ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆସିଛି ଆଉ ଏକ ଗୌରବ ମୁହୂର୍ତ୍ତ। ଭାରତୀୟ କୁସ୍ତି ଯୋଦ୍ଧା ଅମନ ସେହରାୱତ ସମସ୍ତଙ୍କୁ ଚକିତ କରି ବିଶ୍ୱର ୧ ନମ୍ବର ପହଲୱାନଙ୍କୁ ମାତ୍ ଦେଇ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗର ୫୭ କିଲୋଗ୍ରାମ ଇଭେଣ୍ଟର ଫାଇନାଲ୍ ମ୍ୟାଚରେ ଅମନ ସେହରାୱତ ଦୁନିଆର ଏକ ନମ୍ବର  ଉତ୍ତର କୋରିଆର ପହିଲମାନ ଚୋଙ୍ଗ ସୋଙ୍ଗଙ୍କୁ ଭେଟିଥିଲେ। ଏହି ରୋମାଞ୍ଚକର ମୁକାବିଲାରେ ଅମନ ଚୋଙ୍ଗଙ୍କୁ ୧୧-୭ ପଏଣ୍ଟରେ ପରାସ୍ତ କରି ସ୍ଵର୍ଣ୍ଣ ପଦକ ଜିତିଚନ୍ତି। ଏହା ହେଉଛି ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ୨୦ତମ ସ୍ୱର୍ଣ୍ଣ ଏବଂ କୁସ୍ତିରେ ଦ୍ୱିତୀୟ ଗୋଲ୍ଡ ମେଡାଲ୍।

ଏସୀୟ କ୍ରୀଡ଼ାରେ ଅମନଙ୍କର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ। ୨୦୨୨ ଏସୀୟ କ୍ରୀଡ଼ାରେ ତାଙ୍କୁ ବ୍ରୋଞ୍ଜ ପଦକ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କୁସ୍ତିର ଏହି ୬ ମିନିଟର ବିଶିଷ୍ଟ ମୁକାବିଲାରେ ତିନି-ତିନି ମିନିଟର ଦୁଇଟି ରାଉଣ୍ଡ ଖେଳାଯାଇଥିଲା। ପ୍ରଥମ ୩ ମିନିଟ୍ ସୁଦ୍ଧା ଅମନ ୨-୦ରେ ଆଗୁଆ ରହି ନିଜର ଦମ୍ ଦେଖାଇଥିଲେ। ମାତ୍ର ପରବର୍ତ୍ତୀ ୩ ମିନିଟରେ ଉତ୍ତର କୋରିଆର ପହିଲମାନ ଚୋଙ୍ଗ ସୋଙ୍ଗ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଅମନଙ୍କୁ ଚାପରେ ପକାଇଥିଲେ। ମ୍ୟାଚର ମାତ୍ର ଗୋଟିଏ ମିନିଟ୍ ବାକିଥିବା ବେଳେ ଚୋଙ୍ଗ ସୋଙ୍ଗ ୭-୬ରେ ଅମନଙ୍କଠାରୁ ଆଗରେ ଥିଲେ। ଏପରି ଲାଗୁଥିଲା ଯେ ଅମନ ଏହି ମ୍ୟାଚ୍ ହାରିଯିବେ, କିନ୍ତୁ ଶେଷ ମିନିଟରେ ଖେଳର ମୋଡ଼ ବଦଳି ଯାଇଥିଲା।

ଚମତ୍କାର କାଉଣ୍ଟର ଆଟାକ

ଚୋଙ୍ଗ ସୋଙ୍ଗଙ୍କ ଅତ୍ୟଧିକ ଆକ୍ରମଣାତ୍ମକ ନୀତି ତାଙ୍କ ପାଇଁ ଓଲଟା ମହଙ୍ଗା ପଡ଼ିଥିଲା। ଶେଷ ମିନିଟରେ ତାଙ୍କର ଆକ୍ରମଣର ଜବାବ ଦେଇ ଅମନ ଏକ ଦମଦାର୍ କାଉଣ୍ଟର ଆଟାକ କରିଥିଲେ ଏବଂ ବିରୋଧୀ ପହିଲମାନଙ୍କୁ ମ୍ୟାଟ୍ ଉପରେ ପକାଇ ଗୁରୁତ୍ୱପୂର୍ଣ୍ଣ ୨ ଅଙ୍କ ହାତେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ଉତ୍ତର କୋରିଆ ଶିବିର ପକ୍ଷରୁ ରେଫରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହା ସେମାନଙ୍କ ବିପକ୍ଷରେ ଯାଇଥିଲା। ଶେଷରେ ଅମନ ୧୧-୭ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଇତିହାସ ରଚିଥିଲେ।

ପଦକ ତାଲିକାରେ ଭାରତର ସ୍ଥିତି

ଅମନଙ୍କ ଏହି ସ୍ୱର୍ଣ୍ଣ ପଦକ ସଫଳତା ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଏବଂ ୩୬ଟି ବ୍ରୋଞ୍ଜ ପଦକ ସହ ପଦକ ତାଲିକାରେ ପଞ୍ଚମ ସ୍ଥାନ ବଜାୟ ରଖିଛି।