ନୂଆଦିଲ୍ଲୀ ୧୧/୧୨: ଅରୁଣାଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଅରୁଣାଚଳ ପ୍ରଦେଶର ଅଞ୍ଜାବ ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ବିପଦପୂର୍ଣ୍ଣ ପାହାଡ଼ି ରାସ୍ତାରୁ ଖସି ହଜାର ଫୁଟ ଗଭୀର ଘାଟିରେ ଖସି ପଡିଥିଲା । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ବୁଧବାର ଦିନ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣାଟି ଡିସେମ୍ବର ୮ ତାରିଖ ରାତି ୮ଟାରୁ ୯ଟା ମଧ୍ୟରେ, ଚଗଲାଗାମରୁ ପ୍ରାୟ ୧ କିଲୋମିଟର ଦୂରରେ ଘଟିଥିଲା । ଗାଡ଼ିଟି ରାସ୍ତାରୁ ଖସି ଏକ ଗଭୀର ଖାଇରେ ପଡ଼ିଯାଇଥିଲା । ଏହି ଅଞ୍ଚଳରେ ମୋବାଇଲ୍ ସଂଯୋଗ ନଥିବାରୁ, ପ୍ରାୟ ଦୁଇ ଦିନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର କୌଣସି ରିପୋର୍ଟ ହୋଇନଥିଲା ।

ନିଖୋଜ ଏବଂ ମୃତକଙ୍କ ମଧ୍ୟରେ ରାହୁଲ କୁମାର, ସୋମୀର ଦୀପ, ଅର୍ଜୁନ କୁମାର, ପଙ୍କଜ ମନକି, ଅଜୟ ମନକି, ବିଜୟ କୁମାର, ଅଭୟ ଭୁମିଜ, ରୋହିତ ମନକି, ବିରେନ୍ଦ୍ର କୁମାର, ଆଗୋର ଟଣ୍ଟି, ଧୀରନ ଚଟ୍ରିଆ, ରୋଜୋନି ନାଗ, ଦୀପ ଗୋୱାଲା, ରାମସେବକ ସୁନା, ସଞ୍ଜୟ କୁମାର, ସୋନାଟୋନ ନାଗ, କରଣ କୁମାର, କୁମାର ସୁନା, ଜୁନାଶ ମୁଣ୍ଡା ଅଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ ଗଭୀର ଘାଟିରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହା ବଡ଼ ଚ୍ୟାଲେଞ୍ଜ ଥିଲା।  ସେ କହିଛନ୍ତି ଯେ ୨୨ ଜଣ ଶ୍ରମିକଙ୍କ ମଧ୍ୟରୁ ୧୮ ଜଣ ଆସାମର ତିନସୁକିଆ ଜିଲ୍ଲାର ଗିଲାପୁଖୁରୀ ଚା ଇଷ୍ଟେଟର ବାସିନ୍ଦା ଥିଲେ ।

ସୂଚନା ଥାଉକି, ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରୀ ଚା ବଗିଚା ଅଭିମୁଖେ ଯାଉଥିଲେ । ସେମାନେ ସମସ୍ତେ ଠିକାରେ କାମ କରିବା ପାଇଁ ଅରୁଣାଚଳ ପ୍ରଦେଶର ପ୍ରକଳ୍ପ ସ୍ଥାନକୁ ଯାତ୍ରା କରୁଥିଲେ । ତେବେ ତୀକ୍ଷ୍ଣ ମୋଡ଼,ଉପର ତଳ ରାସ୍ତା, ଥିବାରୁ ଭାରସାମ୍ୟ ହରାଇ ଖସିପଡିଥିଲା ଟ୍ରକ୍ । ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ।