ଭୁବନେଶ୍ୱର ୩୧।୧୦ : ସରକାର ଟଙ୍କା ହଡପ ଅଭିଯୋଗ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଡେରାବିଶ ବ୍ଲକ୍ରେ ଗ୍ରାଚୁଇଟି ଟଙ୍କା ହେରଫେର ଅଭିଯୋଗକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ର ଜଣେ କ୍ଲର୍କ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ଟଙ୍କାକୁ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ଏହି ଘଟଣାରେ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ହେରଫେର ଧରାପଡ଼ିଥିବା ସେ କହିଛନ୍ତି। ଜିଲ୍ଲା ଟ୍ରେଜେରୀ ଅଧିକାରୀ ଘଟଣାକୁ ଧରିବା ପରେ ଟଙ୍କା ବ୍ୟାଙ୍କରେ ଜମା ହୋଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଅରବିନ୍ଦ। ତେବେ ଏହି ଘଟଣା କେବଳ ଡେରାବିଶ ବ୍ଲକରେ ସୀମିତ ନୁହେଁ ବୋଲି ଅଭିଯୋଗ କରିଛନ୍ତି ବିଧାୟକ। ୨୦୨୩-୨୪ ମସିହାରେ ରାଜକନିକା ବ୍ଲକ୍ରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିବା ସେ ଦାବି କରିଛନ୍ତି। ସେହି ଟଙ୍କା କୁଆଡ଼େ ଗଲା, ତାହାର ହିସାବ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ।

Also Read:-କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, ଯୋର ଭିତରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ

ଏହାସହ ତିର୍ତ୍ତୋଲ, ଅନୁଗୁଳ ଓ ଯାଜପୁର ବ୍ଲକ୍ରେ ମଧ୍ୟ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି। ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହ ଅର୍ଥ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ସଚିବଙ୍କ ସ୍ତରରେ ତଦନ୍ତ କରାଇବାକୁ ଦାବି କରିଛନ୍ତି। ସରକାରୀ ଅର୍ଥର ହେରଫେର ଅଭିଯୋଗରେ ଦୋଷୀଙ୍କ ବିରୋଧରେ ଦୃଢ଼ ଓ ଉଦାହରଣୀୟ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟର ସମସ୍ତ ବ୍ଲକରୁ ଆର୍ଥିକ କାରବାର ଯାଞ୍ଚ କରିବାକୁ ଦାବି ରଖିଛନ୍ତି ପାଟକୁରା ବିଧାୟକ।