ନୂଆଦିଲ୍ଲୀ: ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି, ତେବେ ଆଜି ହିଁ ଏହା ସାରି ଦିଅନ୍ତୁ। କାରଣ ଆସନ୍ତକାଲି ଠାରୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ବ୍ୟାଙ୍କ ବନ୍ଦ ରହିବ। ସପ୍ତାହରେ ଦୁଇ ଦିନ ଛୁଟି ଦାବି କରି ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆଜି ରବିବାର ହେଲେ ସୁଦ୍ଧା ବ୍ୟାଖ୍ ଖୋଲା ରହିଛି। ଯାହା କାମ ସାରିବା କଥା ସାରି ଦିଅନ୍ତୁ। ତେବେ ରୋଚକ କଥା ହେଲା ୧୦ ବର୍ଷ ପରେ କୌଣସି ରବିବାର ବ୍ୟାଙ୍କ ଖୋଲିବାକୁ ଯାଉଛି। ଏହା ପୂର୍ବରୁ ୨୦୧୬ରେ ବିମୁଦ୍ରୀକରଣ ବେଳେ ୧୪ ନଭେମ୍ବର ରବିବାର ବ୍ୟାଙ୍କ ଖୋଲା ରହିଥିଲା। ସେତେବେଳେ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍ ଜମା କରିବା, ବଦଳାଇବା ଓ କ୍ୟାସ ବାହାର କରିବା ପାଇଁ ବ୍ୟାଙ୍କଗୁଡ଼ିକରେ ଲୋକଙ୍କର ଲମ୍ବା ଲାଇନ ଲାଗିଥିଲା।

ATMରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ

ବ୍ୟାଙ୍କ ପ୍ରତିବାଦ ସମୟରେ ଏଟିଏମ୍ରୁ ଟଙ୍କା ଉଠାଇଲେ କୌଣସି ଦେୟ ଦେବାକୁ ପଡ଼ିବନି। ସମସ୍ତ ଏଟିଏମ୍ରୁ ଟଙ୍କା ଉଠାଣ ସମ୍ପୂର୍ଣ୍ଣ ମାଗଣା ରହିବ। ଏସ୍‌ବିଆଇ ଓ ପିଏନ୍‌ବି ସମେତ ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍ ଟଙ୍କା ଉଠାଣର ମାସିକ ଫ୍ରି ଲିମିଟ୍ ଶେଷ ହୋଇଥିଲେ ମଧ୍ୟ କ୍ୟାସ ବାହାର କଲେ କୌଣସି ଚାର୍ଜ ଲାଗିବ ନାହିଁ ବୋଲି ବ୍ୟାଙ୍କଗୁଡ଼ିକ ଘୋଷଣା କରିଛନ୍ତି।

ବର୍ତ୍ତମାନ ଆର୍‌ବିଆଇ ନିୟମ ଅନୁସାରେ, ନିଜ ବ୍ୟାଙ୍କର ଏଟିଏମ୍ରୁ ମାସକୁ ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ କରାଯାଇପାରେ। ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ମେଟ୍ରୋ ସହରରେ ୩ଟି ଏବଂ ଅନ୍ୟ ସ୍ଥାନରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ର ସୁବିଧା ରହିଛି। ଏହି ସୀମା ଅତିକ୍ରମ କଲେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ସର୍ବାଧିକ ₹୨୩ ଏବଂ ଜିଏସ୍ଟି ଚାର୍ଜ ଲାଗିପାରେ। ତେବେ ଧର୍ମଘଟ ସମୟରେ ଏସ୍ବିଆଇ ଏବଂ ଅନ୍ୟ କିଛି ସରକାରୀ ବ୍ୟାଙ୍କ ଏହି ଏଟିଏମ୍ ଚାର୍ଜ ଛାଡ଼ କରୁଥିବା ଘୋଷଣା କରିଛନ୍ତି।

ପ୍ରତିବାଦ ଜିଦ୍‌ରେ ଅଡ଼ି ରହିଲା ୟୁନିୟନ୍, ୯୦% କର୍ମଚାରୀ ସାମିଲ ହେବେ

ବ୍ୟାଙ୍କ ଆନ୍ଦୋଳନ କରିବାକୁ ଅର୍ଥନୈତିକ ସେବା ବିଭାଗ, ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ଏବଂ ବ୍ୟାଙ୍କ ପରିଚାଳନା ପକ୍ଷରୁ କରାଯାଇଥିବା ଅନୁରୋଧକୁ ୟୁନିୟନ୍ଗୁଡ଼ିକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଆନ୍ଦୋଳନରେ ଦେଶର ୭ଟି ବଡ଼ ବ୍ୟାଙ୍କ ୟୁନିୟନ୍ ସାମିଲ ହେବେ। ଏହି ୟୁନିୟନ୍ଗୁଡ଼ିକ ସହ ପ୍ରାୟ ୯୦%ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଜଡ଼ିତ ଥିବା ଦାବି କରାଯାଉଛି। ସେଗୁଡ଼ିକ ହେଲା— AIBEA, AIBOC, NCBE, AIBOA, BEFI, INBEF ଏବଂ INBOC।

ୟୁନିୟନ୍ଗୁଡ଼ିକର କହିବା ଅନୁସାରେ, ସପ୍ତାହରେ ୫ ଦିନ ବ୍ୟାଙ୍କ କାର୍ଯ୍ୟ ପାଇଁ ସରକାର ଏକ ନିଶ୍ଚିତ ତାରିଖ ଘୋଷଣା ନକରିବା ପର୍ଯ୍ୟନ୍ତ ସେମାନଙ୍କ ବିରୋଧ ଜାରି ରହିବ।

ସେପଟେ ସରକାର ବ୍ୟାଙ୍କରେ ୫ ଦିନିଆ କାର୍ଯ୍ୟ ଦିବସକୁ ବିରୋଧ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ବ୍ୟାଙ୍କଗୁଡ଼ିକରେ ୫ ଦିନ କାର୍ଯ୍ୟ ବ୍ୟବସ୍ଥା ଲାଗୁ କରିବା ନେଇ ସରକାର କେବେ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି କିମ୍ବା ଏନେଇ ପୂର୍ବରୁ କୌଣସି ଆଲୋଚନା ହୋଇ ନାହିଁ। ଏପରିକି ବେତନ ସଂଶୋଧନ ନେଇ ହୋଇଥିବା ଆଲୋଚନା ସମୟରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।

Also Read- ଅକ୍ଟୋବର ୨ରେ ‘ନୋ UPI ଡେ’ ପାଳନ ଖବର ମିଛ, ଏଭଳି କୌଣସି ଘୋଷଣା ହୋଇନି: CAITର ସ୍ପଷ୍ଟୀକରଣ

ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ୫-ଡେ ୱର୍କିଂର ଦାବି କେବଳ ବ୍ୟାଙ୍କ କର୍ମଚାରୀ ୟୁନିୟନ୍ଗୁଡ଼ିକ ପକ୍ଷରୁ ଉଠାଯାଇଥିଲା। ଏହା ଉପରେ ସରକାର ଓ ୟୁନିୟନ୍ ମଧ୍ୟରେ କୌଣସି ସହମତି ହୋଇନଥିଲା। ସରକାରଙ୍କର ଏହି ସ୍ପଷ୍ଟୀକରଣ ପରେ ବ୍ୟାଙ୍କଗୁଡିକର ଏଭଳି ଆନ୍ଦୋଳନର ଔଚିତ୍ୟତା ନେଇ ପ୍ରଶ୍ନ ଉଠିଛି।

PLI ନିୟମକୁ ନେଇ ମଧ୍ୟ ବିବାଦ

ସପ୍ତାହରେ ୫ ଦିନ କାମ ବ୍ୟତୀତ ପରଫର୍ମାନ୍ସ ଲିଙ୍କ୍ଡ ଇନ୍ସେଣ୍ଟିଭ୍ (PLI) ନିୟମକୁ ନେଇ ମଧ୍ୟ ସରକାର ଓ ବ୍ୟାଙ୍କ ୟୁନିୟନ୍ଗୁଡ଼ିକ ମଧ୍ୟରେ ମତଭେଦ ରହିଛି।

ସରକାର ସ୍କେଲ୍-୪ ଏବଂ ତା’ଠାରୁ ଉପର ପାହ୍ୟାର ଅଧିକାରୀମାନଙ୍କ ପାଇଁ ଏକ ନୂଆ ବୋନସ୍ ନିୟମ ଲାଗୁ କରିଥିବା ରିପୋର୍ଟରେ କୁହାଯାଇଛି। ଏହା ଅନୁସାରେ, ଭଲ ପ୍ରଦର୍ଶନ କରୁଥିବା ଅଧିକାରୀମାନେ ବାର୍ଷିକ ମୂଳ ବେତନର ସମାନ ପରିମାଣ—ଅର୍ଥାତ୍ ୩୬୫ ଦିନର ବେସିକ୍ ସାଲାରି ପର୍ଯ୍ୟନ୍ତ ଇନ୍ସେଣ୍ଟିଭ୍ କିମ୍ବା ବୋନସ୍ ପାଇପାରିବେ। ଏହି ନିୟମକୁ ନେଇ ମଧ୍ୟ ବ୍ୟାଙ୍କ ୟୁନିୟନ୍ଗୁଡ଼ିକ ଆପତ୍ତି ଜଣାଇଛନ୍ତି।