ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଆମ୍ ଆଦମୀ ପାର୍ଟି (AAP)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ବଡ଼ ଦାବି କରିଛନ୍ତି । ଦେଶରେ ଏବେ ପ୍ରକୃତରେ କିଭଳି ସ୍ଥିତି ଅଛି, ସେନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ପଷ୍ଟ କରନ୍ତୁ । ଦେଶ ଆର୍ଥିକ ଦୁଃସ୍ଥିତିରେ ଫସିଯାଇଛି କି ବୋଲି ମଧ୍ୟ କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ଏପରିକି ଆଗରୁ ଦେଶରେ ଏଭଳି କେବେ ହୋଇନଥିଲା ବୋଲି ସେ ଦାବି କରିଛନ୍ତି ।

ଆର୍ଥିକ ସଂକଟରେ ଫସିଛି କି ଭାରତ ?- କେଜ୍ରିଓ୍ବାଲ

ଅରବିନ୍ଦ କେଜ୍ରିଓ୍ବାଲ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକଙ୍କୁ ଖର୍ଚ୍ଚ କାଟ କରିବାକୁ ଅପିଲ କରିଛନ୍ତି । ବିଦେଶ ଭ୍ରମଣ କମ୍ କରିବାକୁ କହିଛନ୍ତି । ଏହା ସହ ସୁନା ଏବଂ ଅନ୍ୟ ଦାମୀ ଜିନିଷ କ୍ରୟ କମ୍ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ଏହା ଆର୍ଥିକ ଜରୁରୀ ସ୍ଥିତିର ଆରମ୍ଭ କି ? ଦେଶ କ’ଣ ଆର୍ଥିକ ସଙ୍କଟରେ ଫସିଯାଇଛି କି ? ଏଭଳି ତ କେବେ ହୋଇନଥିଲା । ଦେଶବାସୀଙ୍କ ସାମ୍ନାରେ ସତ କଣ, ପ୍ରଧାନମନ୍ତ୍ରୀ କହିବା ଦରକାର । ପ୍ରକୃତରେ ଦେଶର ସ୍ଥିତି କିଭଳି ରହିଛି ?’

ସୂଚନାଯୋଗ୍ୟ, ରବିବାର (ମେ’ ୧୦) ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଲୋକଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ଅନୁରୋଧ କରିଥିଲେ। ସେ ଲୋକମାନଙ୍କୁ ରନ୍ଧନ ତେଲ ଏବଂ ବିଦେଶ ଯାତ୍ରା କମ କରିବାକୁ ପରାମର୍ଶ ଦେଇଥିଲେ। ସେ ବିଦେଶୀ ମୁଦ୍ରା ସଞ୍ଚୟ , ଘରୁ କାମ କରିବା (ଓ୍ବାର୍କ ଫ୍ରମ ହୋମ) ଏବଂ କାରପୁଲିଂ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅପିଲ ପରେ ରାଜନୈତିକ ପ୍ରତିକ୍ରିୟା ତୀବ୍ର ହୋଇଛି ।

ମୋଦୀଙ୍କୁ ଟାର୍ଗେଟ୍ କଲେ ସଞ୍ଜୟ ସିଂହ

ଆପ୍ ସଞ୍ଜୟ ସିଂହ କହିଛନ୍ତି, ‘ଏବେ ଦେଶଭକ୍ତି ନାଁରେ ଲାଇନ୍ରେ ଛିଡ଼ା ହୋଇଯାଆନ୍ତୁ। ଗ୍ୟାସ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଏବଂ ଡିଜେଲ୍ ମଧ୍ୟ ମହଙ୍ଗା ହେବ । ଦେଶଭକ୍ତି ନାମରେ ଏବେ ପେଟ୍ରୋଲ -ଡିଜେଲ୍ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । ସୁନା କିଣନ୍ତୁନି, ତେଲ କମ ଖାଆନ୍ତୁ । କିନ୍ତୁ ମୋଦୀ ନିଜ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କୁ ଆଣୁଛନ୍ତି, ବିଦେଶ ଯାତ୍ରା କରୁଛନ୍ତି । ତାଙ୍କର ଲୋକ ସୁନା କ’ଣ, ପୁରା ଦେଶର ସଂପତ୍ତି ଚଳୁ କରିଦେବେ । କିନ୍ତୁ ଆପଣମାନେ ଗରିବ ହୋଇ ରୁହନ୍ତୁ ।’