ନୂଆଦିଲ୍ଲୀ, ୦୩/୦୪ : କଂଗ୍ରେସ ତଥା ଅନ୍ୟ ବିରୋଧ ଦଳ ସମର୍ଥିତ ଥିଙ୍କ୍ ଚ୍ୟାଙ୍କ୍ ଙ୍କ ବଡ ଯୋଜନା । ସରକାରଙ୍କୁ ଘେରିବାକୁ ବସିଲା ବୈଠକ । ଯୋଗ ଦେଲେ ଭାରତ ଯୋଡୋ ଅଭିଯାନର ସଦସ୍ୟ । ୨୦୨୪ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା କିଛି ଅନିୟମିତତା ନେଇ ସେମାନଙ୍କ ହାତରେ ସୁରାକ ଲାଗିଛି । ଯାହାକୁ ନେଇ ସରକାରୀ କଳକୁ ଘେରିବାକୁ,ସଜବାଜ ହେଲେଣି କିଛି ବିଶେଷଜ୍ଞ । ଏହାସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ମଧ୍ୟ ଉଠାଇଛନ୍ତି ପ୍ରଶ୍ନ ।

​​​​​​​Also Read :- Digital Census 2027: ୧୫ ବର୍ଷ ପରେ ପ୍ରଥମ ଥର ଡିଜିଟାଲ୍ ସର୍ଭେ, ଜାଣନ୍ତୁ କେଉଁ ୩୩ଟି ପ୍ରଶ୍ନର ଦେବାକୁ ହେବ ଉତ୍ତର

ରିପୋର୍ଟ ଅନୁସାରେ, ଗତ ସୋମବାର ଦିଲ୍ଲୀର କନଷ୍ଟିଟ୍ୟୁସନ୍ କ୍ଲବରେ ଭାରତ ଯୋଡୋ ଅଭିଯାନ ନାମକ ଏକ ସଙ୍ଗଠନର କିଛି ବିଶେଷଜ୍ଞ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ଆଇନ, ନିର୍ବାଚନ, ନୀତି ନିର୍ଧାରଣ ଦାୟିତ୍ୱରେ ଥିବା କଂଗ୍ରେସ ତଥା ଅନ୍ୟ ଛାମୁଆ ବିରୋଧୀ ଦଳର ବିଶେଷଜ୍ଞ କମିଟିର ସଦସ୍ୟ ଯୋଗ ଦେଇଥିଲେ । ସେମାନଙ୍କ କହିବାନୁସାରେ ୨୦୨୪ରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନରେ ଅନେକ ଅନିୟମିତାତ ହୋଇଛି । ମତଦାନରେ ଚଞ୍ଚକତା ମଧ୍ୟ ହୋଇଛି ।

ରାଜନୈତିକ ସମୀକ୍ଷକ ପରକାଲା ପ୍ରଭାକର କହିଛନ୍ତି ଯେ, ତାଙ୍କ ପାଖରେ ଅନେକ ତଥ୍ୟ ଅଛି । ସେ ତଥ୍ୟର ଯାଞ୍ଚ କରିଛନ୍ତି । ନିର୍ବାଚନ ଦିନ କିଛି ବୁଥରେ ଅସାଧାରଣ ପୁଲିଂ ହୋଇଥିଲା । ୩୫୦୦ ବୁଥରେ ରାତି ୨ଟା ଯାଏଁ ମତଦାନ ହୋଇଛି । ଯାହା ସମ୍ପୂର୍ଣ୍ଣ ଭାବେ ଅସ୍ୱାଭାବିକ୍ ।

ସେହିପରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ସନ୍ଦେହ ରହିଛି । ପର୍ମ୍ ୧୭-ସିର ଫର୍ମକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆହୁରି ମଧ୍ୟ ଭୋଟର ଲିଷ୍ଟକୁ କାହିଁକି ମେସିନ୍ ପଢିପାରୁଥିବା ଭଳି ଫର୍ମାଟରେ ପ୍ରସ୍ତୁତ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭିଭିପାଟ୍ ଏବଂ ଇଭିଏମରେ ଚଞ୍ଚକତା କରାଯାଇପାରେ । ଇଭିଏମ୍ ସହ ଭିଭିପାଟ୍ ର ଗଣତି କରିବାକୁ ପ୍ରଶାନ୍ତ ଦାବି କରିଛନ୍ତି ।

ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ. ନିର୍ବାଚନରେ ମୋଟ୍ ମତଦାନର ୪.୬ ପ୍ରତିଶତ ଭୋଟ୍ ରାତି ୧୧ଟା ୪୫ରୁ ୨ଟା ମଧ୍ୟରେ ପଡିଥିଲା । ଏପରିକି ମଧ୍ୟରାତ୍ର ପରେ ପ୍ରାୟ ୧୭ ଲକ୍ଷ ଭୋଟ୍ ପଡିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଗୋଟିଏ ଭୋଟ୍ ପଡିବା ପରେ ଇଭିଏମକୁ ରିସେଟ୍ ହେବାକୁ କିଛି ସେକେଣ୍ଡ୍ ସମୟ ଲାଗିଥାଏ । ହେଲେ ରାତି ଅଧିଆ ଭୋଟ ପଡିଥିବା ଇଭିଏମରେ ଦୁଇଟି ମତଦାନ ମଧ୍ୟ ସମୟ ବ୍ୟବଧାନ ମାତ୍ର ୬ ସେକେଣ୍ଡ୍ ଥିଲା । ଯାହା ଖୁବ୍ କମ୍ । 

ଅନ୍ୟ ଦିଗରେ ପୂର୍ବତନ ସିଇସି ଏସ ଓ୍ୱାଇ କ୍ୟୁରେସି କହିଛନ୍ତି ଯେ, ଫର୍ମ୍ ୧୭ସି ଏବଂ ୨୦ରେ ସଂସ୍କାର କରାଯିବା ଦରକାର । କେତେ ଭୋଟିଂ ହୋଇଛି ତାହାର ତଥ୍ୟ ନିର୍ବାଚନ ଦିନ ହିଁ ଜାରି ହେବା ଉଚିତ୍ । ଆହୁରି ମଧ୍ୟ ବୈଠକରେ ସାମିଲ ହୋଇଥିବା ଅନ୍ୟ ବିଶେଷଜ୍ଞ ନିର୍ବାଚନର ସ୍ୱଚ୍ଛତା ଏବଂ ନୈତିକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ବିଜେଡିର ଅଭିଯୋଗ

ବିଜୁ ଜନତା ଦଳ ମଧ୍ୟ ଓଡିଶା ପରିପ୍ରେକ୍ଷୀରେ ପୂର୍ବରୁ ସମାନ ଅଭିଯୋଗ କରିଛି । ରାଜ୍ୟରେ ବିଧାନସଭା ନିର୍ବାଚନରେ ହୋଇଥିବା ଅନିୟମିତତା ନେଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ହେଲେ ଏବେସୁଦ୍ଧା ଏହାର କୌଣସି ନିସ୍କର୍ଷ ବାହାରି ପାରିନାହିଁ ।

ନିର୍ବାଚନ କମିଶନଙ୍କ ଖଣ୍ଡନ

ଏହାପ୍ରଥମ ଥର ନୁହେଁ । ପୂର୍ବରୁ ବିରୋଧି ତଥା କିଛି ବିଶେଷଜ୍ଞ ସମାନ ଅଭିଯୋଗ କରିଛନ୍ତି । ଯାହାକୁ ନିର୍ବାଚନ କମିଶନ ଖଣ୍ଡନ କରି ଆସୁଛନ୍ତି । ତେବେ ନିକଟରେ ବିଶେଷଜ୍ଞଙ୍କ ଅଭିଯୋଗ ବାବଦରେ ଇସିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।