ ହଜାର ରନ ପୂରା କରିଥିଲେ ବିରାଟ

୨୦୧୮ ମସିହାରେ ବିଶାଖାପାଟନମରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨୯ ବଲ୍ ଖେଳି ଅପରାଜିତ ୧୫୭ ରନ୍ କରିଥିଲେ। ଏହି ଇନିଂସ୍ ଭଳରେ ସେ ସେ ୧୦,୦୦୦ ଦିନିକିଆ ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟର ହୋଇଥିଲେ। ବିରାଟ ୨୦୫ ଇନିଂସରେ ଏହି ଉପଲବ୍ଧି ହାସଲ କରି ସଚିନ ତେନ୍ଦୁଲକରଙ୍କ ୨୫୯ ଇନିଂସର ରେକର୍ଡ ଭାଙ୍ଗିଥିଲେ।

ରୋହିତଙ୍କ ପାଇଁ କ’ଣ ଖାସ ?

ଆଜିର ମ୍ୟାଚ୍ ରୋହିତ ଶର୍ମାଙ୍କ ପାଇଁ ବି ଖାସ୍ ରହିବ। କାରଣ ରୋହିତ ଓପନର ଭାବେ ତାଙ୍କର ୨୦୦ତମ ଇନିଂସ ଖେଳିବେ। ସେ ଏପର୍ଯ୍ୟନ୍ତ ୧୯୯ ଇନିଂସରେ ୯୮୬୫ ରନ କରିଛନ୍ତି। ୧୮ ଥର ଅପରାଜିତ ରହିଛନ୍ତି। ଦିନିକିଆରେ ତାଙ୍କର ବେଷ୍ଟ ସ୍କୋର ୨୬୪ ରହିଛି। ଏବଂ ଆଭରେଜ୍ ୫୪.୫୯ ରହିଥିବା ବେଳେ ୯୬.୩୯ ଷ୍ଟ୍ରାଇକ୍ ରେଟ୍ ରହିଛି। ଜଣେ ଓପନର ଭାବରେ ତାଙ୍କର ୩୨ ଶତକ ଏବଂ ୯ ଅର୍ଦ୍ଧଶତକୀୟ ଇନିଂସ ରହିଛି। ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ବନାଇବାରେ ରୋହିତ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଟପ୍ରେ ରହିଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ୨୬୪ ରନ୍ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟର ବନାଇ ନାହାନ୍ତି। ସେ ଦିନିକିଆରେ ୩ ଥ ଦ୍ୱିଶତକ ହାସଲ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି।

ଦୀର୍ଘ ୨୦ ବର୍ଷ ହେଲାଣି ଭାରତ ଠାରୁ ସିରିଜି ଜିତିପାରୁନି ୱେଷ୍ଟଇଣ୍ଡିଜ୍

ଦୀର୍ଘ ୨୦ ବର୍ଷ ହେଲା ଭାରତ ଠାରୁ ସିରିଜ୍ ଜିତିପାରୁ ନାହିଁ ୱେଷ୍ଟ ଇଣ୍ଡିଜ୍। ଶେଷ ଥର ପାଇଁ ଦଳ ୨୦୦୬ ମସିହାରେ ଭାରତ ବିପକ୍ଷରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିଥିଲା। ସେବେଠାରୁ, ଭାରତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୩ଟି ସିରିଜ୍କୁ କବ୍ଜା କରିଛି। ସେପଟେ ଭାରତରେ ହୋଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ୨୦୦୨ ମସିହାରେ ଶେଷ ସିରିଜ୍ ବିଜୟ ହାସଲ କରିଥିଲା। ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୧୪୨ଟି ଦିନିକିଆ ଖେଳାଯାଇଛି। ଭାରତ ୭୨ଟି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୬୪ଟିରେ ବିଜୟ ହୋଇଛି। ୬ଟି ମ୍ୟାଚ୍ ଟାଇ କିମ୍ବା ଫଳଶୂ୍ନ୍ୟ ରହିଥିଲା।

Also read- ଏସିଆନ୍ ଗେମ୍ସରେ ପୁଣି ଶ୍ରେଷ୍ଠ ୧୦ରେ ଭାରତ, କବାଡ଼ିରେ ଡବଲ୍ ସ୍ୱର୍ଣ୍ଣ

ଭାରତ ପାଇଁ ନମ୍ବର-୪ ଓ ବୋଲିଂ କମ୍ବିନେସନ୍ ଗୁରୁତ୍ୱପୂର୍ଣ୍ଣ

ନମ୍ବର-୪ରେ କିଏ ବ୍ୟାଟିଂ କରିବେ ତାହା ଭାରତ ପାଇଁ ସବୁଠାରୁ ବଡ଼ ଟିମ୍ କମ୍ବିନେସନ୍ ଚ୍ୟାଲେଞ୍ଜ ଭାବେ ରହିଛି। ଶ୍ରେୟସ ଅୟ୍ୟର ଓ ଅକ୍ଷର ପଟେଲ ଏବେ ଏସିଆନ୍ ଗେମ୍ସ ପାଇଁ ଟି-୨୦ ଦଳ ସହ ଉପଲବ୍ଧ ଥିବାରୁ ନମ୍ବର-୪ ପାଇଁ ଋତୁରାଜ ଗାଏକୱାଡଙ୍କୁ ସ୍ଥାନ ମିଳିପାରେ। ସେହିପରି ବୋଲିଂ ବି ଆହ୍ୱାନପୂର୍ଣ୍ଣ ହୋଇପାରେ।

ଆହତ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାହ ଦଳରେ ନଥିବାରୁ ନୀତୀଶ କୁମାର ରେଡ୍ଡୀଙ୍କୁ ପୂରା ୧୦ ଓଭର ବୋଲିଂ କରିବାର ଦାୟିତ୍ୱ ମିଳିପାରେ। ସେହିପରି ବ୍ୟାଟିଂରେ ଦଳ ନମନ ଧୀରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇପାରେ। ବୋଲିଂ କଭର୍ ପାଇଁ ଗୁରନୂର ବ୍ରାର ଓ ଆକିବ ନବୀ ବିକଳ୍ପ ରହିଛନ୍ତି।

ନେଟ୍ସରେ ମହମ୍ମଦ ସିରାଜଙ୍କ ବଲ୍ ଶୁଭମନ ଗିଲଙ୍କ କୋହୁଣିରେ ବାଜିଥିଲା। ଗିଲ୍ ଆଇସପ୍ୟାକ୍ ଲଗାଇ ବସିଥିଲେ ଏବଂ ପୁଣି ବ୍ୟାଟିଂ କରିନଥିଲେ। ତେବେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଫିଟ୍ ବୋଲି କହିଛି। ଆବଶ୍ୟକ ହେଲେ ଯଶସ୍ୱୀ ଜୟସ୍ୱାଲ୍ ବ୍ୟାକଅପ୍ ଓପନର ଭାବେ ରହିଛନ୍ତି।

ଚଳିତ ବର୍ଷ ଗିଲ୍ ୯ଟି ଦିନିକିଆରେ ୫୬୧ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୧୦.୬୫ ଏବଂ ସର୍ବାଧିକ ସ୍କୋର ୧୫୪ ରନ୍। ପ୍ରସିଦ୍ଧ କୃଷ୍ଣା ଚଳିତ ବର୍ଷ ୧୩ଟି ୱିକେଟ୍ ନେଇଛନ୍ତି।

ଶାଇ ହୋପ୍ ୱେଷ୍ଟଇଣ୍ଡିଜର ଶ୍ରେଷ୍ଠ ବ୍ୟାଟର

୨୦୨୩ ବିଶ୍ୱକପ୍ ପରେ ଶାଇ ହୋପ୍ ୧୩୫୦ ରନ୍ କରିଛନ୍ତି। ତାଙ୍କ ବ୍ୟାଟିଂ ଆଭେରେଜ୍ ୫୦ ଏବଂ ଷ୍ଟ୍ରାଇକ୍ ରେଟ୍ ୯୨.୯୧ ରହିଛି। ଏସିଆରେ ୧୦୦୦ରୁ ଅଧିକ ଦିନିକିଆ ରନ୍ କରିଥିବା ବିଦେଶୀ ବ୍ୟାଟରଙ୍କ ମଧ୍ୟରେ ହୋପଙ୍କ ଆଭେରେଜ୍ ୬୮.୧୭।

କୀସି କାର୍ଟି ଚଳିତ ବର୍ଷ ୭ଟି ମ୍ୟାଚ୍ରେ ୨୨୧ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୬୬.୭୬ ଏବଂ ସର୍ବାଧିକ ସ୍କୋର ୯୫ ରନ୍।

ଅପରେସନ୍ ପରେ ଜନ୍ କ୍ୟାମ୍ପବେଲ୍ ଦଳକୁ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଜଷ୍ଟିନ୍ ଗ୍ରୀଭ୍ସ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଦିନିକିଆ ଖେଳିଥିଲେ। ଏବେ ସେ କ୍ୟାମ୍ପବେଲଙ୍କ ସହ ଓପନିଂ କରିପାରନ୍ତି। ପ୍ରାୟ ଏକ ବର୍ଷ ପରେ ଜ୍ୱେଲ୍ ଆଣ୍ଡ୍ରୁ ମଧ୍ୟ ଦଳକୁ ଫେରିଛନ୍ତି। ଅମୀର ଜାଙ୍ଗୁ ଓ କାମିଲ୍ ପୂରନଙ୍କ ଉପରେ ମଧ୍ୟ ନଜର ରହିବ। ରୋଷ୍ଟନ୍ ଚେଜ୍ ଓ ଗୁଡାକେଶ ମୋଟିଙ୍କ ସହ ଭିଟାଲ୍ ଲଜ୍ ଦଳକୁ ସ୍ପିନ୍ ବୋଲିଂରେ ଅତିରିକ୍ତ ବିକଳ୍ପ ଦେଉଛନ୍ତି।

ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ-ଇଲେଭେନ୍

ଭାରତ: ରୋହିତ ଶର୍ମା, ଶୁଭମନ ଗିଲ୍ (କ୍ୟାପ୍ଟେନ୍), ବିରାଟ କୋହଲି, ଋତୁରାଜ ଗାଏକୱାଡ୍, କେଏଲ୍ ରାହୁଲ୍ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ।

ୱେଷ୍ଟଇଣ୍ଡିଜ୍: ଜନ୍ କ୍ୟାମ୍ପବେଲ୍, ଜଷ୍ଟିନ୍ ଗ୍ରୀଭ୍ସ/ଜ୍ୱେଲ୍ ଆଣ୍ଡ୍ରୁ, କୀସି କାର୍ଟି, ଶାଇ ହୋପ୍ (କ୍ୟାପ୍ଟେନ୍-ୱିକେଟକିପର), ଶେରଫେନ୍ ରଦରଫୋର୍ଡ, ରୋଷ୍ଟନ୍ ଚେଜ୍, ମାଥ୍ୟୁ ଫୋର୍ଡ, ଗୁଡାକେଶ ମୋଟି, ଜେୟଡେନ୍ ସିଲ୍ସ/ଶମର ଜୋସେଫ୍, ଅଲଜାରି ଜୋସେଫ୍, ଭିଟାଲ୍ ଲଜ୍।