ଭୁବନେଶ୍ୱର ୧୯।୮: ବିଶିଷ୍ଟ ଓଡ଼ିଆ କବି ଓ ପ୍ରାବନ୍ଧିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ୨୦୨୬ ବର୍ଷର ସମ୍ମାନଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ। ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ୨୦୨୪ରେ ପ୍ରଭା ପବ୍ଲିକେଶନ୍ସ ପକ୍ଷରୁ ପ୍ରକାଶିତ ତାଙ୍କ କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ସେ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୫ରେ ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଡକ୍ଟର ପରିଡ଼ାଙ୍କୁ ମାନପତ୍ର, ତାମ୍ରଫଳକ ସହ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଚଳିତ ବର୍ଷ ଶାରଳା ପୁରସ୍କାରର ଚୂଡ଼ାନ୍ତ ବିଚାର ପର୍ଯ୍ୟାୟରେ ୭ଟି ପୁସ୍ତକ ସ୍ଥାନ ପାଇଥିଲା। ସେଗୁଡ଼ିକ ହେଲା ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜା ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥିବୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବାର୍ତ୍ତା’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’।

ପୁସ୍ତକ ମନୋନୟନ କମିଟିରେ ଡକ୍ଟର ଇନ୍ଦିରା ଦାଶ, ପ୍ରତୀକ୍ଷା ଜେନା, ଅମିୟ ବେଜ, ପ୍ରଦୀପ କୁମାର ପଣ୍ଡା ଓ ଅଭୟ ନାୟକ ରହିଥିଲେ। ସେହିପରି ବିଚାରକ ମଣ୍ଡଳୀରେ ଡକ୍ଟର ସୁଚେତା ମିଶ୍ର, ଡକ୍ଟର ହୃଷୀକେଶ ମଲ୍ଲିକ, ସଂଗ୍ରାମ ଜେନା, ସ୍ୱପ୍ନା ମିଶ୍ର, ପ୍ରଫେସର ଡକ୍ଟର ନଟବର ଶତପଥୀ, ଡକ୍ଟର ସରୋଜିନୀ ସାହୁ ଓ ଅଜୟ କୁମାର ମହାପାତ୍ର ସାମିଲ ଥିଲେ।

Also Read:- ଲଣ୍ଡନରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟରଙ୍କୁ ସମ୍ମାନିତ କଲା ଓଡ଼ିଶାର ଚିଲିକା ରେସ୍ତୋରାଁ

ଏହା ସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୬ ପାଇଁ ଘୋଷଣା ହୋଇଛି। ଓଡ଼ିଶୀ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ୍ ଦାମୋଦର ବେହେରାଙ୍କୁ ଏହି ସମ୍ମାନ ଦିଆଯିବ। ଉଭୟଙ୍କୁ ମାନପତ୍ର, ତାମ୍ରଫଳକ ସହ ୨.୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

୧୯୮୦ରେ ଇଲା ପଣ୍ଡା ଓ ଡକ୍ଟର ବଂଶୀଧର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଇମ୍ପାକ୍ଟ ଓଡ଼ିଆ ସାହିତ୍ୟ, କଳା, ସଙ୍ଗୀତ ଓ ନୃତ୍ୟର ପ୍ରସାର ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ୧୯୯୩ରେ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠିତ ‘ଏକଲବ୍ୟ ପୁରସ୍କାର’ ମଧ୍ୟ ଓଡ଼ିଶାର ଏକ ପ୍ରତିଷ୍ଠିତ କ୍ରୀଡ଼ା ସମ୍ମାନ ଭାବେ ପରିଚିତ।